‌ବେଆଇନ ନିର୍ମାଣରୁ ନିସ୍ତାର ନାହିଁ : ପାର୍କିଂ ପାଇଁ ଯାଞ୍ଚ କଡ଼ାକଡ଼ି, ଜନପଥ ଏବଂ ନନ୍ଦନକାନନ ରାସ୍ତାରେ ହେବ ଚଢ଼ଉ

ଖୁବ୍ ଶୀଘ୍ର ବସିବ ବିଏମ୍‌ସି-ବିଡିଏ ସମନ୍ବୟ ବୈଠକ, ସର୍ବକ୍ଷମାରେ ଆବେଦନ କରିଛନ୍ତି ମାତ୍ର ୨୮୦୦, ବ୍ୟାବସାୟିକ ପ୍ରତିଷ୍ଠାନ ଆବେଦନ କରୁନାହାନ୍ତି

ଭୁବନେଶ୍ବର : ଯେଉଁମାନେ ବ୍ୟାବସାୟିକ ପ୍ରତିଷ୍ଠାନ ନିର୍ମାଣ ସମୟରେ ପାର୍କିଂ ପାଇଁ ପ୍ଲାନ୍‌ ଅନୁମୋଦନ କରିଛନ୍ତି କିନ୍ତୁ ପାର୍କିଂ ଅଞ୍ଚଳ ରଖିନାହାନ୍ତି, ସେଗୁଡ଼ିକୁ ଖୋଜି ଖୋଜି ଚିହ୍ନଟ କରାଯିବ। ବିଏମ୍‌ସି ଓ ବିଡିଏର ମିଳିତ ଟିମ୍ ଏନେଇ ସର୍ଭେ କରିବେ। ଯେଉଁ ବ୍ୟାବସାୟିକ ପ୍ରତିଷ୍ଠାନ, ହୋଟେଲ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ନିର୍ମାଣ ସମୟରେ ଆବଶ୍ୟକ ପାର୍କିଂ ଅଞ୍ଚଳ ରଖିବେ ବୋଲି ସର୍ତ୍ତ ରଖିଥିଲେ, ସେମାନେ ଏବେ ରଖିଛନ୍ତି କି ନାହିଁ, ସେହି ସ୍ଥାନ ଏବେ କ’ଣ ‌‌ହେଉଛି, ଜାଣିବା ପାଇଁ ମିଳିତ ଟିମ୍ ସର୍ଭେ କରିବ। ଯଦି ପାର୍କିଂ ଅଞ୍ଚଳରେ ବେଆଇନ ନିର୍ମାଣ ହୋଇଥିବ, ତାକୁ ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଛି।

ଏହି ବେଆଇନ ନିର୍ମାଣ ଚିହ୍ନଟ ପ୍ରକ୍ରିୟା ଏବେ ଜନପଥ ଏବଂ ରାଜଭବନ-ନନ୍ଦନକାନନ ରୋଡ୍‌ରୁ ଆରମ୍ଭ ହେବ। ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ଖୁବ୍‌ଶୀଘ୍ର ବିଏମ୍‌ସି ଓ ବିଡିଏ ଅଧିକାରୀଙ୍କର ଏକ ବୈଠକ ବସିବ ବୋଲି ଜଣାପଡ଼ିଛି।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ବିଭିନ୍ନ ପ୍ରତିଷ୍ଠାନ ନିର୍ମାଣ ପାଇଁ ବିଡିଏ ଓ ବିଏମ୍‌ସି ପ୍ଲାନ୍ ଅନୁମୋଦନ କରିଛନ୍ତି। ତେଣୁ ଦୁଇଟି ସଂସ୍ଥା ମିଳିତ ଭାବେ ସର୍ଭେ କରିବେ। ବିଏମ୍‌ସିର ତିନିଟି ଯାକ ଜୋନ୍‌ର ଜୋନାଲ ଡେପୁଟି କମିସନରମାନଙ୍କ ନେତୃତ୍ବରେ ଟିମ୍ ଗଠନ ହେବ। ଏହି ଟିମ୍‌ରେ ବିଡିଏ ଓ ବିଏମ୍‌ସି ଅଧିକାରୀ ରହିବେ। ଏହାସହ ମିଳିତ ଉଚ୍ଛେଦକାରୀ ଟିମ୍‌ ରହିବେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି କମିସନରେଟ୍ ପୁଲିସର ବି ସହାୟତା ନିଆଯିବ। ଯେଉଁଠି ପାର୍କିଂ ନିୟମ ଉଲ୍ଲଂଘନ ହୋଇଥିବ, ସେଠାରେ ବେଆଇନ ନିର୍ମାଣକୁ ତୁରନ୍ତ ଉଚ୍ଛେଦ କରାଯିବ। ଏହାସହ ଜରିମାନା ବି ଆଦା‌ୟ ହେବ। ରାସ୍ତା ଉପରେ ଯେପରି କୌଣସି ଯାନବାହନ ପାର୍କିଂ ହେବନି, ତାହାକୁ ଗୁରୁତ୍ବ ଦିଆଯିବ।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଏବେ ଜନପଥରେ ବହୁ ବ୍ୟାବସାୟିକ ପ୍ରତିଷ୍ଠାନ, ହୋଟେଲ, ମଲ୍‌ ପାର୍କିଂ ପାଇଁ ପ୍ଲାନ୍ ଅନୁମୋଦନ କରାଇ ଥିଲେ ମଧ୍ୟ ପାର୍କିଂ ସୁବିଧା ଯୋଗାଉ ନାହାନ୍ତି। ଫଳରେ ଲୋକମାନେ ରାସ୍ତା ଉପରେ ଅବ୍ୟବସ୍ଥିତ ଢଙ୍ଗରେ ଗାଡ଼ି ପାର୍କିଂ କରୁଛନ୍ତି। ଏହାବାଦ୍ ବେଆଇନ ନିର୍ମାଣ ହେଉ ଥିବାରୁ ସହରରେ ବିଭିନ୍ନ ସମସ୍ୟା ଦେଖାଯାଉଛି।

ସେହିପରି ସର୍ବକ୍ଷମା ଯୋଜନା ଅନୁଯା‌ୟୀ, ଯେଉଁ ନିର୍ମାଣଗୁଡ଼ିକ ବେଆଇନ ‌ହୋଇଥିବ, ସେଗୁଡ଼ିକ ପାଇଁ ମାଲିକମାନେ ବିଡିଏ/ବିଏମ୍‌ସିରେ ଜରିମାନା ଦେଇ ନିର୍ମାଣକୁ ଆଇନ ସମ୍ମତ କରିବେ। ଏହାସହ ପାର୍କିଂ ବ୍ୟବସ୍ଥା ବି କରିବେ। ସର୍ବକ୍ଷମାରେ କେବଳ ନିୟମ ଅନୁଯାୟୀ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରି କ୍ଷମା ଦେବାକୁ ବ୍ୟବସ୍ଥା ଅଛି। ତେଣୁ ଯେଉଁମାନେ ପାର୍କିଂ ବ୍ୟବସ୍ଥା ରଖିନାହାନ୍ତି, ସେମାନଙ୍କଠାରୁ ଆମେ ଜରିମାନା ଆଦାୟ କରିବା ସହ ବେଆଇନ ନିର୍ମାଣକୁ ଭାଙ୍ଗିବୁ। ଯଦି ରାଜଧାନୀରେ ସବୁ ବ୍ୟାବସାୟିକ ପ୍ରତିଷ୍ଠାନରେ ଆବଶ୍ୟକ ପାର୍କିଂ ବ୍ୟବସ୍ଥା ରହିବ, ତେବେ ରାଜଧାନୀ‌‌‌ରେ ପାର୍କିଂ ସମସ୍ୟା ରହିବନି।

ସର୍ବକ୍ଷମାରେ ଆବେଦନ କରିଛନ୍ତି ମାତ୍ର ୨୮୦୦, ବ୍ୟାବସାୟିକ ପ୍ରତିଷ୍ଠାନ ଆବେଦନ କରୁନାହାନ୍ତି

ସର୍ବକ୍ଷମା ଯୋଜନା ବିଜ୍ଞପ୍ତିକୁ ୧୬ମାସ ହେଲାଣି। ଜୁନ୍ ୨୦, ୨୦୧୮ରେ ପ୍ରଥମେ ୬ମାସ ପାଇଁ ଆସିଥିବା ଏହି ଯୋଜନାକୁ ପରବର୍ତ୍ତୀ ସମୟରେ ଆହୁରି ୬ମାସ ବଢ଼ା ଯାଇଥିଲା। ଏହି ବର୍ଷକ ମଧ୍ୟରେ ପ୍ରାୟ ୨୩୦୦ଜଣ ବିଡିଏରେ ଆବେଦନ କରିଥିଲେ। ସର୍ବକ୍ଷମା ଯୋଜନା ଫେଲ୍‌ ମାରିବା ନେଇ ନଗର ଉନ୍ନୟନ ବିଭାଗ ଅନୁଭବ କରିବା ପରେ ଏଥିରେ ଥିବା ନିୟମରେ ସଂଶୋଧନ ଆଣି ସେଟ୍‌ବ୍ୟାକ୍, ପାର୍କିଂ, କମ୍ପାଉଣ୍ଡିଂ ଫି’ ଆଦି କମାଇ ପୁଣି ଗତ ଅଗଷ୍ଟ ମାସରେ ୬ମାସ ପାଇଁ ବଢ଼ାଇଥିଲେ। ଫେବ୍ରୁଆରିରେ ସର୍ବକ୍ଷମା ଅବଧି ପୂରଣ ହେବାକୁ ଥିବା ବେଳେ ଏବେ ସୁଦ୍ଧା ବିଡିଏରେ ଆଉ ପ୍ରାୟ ୫୦୦ଜଣ ଆବେଦନ କରିଛନ୍ତି। ଏହିପରି ପ୍ରାୟ ୨୮୦୦ଜଣ ଆବେଦନ କରିଛନ୍ତି। ହେଲେ ଯେଉଁମାନେ ପ୍ରକୃତ ଉଲ୍ଲଂଘନକାରୀ ଏବଂ ଯେଉଁମାନଙ୍କ ଯୋଗୁଁ ରାଜଧାନୀରେ ସମସ୍ୟା ହେଉଛି, ସେମାନେ ବିଡିଏରେ ଆବେଦନ କରୁନାହାନ୍ତି।

ବିଡିଏ କର୍ତ୍ତୃପକ୍ଷ ସେପରି ଆଖିଦୃଶିଆ ପଦକ୍ଷେପ ନେଉ ନଥିବାରୁ ନିୟମ ଉଲ୍ଲଂଘନକାରୀ ହାଲ୍‌କା ହୋଇ ଯାଉଛନ୍ତି।

ଯଦି ବିଡିଏ ପାର୍କିଂ ନିୟମ ଉଲ୍ଲଂଘନ କରିଥିବା ବ୍ୟାବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ହୋଟେଲ, ରେସ୍ତୋରାଁ, ଆପାର୍ଟମେଣ୍ଟ, ମଲ୍‌ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ସର୍ବକ୍ଷମା ଯୋଜନାରେ ସାମିଲ୍‌ ହେବାକୁ ବାଧ୍ୟ କରିପାରିବ, ତେବେ ଏହି ଯୋଜନା ସଫଳ ହେବ ବୋଲି କୁହାଯାଉଛି। ଏହାଦ୍ବାରା ପାର୍କିଂ ସମସ୍ୟା ସମାଧାନ ହୋଇପାରିବ ଏବଂ ବିଡିଏ ବି ଜରିମାନା ଆକାରରେ ପ୍ରାୟ ୨୦୦ କୋଟି ରାଜସ୍ବ ପାଇପାରିବ।

ସମ୍ବନ୍ଧିତ ଖବର