୪୦ ଲକ୍ଷ ଦିବ୍ୟାଙ୍ଗ ଭୋଟରଙ୍କ ମଧ୍ୟରୁ ମାତ୍ର ୪ଲକ୍ଷ ଚିହ୍ନଟ

ସୁଗମ ନିର୍ବାଚନ ଥିମ୍ ଦିବ୍ୟାଙ୍ଗଙ୍କ ପାଇଁ ଉପହାସ

0

ଭୁବନେଶ୍ବର: ଚଳିତ ବର୍ଷର ନିର୍ବାଚନ ଥିମ୍ ରହିଛି ସମସ୍ତଙ୍କ ପାଇଁ ସୁଗମ ନିର୍ବାଚନ। ଅଥଚ ଚଳିତ ନିର୍ବାଚନରେ ଦିବ୍ୟାଙ୍ଗମାନେ କିଭଳି ସୁବିଧାରେ ଭୋଟ ଦେଇପାରିବେ ସେନେଇ ଗୁରୁତ୍ବ ଦିଆଯାଇନାହିଁ। ୨ଶହ ଦିବ୍ୟାଙ୍ଗଙ୍କଠାରୁ ନିଆଯାଇଥିବା ମତାମତରୁ ସ୍ପଷ୍ଟ ହୋଇଛି ଯେ ୯୦ ପ୍ରତିଶତ ଦିବ୍ୟାଙ୍ଗ ନିର୍ବାଚନର ପ୍ରକ୍ରିୟା ବାବଦରେ ସଚେତନ ନୁହନ୍ତି। ସେମାନେ ଭୋଟିଂ ମେସିନ୍‌ର ବ୍ୟବହାର ଜାଣନ୍ତି ନାହିଁ। ଦୃଷ୍ଟିହୀନଙ୍କ ପାଇଁ ମତଦାତା ଫଟୋ ପରିଚୟପତ୍ର (ଇପିଆଇସି) ବ୍ରେଲିରେ ଛପା ହୁଏ ବୋଲି ବି ଅନେକ ସଚେତନ ନୁହନ୍ତି। ବଧିରମାନଙ୍କ ପାଇଁ ସାଙ୍କେତିକ ଭାଷାରେ ଅଡିଓ ଭିଜୁଆଲ୍ ତାଲିମ୍ ଦିଆଯିବା ନେଇ ବ୍ୟବସ୍ଥା ଥିଲେ ହେଁ ସେ ସମ୍ବନ୍ଧରେ ଜାଣନ୍ତି ନାହିଁ। ଦିବ୍ୟାଙ୍ଗ ଏବଂ ସେମାନଙ୍କ ସହଯୋଗୀଙ୍କୁ ନିର୍ବାଚନ ସମୟରେ ଯାତାୟାତ ପାଇଁ ବ୍ୟବସ୍ଥା ବିଷୟରେ ମଧ୍ୟ ସେମାନେ ସଚେତନ ନୁହନ୍ତି।

କିଛି ଦିବ୍ୟାଙ୍ଗ ମତଦାତା ନିର୍ବାଚନ ହେଉଥିବା ସ୍ଥାନରେ ବିଭିନ୍ନ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମତଃ ଦିବ୍ୟାଙ୍ଗଙ୍କ ପାଇଁ ନିର୍ବାଚନ ପ୍ରତିଶ୍ରୁତି ଯାହା ଦିଆଯାଉଛି ତାହା ପୂରଣ ହେଉନାହିଁ। ପୂର୍ବ ନିର୍ବାଚନ ବର୍ଷର ଅଭିଜ୍ଞତାକୁ ପାଥେୟ କରି ସେମାନେ କହିଛନ୍ତି, ପୁଲିଂ ବୁଥ୍ ନିକଟରେ ଶୌଚାଳୟ ନଥିଲା। ଭୋଟିଂ ରୁମ୍ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ରାମ୍ପ୍ କିମ୍ବା ହ୍ବିଲ୍ ଚେୟାରର ବନ୍ଦୋବସ୍ତ ନଥିଲା। ଭୋଟିଂ ମେସିନ୍ ଟେବୁଲ୍‌ ଉଚ୍ଚସ୍ଥାନରେ ରହୁଥିବାରୁ ଏହା ଲୋକୋମୋଟିଭ୍ ଏବଂ ବାଙ୍ଗରା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥିଲା। ଏହି ସବୁ କାରଣ ପାଇଁ ଭୋଟ୍ ଦେବାକୁ ଦିବ୍ୟାଙ୍ଗମାନେ ଅମଙ୍ଗ ହୋଇଛନ୍ତି। ‘ସ୍ବାଭିମାନ’ ଏବଂ ‘ଓଡ଼ିଶା ଷ୍ଟେଟ୍ ଡିଜାବିଲିଟି ନେଟ୍‌ୱର୍କ’ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଏନେଇ ସ୍ବାଭିମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଶ୍ରୁତି ମହାପାତ୍ର କହିଛନ୍ତି, ରାଜ୍ୟରେ ୬୦ରୁ ୭୦ ଲକ୍ଷ ଭିନ୍ନକ୍ଷମ ଅଛନ୍ତି। ସେମାନଙ୍କ ମଧ୍ୟରେ ଭୋଟରଙ୍କ ସଂଖ୍ୟା ୪୦ ଲକ୍ଷ। ପ୍ରାୟ ୬୦ ପ୍ରତିଶତ ଦିବ୍ୟାଙ୍ଗ ଭୋଟ୍ ଦେବା ପାଇଁ ଯୋଗ୍ୟ। କିନ୍ତୁ ଯେଉଁ ସୁଗମ ନିର୍ବାଚନ କଥା କୁହାଯାଉଛି, ସେଥିରେ ଦିବ୍ୟାଙ୍ଗମାନଙ୍କୁ ଯେତିକି ସଚେତନ କରାଯିବା କଥା ହୋଇନାହିଁ। ପୁଲିଂବୁଥ୍ ହେବାର ସମ୍ଭାବନା ଥିବା ପ୍ରାୟ ୧୫୦ ସ୍କୁଲ୍‌ରେ ସର୍ବେକ୍ଷଣ କରାଯାଇଥିଲା। ସ୍ପଷ୍ଟ ହୋଇଛି ଯେ ସେଠାରେ ରାମ୍ପ୍‌ଗୁଡ଼ିକ ଭାଙ୍ଗି ଯାଇଥିଲେ ମଧ୍ୟ ମରାମତି କରାଯାଇନାହିଁ। ଅନେକ ସ୍ଥାନରେ ହ୍ୟାଣ୍ଡ୍ ରେଲ୍ସ ଉଭାନ ହୋଇଯାଇଛି। ଶୌଚାଳୟ ଦିବ୍ୟାଙ୍ଗ ପାଇଁ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। କିଛି ଶୌଚାଳୟରେ ପାଣିର ସୁବିଧା ନାହିଁ। ଡ. ମହାପାତ୍ର କହିଛନ୍ତି ଯେ ସିଇଓ, ଏସ୍ଏସ୍ଇପିଡି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯଦି ମିଳିତ ଭାବେ ଉଦ୍ୟମ କରିଥାନ୍ତେ, ତେବେ ୪୦ଲକ୍ଷ ଭୋଟର ଚିହ୍ନଟ ହୋଇପାରିଥାନ୍ତେ। କିନ୍ତୁ ମାତ୍ର ୪ଲକ୍ଷ ଭୋଟରଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଦିଆଯାଉଛି। ତେଣୁ ଜିଲ୍ଲାସ୍ତରୀୟ ଆକ୍ସେସିବଲ୍ ଇଲେକ୍ସନ କମିଟି ଗଠନ ସହ ଉପ‌ରୋକ୍ତ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ଦିବ୍ୟାଙ୍ଗଙ୍କୁ ସମ୍ମାନର ସହ ଭୋଟ୍ ଦେବା ପାଇଁ ସୁଯୋଗ ସୃଷ୍ଟି ହେଉ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.