ଆଇଆଇଟି ଭୁ‌ବନେଶ୍ବରକୁ ସଫଳତା, ଏସ୍‌ପିଏଆରସିରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର: ଭୁବନେଶ୍ବର ଆଇଆଇଟିକୁ ଆଉ ଏକ ସଫଳତା। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଦି ସ୍କିମ୍‌ ଫର୍‌ ପ୍ରମୋସନ ଅଫ୍‌ ଏକାଡେମିକ୍‌ ଆଣ୍ଡ ରିସର୍ଚ୍ଚ କୋ‌ଲାବରେସନ (ଏସ୍‌ପିଏଆରସି) କାର୍ଯ୍ୟକ୍ରମରେ ଆଇଆଇଟିର ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହା ମାଧ୍ୟମରେ ବିଦେଶର ଅଧ୍ୟାପକ-ଗବେଷକମାନେ ଦୀର୍ଘ ସମୟ ଧରି ଭାରତର ଶିକ୍ଷାନୁଷ୍ଠାନରେ ରହି ଶିକ୍ଷା ଓ ଗବେଷଣା ସମ୍ପର୍କରେ ଶିକ୍ଷା ଗ୍ରହଣ କରିବେ। ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ବିଶ୍ବର ପ୍ରମୁଖ ଶିକ୍ଷାନୁଷ୍ଠାନର ଲାବରେଟୋରି ଗସ୍ତ କରିବା ସହ ତାଲିମ ଓ ଅଭିଜ୍ଞତା ହାସଲ କରିପାରିବେ। ଆଇଆଇଟି ଭୁବନେଶ୍ବର ପକ୍ଷରୁ ୨୫ଟି ପ୍ରସ୍ତାବ ଦାଖଲ କରାଯାଇଥିଲା। ସେଥିମଧ୍ୟରୁ ୧୧ଟି ଗବେଷଣା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅନ୍ୟ ପ୍ରସ୍ତାବଗୁଡ଼ିକ ଉପରେ ସମୀକ୍ଷା କରାଯାଉଛି। ଅନୁମୋଦିତ ହୋଇଥିବା ୧୧ଟି ପ୍ରସ୍ତାବ ମଧ୍ୟରେ ସ୍ବାସ୍ଥ୍ୟ ସେବା, ସବୁଜ ଓ ନବୀକରଣୀୟ ଟେକ୍ନୋଲୋଜି, ଏନର୍ଜି ଆଣ୍ଡ ୱାଟର ସଷ୍ଟ‌େନବିଲିଟି, ସିକ୍ୟୁରିଟି ଆଣ୍ଡ ସେଫ୍ଟି ଆଦି ବିଷୟ ରହିଛି।

ଭୁବନେଶ୍ବର ଆଇଆଇଟି ନିର୍ଦେଶକ ଆର. ଭି ରାଜାକୁମାରଙ୍କ କହିବାନୁଯାୟୀ, ଏହା ଏକ ଅଭିନବ କାର୍ଯ୍ୟକ୍ରମ। ଏହାଦ୍ବାରା ବିଶ୍ବର ପ୍ରମୁଖ ଶିକ୍ଷାନୁଷ୍ଠାନ ସହ ସମ୍ପର୍କ ସୃଷ୍ଟି ହୋଇପାରିବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଉଥିବା ଏଭଳି କାର୍ଯ୍ୟକ୍ରମ ଦ୍ବାରା ଭାରତୀୟ ଆଇଆଇଟିଗୁଡ଼ିକ ବିଶ୍ବର ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ହାସଲ କରିପାରିବେ। ଭୁବନେଶ୍ବର ଆଇଆଇଟି ଅଧ୍ୟାପକଙ୍କୁ ଏ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ଗତ ତିନି ବର୍ଷ ମଧ୍ୟରେ ବିଦେଶୀ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ଏସ୍‌ପିଏଆରସି ମାଧ୍ୟମରେ ବିଦେଶର ୟୁନିଭର୍ସିଟି ଅଫ୍‌ ଡୁନ୍‌ଡେ, ବର୍ଣ୍ଣେଲ୍‌ ୟୁନିଭର୍ସିଟି, ୟୁକେ ୟୁନିଭର୍ସିଟି ଅଫ୍‌ ଇଲିନୋସ୍‌, ଚିକାଗୋ, ୟୁନିଭର୍ସିଟି ଅଫ୍‌ ମିନ୍ନେସୋଟା, ୟୁନିଭର୍ସିଟି ଅଫ୍‌ କାଲିଫୋର୍ନିଆ, ନ୍ୟୁୟର୍କ ୟୁନିଭର୍ସିଟି,ସିଙ୍ଗାପୁରସ୍ଥିତ ୟୁଏସ୍‌ଏ ନା‌ନାୟାଙ୍ଗ୍‌ ଟେକ୍ନୋଲୋଜିକାଲ ୟୁନିଭର୍ସିଟି, ନ୍ୟୁଜ୍‌ଲାଣ୍ଡସ୍ଥିତ ୟୁନିଭର୍ସିଟି ଅଫ୍‌ ଅକ୍‌ଲ୍ୟାଣ୍ଡ ସହ ଆଇଆଇଟି ଭୁବନେଶ୍ବର ଭାଗୀଦାର କରିବ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଶିକ୍ଷାନୁଷ୍ଠାନ ସହ ବିଶ୍ବର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଶିକ୍ଷା ଓ ଗବେଷଣା ମାଧ୍ୟମରେ ଦେଶ, ବିଦେଶୀରେ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଏହା ସହାୟକ ହେବ। ଦେଶରେ ଥିବା ଆଇଆଇଟିଗୁଡ଼ିକରୁ ପ୍ରସ୍ତାବ ସଂଗ୍ରହ କରିବା ଲାଗି ଆଇଆଇଟି ଖଡ଼ଗପୁରକୁ ନୋଡାଲ ଇନ୍‌ଷ୍ଟିଚ୍ୟୁଟ୍‌ ଭାବେ ଦାୟିତ୍ବ ଦିଆଯାଇଛି। ଦୁଇ ବର୍ଷ ମଧ୍ୟରେ ୧୦୦ଟି ଭାରତୀୟ ଶିକ୍ଷାନୁଷ୍ଠାନ ୬୦୦ଟି ମିଳିତ ସହଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୪୧୮ କୋଟି ଟଙ୍କା ବଜେଟ୍‌ ରଖାଯାଇଛି।

ସମ୍ବନ୍ଧିତ ଖବର