ରାଜଧାନୀରେ କୁଆପଥର ବର୍ଷା

ଭୁବନେଶ୍ୱର: ଗତ ଦୁଇ ଦିନ ହେବ ସନ୍ଧ୍ୟା ହେଲେ ଆସୁଛି ବର୍ଷା। ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇ ସାରା ରାତି ଝିପ୍‌ ଝିପ୍‌ ବର୍ଷା ଲାଗି ରହିଥିବା ବେଳେ ଆଜି ସନ୍ଧ୍ୟାରେ କୁଆପଥର ବର୍ଷା ହୋଇଛି। ଖୁବ୍‌ କମ ସମୟ ପାଇଁ ହୋଇଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାତ୍ର ୪ ମିନିଟ୍‌ କୁଆପଥର ମାଡ଼ରେ କେବଳ ଭୁବନେଶ୍ୱରରେ ୧୦ରୁ ଊର୍ଦ୍ଧ୍ୱ ଗାଡ଼ିର କାଚ ଭାଙ୍ଗିଥିବା ବେଳେ ଭୁବନେଶ୍ୱର-କଟକ ରାଜପଥରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜଧାନୀରେ କେବଳ ବମିଖାଲ, ରସୁଲଗଡ଼, ଓ ଲକ୍ଷ୍ମୀସାଗରର କେତେକ ଅଞ୍ଚଳରେ ଏହି କୁଆପଥର ବର୍ଷା ହୋଇଥିବା ବେଳେ ଉପକଣ୍ଠ ହଂସପାଳ, ବାଲିଅନ୍ତା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷିଛି। ସନ୍ଧ୍ୟା ସମୟରେ ରାଜପଥ ସହ ସହରର ବିଭିନ୍ନ ଅଞ୍ଚଳ ଜନଗହଳି ହୋଇଥିବା ବେଳେ ଏହି କୁଆପଥର ମାଡ଼ ସହରବାସୀଙ୍କୁ ଅକଳରେ ପକାଇ ଦେଇଥିଲା। କେହି ମୃତାହତ ହୋଇ ନଥିଲେ ମଧ୍ୟ ଅନେକଙ୍କ ମୁଣ୍ଡରେ ମାଡ଼ ହୋଇ ଆହତ ହୋଇଛନ୍ତି। ତେବେ କମ୍‌ ସମୟ ହୋଇଥିବାରୁ ଏହାକୁ ପାଣିପାଗ ବିଭାଗ ରେକର୍ଡ କରି ପାରିନାହିଁ। ବୃଷ୍ଟିପାତ ପରିମାଣ ଶୂନ ଥିବା ବିଭାଗ ଦର୍ଶାଇଛି। ଅପରାହ୍‌ଣ ୫ଟା ବେଳେ ୧୦ ମିନିଟ ଧରି ଏହି କୁଆପଥର ବୃଷ୍ଟି ହୋଇଥିବା ବେଳେ ୬ଟା ପର୍ଯ୍ୟନ୍ତ ବର୍ଷା ହୋଇଥିଲା। ଏଥିପାଇଁ କିଛି ସମୟ ପାଇଁ ବିଦ୍ୟୁତ୍‌ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର