ବେଆଇନ ଖଣି ଖନନ ମାମଲା : ତହସିଲଦାର ଓ ଆଇଆଇସିଙ୍କୁ ୭ ଘଣ୍ଟା ଜେରା

ଏସ୍‌ଟିଏଫ୍‌ରେ ହାଜର ହେଲେ, ୨୧ରେ ପୁଣି ଆସିବେ, ଜେରାର ହେଲା ଭିଡିଓ ରେକର୍ଡିଂ

ଭୁବନେଶ୍ବର : ଖୋର୍ଧା ବେଆଇନ ଖଣି ଖନନ ମାମଲାରେ ଖୋର୍ଧା ତହସିଲଦାର ଶୁଭେନ୍ଦ୍ର ସାମଲ ଓ ସଦର ଥାନା ଆଇଆଇସି ବିକ୍ରମ କେଶରୀ ଜେନାଙ୍କୁ ଆଜି ଏସ୍‌ଟିଏଫ ଜେରା କରିଛି। ପୂର୍ବାହ୍ନ ସାଢ଼େ ୧୦ଟାରୁ ଅପରାହ୍‌ଣ ସାଢ଼େ ୫ଟା ପର୍ଯ୍ୟନ୍ତ ପାଖାପାଖି ୭ ଘଣ୍ଟା ସେମାନଙ୍କୁ ଜେରା କରାଯାଇଛି। ବେଆଇନ ଖଣି ଖନନରେ ଏମାନଙ୍କର ସମ୍ପୃକ୍ତି ଥିଲା କି ନାହିଁ, ସେ ବାବଦରେ ଏସ୍‌ଟିଏଫ୍‌ ଅନେକ ତଥ୍ୟ ହାସଲ କରିଛି। ଭବିଷ୍ୟତରେ ପ୍ରମାଣ ପାଇଁ ଜେରା ସମୟର ଦୃଶ୍ୟକୁ ରେକର୍ଡିଂ କରାଯାଇଛି। ତେବେ ଆଜିର ଏହି ପଚରାଉଚରା ଯଥେଷ୍ଟ ନଥିବାରୁ ସେମାନଙ୍କୁ ୨୧ ତାରିଖ ଦିନ ପୁଣି ଥରେ ହାଜର ହେବା ପାଇଁ ନୋଟିସ୍‌ କରାଯାଇଛି ବୋଲି ଏସ୍‌ଟିଏଫ ଏସ୍‌ପି ରାହୁଲ ପି.ଆର୍‌ କହିଛନ୍ତି। ଅପରପକ୍ଷେ ଆଜି ବନ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ଦୁଇଜଣ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।

ସୂଚନା ମୁତାବକ, ଖୋର୍ଧା ତହସିଲ ଅଧୀନରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିରେ ବିନା ଲିଜ୍‌ରେ ଦୀର୍ଘ ଦିନ ଧରି ବେଆଇନ ଖନନ ଚାଲିଥିଲା। କିନ୍ତୁ ଏହାକୁ ରୋକିବା ପାଇଁ ରାଜସ୍ବ ଓ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ତଦନ୍ତ ବେଳେ ଏସ୍‌ଟିଏଫ ଜାଣିବାକୁ ପାଇଥିଲା। ତେଣୁ ଉଭୟ ତହସିଲଦାର ଓ ଆଇଆଇସିଙ୍କୁ ନୋଟିସ୍‌ କରାଯାଇଥିଲା। ଆଜି ଉଭୟ ହାଜର ହୋଇ ନିଜ ନିଜର ପକ୍ଷ ରଖିଥିଲେ। ଏହି ବେଆଇନ କାରବାରକୁ ରୋକିବା ପାଇଁ କି’ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇଥିଲେ, ତାହାର ସବି‌ଶେଷ ବିବରଣୀ ଉପସ୍ଥାପନ କରିଥିଲେ।

ଏ ସଂପର୍କରେ ତହସିଲଦାର ଶ୍ରୀ ସାମଲ କହିଛନ୍ତି, ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସମୟରେ ଚଢ଼ଉ କରି ସେ ୨ଶହ ଗାଡ଼ି ଓ ଗୋଟିଏ ଉତ୍ତୋଳକ ମେସିନ୍‌ ଜବତ କରିଛନ୍ତି। ଏହାସହ କିଛି ଖଣି ମାଫିଆଙ୍କୁ ଗିରଫ ପାଇଁ ମଧ୍ୟ ପୁଲିସକୁ ଚିଠି କରିଥିବା କହିଥିଲେ। ତେବେ ଏହି ବେଆଇନ କାରବାରରେ ତାଙ୍କର ସଂପୃକ୍ତି ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି।

ସେହିପରି ଇନ୍‌ସ୍‌ପେକ୍ଟର ଶ୍ରୀ ଜେନା କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଖଣି ଲିଜ୍‌ ଦିଏ। ଆମ ପାଖରେ ଖବର ନଥାଏ କି କେଉଁ ଖଣି ଲିଜ୍‌ ଦିଆଯାଇଛି, କେଉଁ ଖଣି ବେଆଇନ। ତଥାପି ଯେତେବେଳେ ରାଜସ୍ବ ଅଧିକାରୀ ଆମଠାରୁ ସହଯୋଗ ଚାହିଛନ୍ତି, ଆମେ ସହଯୋଗ କରିଛୁ। ଗୋଟିଏ ଟେଲିଫୋନ୍‌ କଲ୍‌ରେ ମଧ୍ୟ ଆମେ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଛୁ। ତେବେ ବେଆଇନ କାରବାରରେ ଆମର କୌଣସି ସଂପୃକ୍ତି ନାହିଁ।

ସମ୍ବନ୍ଧିତ ଖବର