‘ମୁଁ ହିଁ ସୁଖ ଦୁଃଖରେ ଛିଡ଼ା ହେବି’

ଭୁବନେଶ୍ବର ଉତ୍ତର ପାଇଁ ଆପଣ ପ୍ରାର୍ଥୀ ହୋଇଛନ୍ତି। ପ୍ରଚାର ବି ଜୋରଦାର କରୁଛନ୍ତି। ଆପଣ କ’ଣ ବିଜେଡିର ପୂର୍ବ ବିଜୟ ଧାରାକୁ ବଜାୟ ରଖିପାରିବେ?
ଦଳ ସଭାପତି ମୋ ଉପରେ ବିଶ୍ବାସ କରି ମୋତେ ଏଠାରେ ପ୍ରାର୍ଥୀ କରିଛନ୍ତି। ମୁଁ ବି ଦଳର ପୂର୍ବଧାରା ଏଠାରେ ବଜାୟ ରଖିବାକୁ ଚେଷ୍ଟା କରୁଛି। ଏଥର ମୁଖ୍ୟମନ୍ତ୍ରୀଙ୍କ କ୍ରେଜ୍‌ ଏବଂ ମୁଁ ପ୍ରଚାର ସମୟରେ ବିଭିନ୍ନ ଅଞ୍ଚଳ ବୁଲିବା ସମୟରେ ଅନୁଭବ କରୁଛି ଯେ, ମୁଁ ଭଲ ଭୋଟ୍‌ ବ୍ୟବଧାନରେ ବିଜୟ ହାସଲ କରିବି। ଗତ ଦୁଇ ଥରର ଭୋଟ୍‌ ବ୍ୟବଧାନକୁ ଅଧିକ ବଢ଼ାଇବାକୁ ମୁଁ ଏବଂ ମୋର ସମର୍ଥକମାନେ ଉଦ୍ୟମ କରୁଛୁ। କୁହାଯାଉଛି ଯେ, ଆପଣ ରାଜନୀତି ସହ ସଂପୃକ୍ତ ନଥିଲେ, ଦଳ ଆପଣଙ୍କୁ ଆକ୍ସିଡେଣ୍ଟାଲ ପ୍ରାର୍ଥୀ କରିଛି। ମୁଁ ବିଜେଡି ସହ ଦୀର୍ଘ ୨୦ବର୍ଷ ହେଲା ସଂପୃକ୍ତ ଅଛି। ମୋର ପରିବାର ଲୋକ ବିଜେଡି ସହ ସଂପୃକ୍ତ ଅଛନ୍ତି। ମୁଁ ଦୀର୍ଘ ବର୍ଷ ହେଲା ଦଳ ପାଇଁ କାମ କରୁଛି। ମୁଁ ରାଜନୀତିରେ ନୂଆ ନୁହେଁ। ହଁ ଭୁବନେଶ୍ବର ଉତ୍ତରବାସୀଙ୍କ ପାଇଁ ନୂଆ ମୁହଁ। ମୁଁ ଦଳ ପାଇଁ ଦୀର୍ଘ ବର୍ଷ ହେଲା ଯେଉଁ କାର୍ଯ୍ୟ କରୁଥିଲି ତା’ର ପୁରସ୍କାର ସ୍ବରୂପ ମୋତେ ଦଳୀୟ ଟିକେଟ୍‌ ମିଳିଛି।
ଆପଣଙ୍କ ଅଞ୍ଚଳରେ ପ୍ରାୟ ୧ଲକ୍ଷ ୨୦ହଜାରରୁ ଅଧିକ ବସ୍ତି ଭୋଟର ଅଛନ୍ତି। ବହୁ ଉଚ୍ଚଶିକ୍ଷିତ ଭୋଟର ବି ଅଛନ୍ତି। ଆପଣଙ୍କ ଫୋକସ୍‌ରେ କିଏ ରହିବେ?
ମୋ ନଜରରେ ପ୍ରତ୍ୟେକ ଭୋଟର ସମାନ। ମୁଁ ସମସ୍ତଙ୍କ ପାଇଁ କାମ କରିବି ବୋଲି ନିର୍ବାଚନ ଲଢ଼ୁଛି। ସମସ୍ତଙ୍କ ଆଶୀର୍ବାଦ ରହିଲେ ନିଶ୍ଚିତ ବଡ଼ ବ୍ୟବଧାନରେ ଜିତିବି। ମୋ ଅଞ୍ଚଳରେ ଭୁବନେଶ୍ବରର ଅଧିକ ବସ୍ତି ରହିଥିବାରୁ ମୋତେ ବସ୍ତି ଅଞ୍ଚଳରେ ଅଧିକ ସମୟ ପ୍ରଚାର କରିବାକୁ ପଡ଼ୁଛି। ଏୟା ନୁହେଁ ଯେ, ମୋ ଅଞ୍ଚଳର ବିଭିନ୍ନ ବର୍ଗର ଲୋକଙ୍କ ନିକଟକୁ ଯାଉନି। ମୁଁ ପ୍ରତ୍ୟେକ ଦିନ ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚୁଛି। ସେମାନଙ୍କ ପାଇଁ କାର୍ଯ୍ୟ କରିବି ବୋଲି ପ୍ରତିଶ୍ରୁତି ଦେଉଛି।
ବସ୍ତି ବାସିନ୍ଦାଙ୍କ ଭୋଟ୍‌ ନିର୍ଣ୍ଣାୟକ ହେବ। ଆପଣ ଯଦି ନିର୍ବାଚନ ଜିତନ୍ତି ସେମାନଙ୍କ ପାଇଁ କ’ଣ କରିବେ?
ପ୍ରତ୍ୟେକ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ମୋର ପ୍ରଥମ ଲକ୍ଷ୍ୟ। ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ସମସ୍ତ ବସ୍ତିବାସିନ୍ଦାଙ୍କୁ ଯେପରି ପକ୍କା ଘର ମିଳିବ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସେମାନଙ୍କ ପାଖରେ ପହଞ୍ଚିବ, ବସ୍ତିର ଯୁବବର୍ଗଙ୍କୁ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ବୟସ୍କ ଲୋକଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ଭତ୍ତା ମିଳିବ, ବସ୍ତିର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାଣି, ବିଦ୍ୟୁତ ସଂଯୋଗ, ଷ୍ଟ୍ରିଟ ଲାଇଟ୍‌ ଲାଗିବ, ପ୍ରତ୍ୟେକ ବସ୍ତିରେ କଙ୍କ୍ରିଟ ରାସ୍ତା ହେବ ତାହାକୁ ନିଶ୍ଚିତ କରିବି।
ଭୁବନେଶ୍ବରରେ ଡ୍ରେନେଜ୍ ବ୍ୟବସ୍ଥା ଚିନ୍ତାଜନକ। ଚନ୍ଦ୍ରଶେଖରପୁର, ପଟିଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବର୍ଷା ଦିନେ ପାଣି ଜମୁଛି। ବହୁ ଲୋକ ଜଳଘେରୀରେ ରହୁଛନ୍ତି। ଏନେଇ କ’ଣ କହିବେ।
ନିର୍ବାଚନ ଫଳ ମେ ୨୩ରେ ଘୋଷଣା ହେବ। ଏହା ପରେ ବର୍ଷା ଦିନ ଆସିଯିବ। ତେଣୁ ଭଗବାନ ଓ ଭୋଟରଙ୍କ ଆଶୀର୍ବାଦରୁ ଯଦି ମୁଁ ଜିତେ ତେବେ ତୁରନ୍ତ ଏହାର ସମାଧାନ ପାଇଁ କାମ କରିବି। ମାସକ ମଧ୍ୟରେ ନିଶ୍ଚିତ ଅସ୍ଥା‌ୟୀ ସମାଧାନ କରିବି। ବ‌େର୍ଷ, ଦୁଇ ବର୍ଷରେ ମୋ ନିର୍ବାଚନ ମଣ୍ଡଳୀରେ ଯେପରି ଜଳବନ୍ଦୀ ସମସ୍ୟା କେବେବି ସୃଷ୍ଟି ନହେବ ସେଥିପାଇଁ ପଦକ୍ଷେପ ନେବି। ସବୁ ଅଞ୍ଚଳରେ ଡ୍ରେନ୍‌, ‌ସ୍ବେରେଜ୍ କରିବା ମୋର ଲକ୍ଷ୍ୟ। ବାକି ଯାହା ସବୁ ପ୍ରକଳ୍ପ ଅଧା ରହିଛି ତାକୁ ପୂରଣ କରିବି।
ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ବହୁ କର୍ପୋରେଟ୍ ହସ୍ପିଟାଲ ଅଛି। ହେଲେ ସେହି ଅନୁଯାୟୀ ସରକାରୀ ହସ୍ପିଟାଲ ନାହିଁ। ଲୋକଙ୍କୁ ସାମାନ୍ୟ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ ଯିବାକୁ ପଡ଼ୁଛି। ଏନେଇ କ’ଣ କହିବେ?
ପ୍ରତ୍ୟେକ ୱାର୍ଡରେ ଯେପରି ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ହେବ ତାହାକୁ ଗୁରୁତ୍ବ ଦେବି। ଲୋକଙ୍କୁ ଯେପରି ହାତପାହାନ୍ତାରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ମିଳିବ ସେନେଇ ପଦକ୍ଷେପ ନେବି। ପ୍ରତ୍ୟେକ ବାସିନ୍ଦା ଯେପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ଉପକୃତ ହେବେ ତାହା ମୋର ଲକ୍ଷ୍ୟ ରହିବ।
ଆପଣଙ୍କ ବିରୋଧରେ ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ପ୍ରାର୍ଥୀ ହୋଇଛନ୍ତି? ବିଜୟ ସହଜ ହେବ ବୋଲି ଭାବୁଛନ୍ତି?
ନେତା ଓ ଅଭିନେତ୍ରୀ ମଧ୍ୟରେ ପାର୍ଥକ୍ୟ ଅଛି। ଅଭିନେତ୍ରୀ ଅଭିନୟ କରିବେ। ସମୟ ମିଳିଲେ ଲୋକଙ୍କ ପାଖକୁ ଆସିବେ। ଲୋକ ତାଙ୍କୁ ଖୋଜିଲେ ସହଜରେ ପାଇବେନି। ହେଲେ ମୁଁ କେବଳ ଲୋକଙ୍କ ପାଖରେ ସଦାବେଳେ ପହଞ୍ଚିପାରିବି। ମୋ ପେଶା ରାଜନୀତି। ମୋ ଘର ଲୋକଙ୍କ ପାଇଁ ସଦାବେଳେ ଖୋଲା ରହିବ। ସେମାନଙ୍କ ସୁଖଦୁଃଖରେ ମୁଁ ହିଁ ସାଥୀ ହେବି। ଏହାକୁ ଯିଏ ବୁଝିବେ ସେ ଶଙ୍ଖ ଚିହ୍ନରେ ହିଁ ଭୋଟ୍‌ ଦେବେ।

୨୦୦୯ରେ ନୂଆ କରି ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ଗଠନ ହେଲା। ଏହାପ‌ର ଠାରୁ ବିଜେଡି କବ୍‌ଜାରେ ଏହି ନିର୍ବାଚନ ମଣ୍ଡଳୀ ରହିଛି। ଏଠାରେ ଗତ ଦୁଇଟି ନିର୍ବାଚନରେ ବିଜେଡି ପ୍ରାର୍ଥୀମାନେ ଏକତରଫା ବିଜୟ ହାସଲ କରିଥିବାବେଳେ ଚଳିତ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ହୋଇଛନ୍ତି ସୁଶାନ୍ତ ରାଉତ। ସୁଶାନ୍ତ ମଧ୍ୟ ଏହି ଧାରା ବଜାୟ ରଖିବା ଉଦ୍ଦେଶ୍ୟରେ ଜୋରଦାର୍ ପ୍ରଚାର ଚଳାଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ବିଶେଷତ୍ବ ହେଲା ଏଠାରେ ଗତ ଦୁଇଟି ନିର୍ବାଚନ ଏବଂ ଏଥରକୁ ମିଶାଇ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ବଦଳାଇଛନ୍ତି। ତିନି ଥର ନୂଆ ନୂଆ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। କିନ୍ତୁ ବିଜେଡିର ଗଡ଼ ପାଲଟିଥିବା ଏହି ନିର୍ବାଚନ ମଣ୍ଡଳୀରେ ପ୍ରତିଥର ବିରୋଧୀ ଚିତ୍‌ପଟାଙ୍ଗ ମାରିଛନ୍ତି। ଭୁବନେଶ୍ବର ଉତ୍ତରରେ ବିଜେଡିର ସଫଳତାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇଥିବା ସୁଶାନ୍ତ ରାଉତଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର।

ସମ୍ବନ୍ଧିତ ଖବର