ଆଇଏମ୍‌ଏ-ଏକାମ୍ରକାନନ ରାସ୍ତା କେବେ? ପ୍ରଶାସନର ମୁଣ୍ଡବିନ୍ଧା କଲାଣି ଜମି ଅଧି‌ଗ୍ରହଣ ସମସ୍ୟା

ସାଲିଆସାହି ନିକଟରେ ବାଟ ଓଗାଳୁଛି ବସ୍ତି

ଚନ୍ଦ୍ରଶେଖରପୁର: ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ଚାଲିଛି ବିକଳ୍ପ ରାସ୍ତା। ୩ ବର୍ଷ ହେଲା ଦୁଇଟି ବିକଳ୍ପ ରାସ୍ତା କାମ ଚାଲିଥିଲେ ମଧ୍ୟ ଆଜି ଯାଏ ଗୋଟିଏର ବି କାର୍ଯ୍ୟ ସରିନି। ଆଚାର୍ଯ୍ୟ ବିହାର-ଡମଣା ଛକ ରାସ୍ତା ମନ୍ଥର ଗତିରେ ଚାଲିଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନ(ଆଇଏମ୍‌ଏ)-ଏକାମ୍ରକାନନ ରାସ୍ତା ବିବାଦ ମଧ୍ୟରେ ଗତି କରୁଛି। ସବୁଠି ଜମି ଅଧିଗ୍ରହଣକୁ ନେଇ ସମସ୍ୟା ସୃଷ୍ଟି ହେଉଥିବାରୁ କାମ ଆଗେଇ ପାରୁନାହିଁ। କେଉଁଠି ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବା କଷ୍ଟକର ହେଉଛି ତ ଆଉ କେଉଁଠି ବସ୍ତିବାସିନ୍ଦା ଓ ପ୍ରଶାସନ ମଧ୍ୟରେ ମହାଭାରତ ସୃଷ୍ଟି ହେଉଛି। ମୁଖ୍ୟତଃ ପ୍ରଶାସନ ଓ ବସ୍ତିବାସିନ୍ଦାଙ୍କ ବିବାଦ ଯୋଗୁଁ ରାସ୍ତା କାମ ଆଗେଇ ପାରୁନାହିଁ। ଏପଟେ ବିକଳ୍ପ ବାଟ କେବେ ଖୋଲିବ, ତାହାକୁ ଅନେଇ ବସିଛନ୍ତି ରାଜଧାନୀବାସୀ। ପାଖାପାଖି ୧୫ କିମି ବିଶିଷ୍ଟ ହେବାକୁ ଥିବା ଆଇଏମ୍‌ଏ-ଏକାମ୍ରକାନନ ରାସ୍ତା ତିନି ବର୍ଷ ହେଲା ପର୍ଯ୍ୟାୟକ୍ରମେ ଆଗଉଛି। ୨୦୧୭ ମସିହାଠାରୁ ନୀଳାଦ୍ରିବିହାରସ୍ଥିତ ଉତ୍କଳ ହସ୍ପିଟାଲରୁ ଶୈଳଶ୍ରୀବିହାରସ୍ଥିତ ଓଇଆରସି ପର୍ଯ୍ୟନ୍ତ ରାସ୍ତା କାମ ଶେଷ ହେଲାଣି। ୨୦୦ ଫୁଟ୍‌ର ଏହି ରାସ୍ତା ୪ ଥାକିଆ ହୋଇଛି। ରାସ୍ତା କାମ ଶେଷ ହେବା ପରେ ଡିଭାଇଡର୍‌ରେ ଲାଗିଥିବା ଛୋଟ ଗଛ ଏବେ ବଡ଼ ହୋଇଗଲାଣି। ତଥାପି ରାସ୍ତା କାମ ସରୁ ନ ଥିବାରୁ ଏହି ରାସ୍ତାରେ କେହି ବି ଯିବା ଆସିବା କରିପାରୁ ନାହାନ୍ତି।

ଅନ୍ୟପକ୍ଷ‌ରେ ଏକାମ୍ରକାନନ କର୍ତୃପକ୍ଷଙ୍କଠାରୁ ଜମି ମିଳିବା ପରେ ବିକଳ୍ପ ରାସ୍ତା କିଛି ବାଟ ଆଗେଇଛି। ୨୦୧୯ ମାର୍ଚ୍ଚ ୨ ତାରିଖଠାରୁ ଉତ୍କଳ ହସ୍ପିଟାଲରୁ ରେଳ ବିହାର ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇଛି। ପାହାଡ଼ କଟା ଯାଇ ରାସ୍ତା କାମ ଚାଲିଛି। ୨୧ କୋଟି ୬୬ ଲକ୍ଷ ୫୮ ହଜାର ୮୭୨ ଟଙ୍କାରେ ନିର୍ମାଣ ହେଉଥିବା ଏହି ଦେଢ଼ କିମି ରାସ୍ତା କାମ ଆସନ୍ତା ଜୁନ୍‌ ପହିଲା ସୁଦ୍ଧା ଶେଷ ହେବ ବୋଲି ଧାର୍ଯ୍ୟ ହୋଇଛି। ତେବେ ରେଳ ବିହାରଠାରୁ ଏକାମ୍ରକାନନ ପର୍ଯ୍ୟନ୍ତ ଖୋଲିବାକୁ ଥିବା ରାସ୍ତା କାମକୁ ‌‌ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଦୁଇ ମାସ ତଳେ ଏ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ଥିଲା। ବସ୍ତି ଉଚ୍ଛେଦ କରି କାମ ଆଗକୁ ବଢ଼ାଇବାକୁ ପ୍ରଶାସନ ସବୁ ପ୍ରକାର ଉଦ୍ୟମ କରିଥିଲା। କିନ୍ତୁ ସାଲିଆସାହି ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁଁ ପ୍ରଶାସନକୁ ଶେଷରେ ପଛଘୁଞ୍ଚା ଦେବାକୁ ପଡ଼ିଛି। ପୁଲିସ ସହଯୋଗରେ ବିଡିଏ ପକ୍ଷରୁ ଏକାଧିକଥର ଘର ଭାଙ୍ଗିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ବସ୍ତିବାସିନ୍ଦାଙ୍କ ବିରୋଧ ଯୋଗୁଁ ଫେରିଛି ପ୍ରଶାସନ। ଉଚ୍ଛେଦ କାମ ଆଗେଇ ପାରୁ ନ ଥିବାରୁ ଏହି ରାସ୍ତା ଚୂଡ଼ାନ୍ତ ରୂପ ନେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବସ୍ତିବାସିନ୍ଦା ଏବେ ବି ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ପ୍ରଥମେ ଥଇଥାନ କରାଯାଉ, ତା’ ପରେ ଉଚ୍ଛେଦ କରିବ। ନ ହେଲେ ଇଞ୍ଚିଏ ବି ଜାଗା ଦେବୁ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ପଥରଗାଡ଼ିଆ ରାସ୍ତା କାମ ଏବେ ଆଗକୁ ବଢ଼ିଛି। ୨୦୦ ଫୁଟ୍‌ର ଏହି ରାସ୍ତା ଶିଖରଚଣ୍ଡୀ ପାଦଦେଶ ଦେଇ ଶୈଳଶ୍ରୀବିହାରରେ ଥିବା ଓଇଆରସି ନିକଟ ରାସ୍ତାକୁ ଛୁଇଁବ। ଆସନ୍ତା ୭ରୁ ୮ ମାସ ମଧ୍ୟରେ ଏହି ରାସ୍ତାକୁ ଓଇଆରସି ନିକଟ ରାସ୍ତା ସହ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରାସ୍ତା ଯୋଡ଼ି ହେବା ପରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ନିକଟରୁ ରେଳ ବିହାର ପର୍ଯ୍ୟନ୍ତ ରାସ୍ତା ଏକପ୍ରକାର ସଂଯୋଗ ହୋଇଯିବ। ତେବେ ରେଳ ବିହାରରୁ ଏକାମ୍ରକାନନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ପ୍ରକାର ଉଦ୍ୟମ ପରେ ବି ପ୍ରଶାସନ ବସ୍ତିବାସିନ୍ଦାଙ୍କ ଘର ଭାଙ୍ଗିବାରେ ବିଫଳ ହେବା ପରେ ଚୁପ୍‌ ବସି ରହିଛି। ବିଡିଏର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଉଚ୍ଛେଦ ବିଳମ୍ବ ହେଉଥିବାରୁ ରାସ୍ତା କାମ ଆଗେଇ ପାରୁନି। ନହେଲେ ଏବେ ସୁଦ୍ଧା ବିକଳ୍ପ ବାଟ ଖୋଲି ସାରନ୍ତା‌ଣି। ଆସନ୍ତା ଜୁନ୍‌ ସୁଦ୍ଧା ଉତ୍କଳ ହସ୍ପିଟାଲରୁ ରେଳ ବିହାର ପର୍ଯ୍ୟନ୍ତ ରାସ୍ତା କାମ ଶେଷ ହେବା ପରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସରୁ ନାଲ୍‌କୋ ଛକ ଓ ଜାଭିଅର ପର୍ଯ୍ୟନ୍ତ ବିକଳ୍ପ ରାସ୍ତା ଖୋଲିଯିବ। ଏହାପରେ ଏକାମ୍ରକାନନ ରାସ୍ତା କଥା ଚିନ୍ତା କରାଯିବ।

ସମ୍ବନ୍ଧିତ ଖବର