ଭୁବନେଶ୍ୱର : ବିଲ୍ ପାସ୍ କରିବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କର ଜାମିନ୍ ଆବେଦନ ଆଜି ଖାରଜ ହୋଇଛି। ସ୍ବତନ୍ତ୍ର ଜଜ୍ (ଭିଜିଲାନ୍ସ)ତାଙ୍କ ଆବେଦନର ବିଚାର କରି ଏହି ରାୟ ଶୁଣାଇଛନ୍ତି। ଏଣୁ ସେ ଝାରପଡ଼ା ଜେଲ୍ରୁ ମୁକୁଳିପାରି ନାହାନ୍ତି। ଆଜି ଅପରାହ୍ନରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ତାଙ୍କୁ ହାଜର କରାଯିବା ସହ ଆବେଦନର ଶୁଣାଣି ହୋଇଥିଲା। ସରକାର ଓ ବିଜୟ କେତନଙ୍କ ପକ୍ଷରୁ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ। ବିଜୟଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଜମାକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁକ୍ତି ହୋଇଥିଲା। ଶେଷରେ ସ୍ବତନ୍ତ୍ର ଜଜ୍ ଜାମିନ ଆବେଦନ ଖାରଜ କରିଥିଲେ।
ଭିଜିଲାନ୍ସ କୋର୍ଟରେ ଦାଖଲ କରିଥିବା ତଥ୍ୟ ଅନୁସାରେ ବିଜୟ କେତନଙ୍କ ଏକାଧିକ ବ୍ୟାଙ୍କ ଖାତାରେ ୨୦୧୨ରୁ ୨୦୧୯ ମଧ୍ୟରେ ୭୦ ଲକ୍ଷ ଟଙ୍କା ଜମା ହୋଇଛି। ଏହି ୭୦ ଲକ୍ଷ ଟଙ୍କା ଆୟ ବହିର୍ଭୂତ ବୋଲି ସରକାରୀ ଓକିଲ ଯୁକ୍ତି ବାଢ଼ିଛନ୍ତି। ବିଜୟ କେତନ ଫାଇଲ କରିଥିବା ଆୟକର ରିଟର୍ଣ୍ଣ ମୁତାବକ ତାଙ୍କର ରୋଜଗାର କେବଳ ଦରମା। ଦରମା ବାହାରେ ତାଙ୍କର ଅନ୍ୟ କୌଣସି ଆୟ ଉତ୍ସ ନାହିଁ। ଏଣୁ ଦରମା ଛଡ଼ା ଅସମୟରେ ଏତେଗୁଡ଼ାଏ ଟଙ୍କା ଜମା ହେବା ଦୁର୍ନୀତିକୁ ଇଙ୍ଗିତ କରୁଛି ବୋଲି ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଅତିରିକ୍ତ ପିପି ହେମନ୍ତ ସ୍ବାଇଁ ଯୁକ୍ତି ବାଢ଼ିଥିଲେ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ପଦାକୁ ଆସିଥିଲା। ଅଭିଯୁକ୍ତ ଆଇଏଏସ୍ ଓ ତାଙ୍କ ସହିତ ବନ୍ଧା ହୋଇଥିବା ବ୍ୟାଙ୍କ୍ ଅଧିକାରୀ ସନ୍ତୋଷ ପଟ୍ଟନାୟକ ଉଭୟ କ୍ଲାସ୍ମେଟ୍ ଥିଲେ। ଏଣୁ ମିଳିମିଶି ଲୁଟ୍ କରିବା ସହଜ ହେଉଥିଲା। ତା’ ସହିତ ସେ ପ୍ରଶାସନିକ ଅଧିକାରୀ ହୋଇଥିବାରୁ ଜାମିନ୍ରେ ମୁକୁଳିଲେ ତଦନ୍ତକୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ଜାମିନ୍ ଦେଲେ ସମାଜକୁ ଏକ ଖରାପ ବାର୍ତ୍ତା ଯିବ। ଏଣୁ ଜାମିନ୍ ପ୍ରଦାନ କରାନଯାଉ ବୋଲି ସେ ପ୍ରାର୍ଥନା କରିଥିଲେ।
ଅଭିଯୁକ୍ତ ଆଇଏଏସ୍ ଘରେ ଦାମୀ ସାମଗ୍ରୀ ବ୍ୟବହାରକୁ ନେଇ ଚର୍ଚ୍ଚା ହୋଇଥିଲା। ସେ ଘରେ ୧୪ ଲକ୍ଷ ଟଙ୍କାର ମ୍ୟୁଜିକ୍ ସିଷ୍ଟମ୍ ବ୍ୟବହାର କରୁଥିବା ବେଳେ ଫ୍ରିଜ୍ର ଦାମ୍ ୪ ଲକ୍ଷ। ଏଭଳି ବିଳାସପୂର୍ଣ୍ଣ ଜୀବନଯାପନ ଆର୍ଥିକ ତୋଷରପାତ ଆଡ଼କୁ ଇଙ୍ଗିତ କରୁଛି ବୋଲି ଓକିଲ ଯୁକ୍ତି କରିଥିଲେ। ସୂଚନାଯୋଗ୍ୟ, ବିଲ୍ପାସ୍ କରାଇ ଦେବା ପାଇଁ ବ୍ୟାଙ୍କ ଅଧିକାରୀ ସନ୍ତୋଷଙ୍କ ମାଧ୍ୟମରେ ଏସଆର୍ଏମ୍ ପ୍ଲାଷ୍ଟୋକେମ୍ ପ୍ରାଇଭେଟ୍ ଲିମିଟେଡ୍ର ଅଧିକୃତ ପ୍ରତିନିଧିଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତ ଡିସେମ୍ବର ୩୦ ତାରିଖ ଦିନ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। ଧରାପଡ଼ିବା ପରେ ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କୁ ସରକାର ଚାକିରିରୁ ନିଲମ୍ବିତ କରିଥିଲେ।