ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଇଫ୍‌ତାର ପାର୍ଟି

ଭୁବନେଶ୍ୱର: ଅଲ୍ଲା ହୋ ଅକ୍‌ବର୍‌.. ଧ୍ୱନିରେ କମ୍ପୁଥିଲା ୟୁନିଟ୍‌-୧ କସ୍ତୁରବା ନାରୀ ମହଲ। ରମଜାନ୍‌ ମାସରେ ଭାଇଚାରାର ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ଆଜି ‘ନବନିର୍ମାଣ ଯୁବ ଛାତ୍ର ସଂଗଠନ’ ପକ୍ଷରୁ ‘ଇଫ୍‌ତାର ପାର୍ଟି’ର ଆୟୋଜନ କରାଯାଇଥିଲା। ଏଥିରେ ହିନ୍ଦୁ, ମୁସ୍‌ଲିମ୍‌ ସମେତ ସମସ୍ତ ଧର୍ମାବଲମ୍ବୀ, ବିଭିନ୍ନ ରାଜନୈତିକ ଦଳର ବହୁ ରାଜନେତା, ଯୁବ ସାଥୀ ଓ ଚାଷୀମାନେ ଯୋଗ ଦେଇ ଏହି ଭାଇଚାରା ଓ ବନ୍ଧୁମିଳନ ଉତ୍ସବକୁ ମନ ଭରି ଉପଭୋଗ କରିଥିଲେ। ଗତକାଲି ରାତି ୩ଟା ୪୪ରୁ ଆରମ୍ଭ ହୋଇଥିବା କଠୋର ବ୍ରତକୁ ଆଜି ସଂଧ୍ୟା ୬ଟା ୨୮ରେ ଫଳ, ସିମେଇ, ଲଚ୍ଛା, ସରବତ୍‌, ଗଜା ବୁଟ ଆଦି ଖାଇ ରୋଜା ଭାଙ୍ଗିଥିଲେ। ସମସ୍ତେ ସମବେତ ସ୍ୱରରେ ‘ଦୁଆ’ ଓ ‘ଅଜାନ୍‌’ କରିବା ପରେ ଇଫ୍‌ତାର୍‌ ପାର୍ଟି କରି ବ୍ରତ ଭାଙ୍ଗିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ସଂଗଠନର ରାଜ୍ୟ ସଂଯୋଜକ ଏମ୍‌.ଡି ମନଓ୍ଵର ଅଲ୍ଲୀ, ରାଜ୍ୟ ସହ ସଂଯୋଜକ ସାଇ ପ୍ରସାଦ ପଲାଇ ଓ ଭୁବନେଶ୍ୱର ସଂଯୋଜକ ଅମିତ କୁମାର ଜେନା ପ୍ରମୁଖ ଏଥିରେ ଉପସ୍ଥିତ ରହି ଉତ୍ସବକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର