ଆସିବ ସର୍ବକ୍ଷମା ଯୋଜନା : ବର୍ଗଫୁଟ ପିଛା ୫୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେଇ ନିୟମିତ କରିହେବ ବେଆଇନ ନିର୍ମାଣ

ବହୁତଳ ପ୍ରସାଦ, ଆପାର୍ଟମେଣ୍ଟ, ହସ୍ପିଟାଲ, କ୍ଲିନିକ, ସିନେମା ହଲ୍‌ ଆଦି କ୍ଷେତ୍ରରେ ନିୟମ କୋହଳ କରାଯିବନି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସହରାଞ୍ଚଳ ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଆବାସିକ ଘର, ଆପାର୍ଟମେଣ୍ଟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ହସ୍ପିଟାଲ, ବିଭିନ୍ନ ପ୍ରକଳ୍ପ ଆଦିକୁ ରେଗୁଲାରାଇଜ୍‌ କରାଯିବ। ଯେତିକି ନିୟମ ଅଛି, ତା’ଠାରୁ ଅଧିକ ନିର୍ମାଣ କରିଥିଲେ ବି ଏହାକୁ ଭଙ୍ଗାଯିବନି। କେବଳ କିଛି ଜରିମାନା ଦେଇଦେଲେ ବେଆଇନ ଘର ରେଗୁଲାରାଇଜ୍‌ ହୋଇଯିବ। ଏଥିପାଇଁ ନଗର ଉନ୍ନୟନ ବିଭାଗ ସର୍ବକ୍ଷମା ଯୋଜନା ଆଣିବାକୁ ଯାଉଛି। ଜୁନ୍‌ ମାସରେ ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବାକୁ ଯୋଜନା କରିଥିବାରୁ ଏହା ପୂର୍ବରୁ ବିଭିନ୍ନ ବିଭାଗର ମତାମତ ଲୋଡ଼ା ଯାଇଛି। ନଗର ଉନ୍ନୟନ ବିଭାଗ ପ୍ରସ୍ତୁତ କରିଥିବା ଗାଇଡଲାଇନ୍‌ରେ କିଛି ସଂଶୋଧନ ଆଣିବାକୁ ଥିଲେ ପ୍ରସ୍ତାବ ଦେଇପାରିବେ ବୋଲି କୁହାଯାଇଛି। ସର୍ବକ୍ଷମା ଆଇନ ପୂରା ରାଜ୍ୟରେ ଲାଗୁ ହେବ।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆସିବାକୁ ଥିବା ସର୍ବକ୍ଷମା ଯୋଜନା ଯେପରି ସଫଳ ହେବ, ଅଧିକ ଲୋକ ଉପକୃତ ହୋଇପାରିବେ ସେଥିପାଇଁ ବିଭିନ୍ନ ବିଭାଗର ମତାମତ ଲୋଡ଼ାଯାଇଛି। ବହୁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗ୍ରାମାଞ୍ଚଳ ରହୁଥିବାରୁ ପଞ୍ଚାୟତିରାଜ ବିଭାଗ, ସମସ୍ତ ଉଚ୍ଚ ଅଟ୍ଟାଳିକା ପାଇଁ ଅଗ୍ନିଶମ ବିଭାଗର ଏନ୍‌ଓସି ଆବଶ୍ୟକ ଥିବାରୁ ଗୃହ ବିଭାଗର, ବହୁ ହସ୍ପିଟାଲ ଓ କ୍ଲିନିକ୍‌ ବେଆଇନ ଭାବେ ଗଢ଼ି ଉଠିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବହୁ ଶିକ୍ଷାନୁଷ୍ଠାନ ଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗର, ନିର୍ମାଣ ଜନିତ ଆଇନ ହୋଇଥିବାରୁ ପୂର୍ତ୍ତ ବିଭାଗର, ଜଙ୍ଗଲ ଓ ପରିବେଶ ବିଭାଗ, ରାଜସ୍ୱ ବିଭାଗ, ବିମାନବନ୍ଦର କର୍ତ୍ତୃପକ୍ଷ, ଏଏସ୍‌ଆଇ, ଆଇନ ବିଭାଗର ମତାମତ ଲୋଡ଼ିଛୁ। ସେମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ମତାମତ ଦେବାକୁ କହିଛୁ। ଯଦି ଏହି ସମୟରେ କିଛି ପ୍ରସ୍ତାବ ନ ଆସେ ତେବେ ଆମେ ଯେଉଁ ଗାଇଡଲାଇନ୍‌ ପ୍ରସ୍ତୁତ କରିଛୁ ତାହାକୁ ଲାଗୁ କରାଯିବ।

ଏହି ନିୟମ ଆଇନ ବିଭାଗ ଦ୍ୱାରା ପାରିତ ହେବା ପରେ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଯିବ। ଏହାପରେ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବ ଆସିବ। କ୍ୟାବିନେଟ ଅନୁମୋଦନ କଲେ ଏହା ଲାଗୁ ହେବ। ଏଥିପାଇଁ ପ୍ରାୟ ଦେଢ଼ମାସ ଲାଗିବ। ତେଣୁ ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ସର୍ବକ୍ଷମା ଯୋଜନା ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥର ୪ ପ୍ରକାରର ଜରିମାନା ଆଦାୟ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ଗ୍ରାମାଞ୍ଚଳ, ଏନ୍‌ଏସି, ମ୍ୟୁନିସିପାଲଟି ଓ ମହାନଗର ନିଗମ ଅଞ୍ଚଳ। ଜରିମାନା ରାଶି ପ୍ରତି ବର୍ଗଫୁଟ ପିଛା ପ୍ରାୟ ୫୦ଟଙ୍କାରୁ ଆରମ୍ଭ କରି ପ୍ରାୟ ୩୦୦ଟଙ୍କା ପର୍ଯ୍ୟନ୍ତ ରଖିବାକୁ ସ୍ଥିର ହୋଇଛି।

ଗ୍ରାମାଞ୍ଚଳ ପାଇଁ ସର୍ବକ୍ଷମାରେ ଗୋଟିଏ ପ୍ରକାରର ଜରିମାନା, ଏନ୍‌ଏସି ଓ ମ୍ୟୁନିସିପାଲଟି ପାଇଁ ଗୋଟିଏ ମୂଲ୍ୟ ଏବଂ ମହାନଗର ନିଗମ ଅଞ୍ଚଳ ପାଇଁ ଗୋଟିଏ ମୂଲ୍ୟ ଧାର୍ଯ୍ୟ ହୋଇଛି। ଏହାବାଦ୍‌ ବହୁତଳ ପ୍ରସାଦ ଯେପରି ଆପାର୍ଟମେଣ୍ଟ, ହସ୍ପିଟାଲ, କ୍ଲିନିକ, ଗୃହ ପ୍ରକଳ୍ପ ଆଦି ପାଇଁ ଗୋଟିଏ ପ୍ରକାରର ଜରିମାନା ଆଦାୟ ହେବ। ଧାର୍ଯ୍ୟ ଜରିମାନା ଯେପରି ସମସ୍ତେ ଦେଇପାରିବେ ଏବଂ ଅଧିକରୁ ଅଧିକ ଲୋକ ସାମିଲ୍‌ ହୋଇପାରିବେ, ଅଧିକ ବେଆଇନ ଘର ଆଇନସମ୍ମତ ହୋଇପାରିବ, ସେହିଭଳି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳରେ ହୋଇଥିବା ଘର ପାଇଁ ବହୁତ କମ୍‌ ଜରିମାନା ଧାର୍ଯ୍ୟ ହୋଇଛି। ବର୍ଗଫୁଟ ପିଛା ପ୍ରାୟ ୫୦ଟଙ୍କା। ଏନ୍‌ଏସି ଓ ମ୍ୟୁନିସିପାଲଟି ପାଇଁ ଏହାଠାରୁ ଟିକେ ଅଧିକ ଜରିମାନା ରହିବ। ମହାନଗର ନିଗମରେ ଗତ ଥର ଅପେକ୍ଷା ପ୍ରାୟ ଦୁଇଗୁଣା ଜରିମାନା ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ସହରାଞ୍ଚଳରେ ଜମି ମୂଲ୍ୟ ଅଧିକ ବଢ଼ି ଯାଇଥିବାରୁ ଜରିମାନା ସେହି ଅନୁଯାୟୀ ଧାର୍ଯ୍ୟ ହୋଇଛି।

ଗୋଟିକିଆ ଘର ପାଇଁ ସର୍ବକ୍ଷମାରେ କୋହଳ ନୀତି ଆପଣାଯିବ। ଯଦି ଘର ନିର୍ମାଣ ସମୟରେ ଚାରିକଡ଼େ କିଛି ସ୍ଥାନ ଛାଡ଼ି ନଥିବେ ତେବେ ତାଙ୍କଠାରୁ ସର୍ବକ୍ଷମାରେ ଜରିମାନା ନେଇ ପ୍ଲାନ୍‌ ଦେଇ ଦିଆଯିବ। କିନ୍ତୁ ବହୁତଳ ପ୍ରସାଦ, ଆପାର୍ଟମେଣ୍ଟ, ହସ୍ପିଟାଲ, କ୍ଲିନିକ, ସିନେମା ହଲ୍‌ ଆଦି କ୍ଷେତ୍ରରେ ନିୟମ କୋହଳ କରାଯିବନି। ଏଠାରେ ଚାରିପାର୍ଶ୍ୱରେ ଯେତିକି ଜମି ଛାଡ଼ିବାକୁ ଧାର୍ଯ୍ୟ ହୋଇଛି, ସେତିକି ଛାଡ଼ି ନଥିଲେ ସର୍ବକ୍ଷମାରେ ସାମିଲ୍‌ କରାଯିବନି। ଏଠାରେ କେବଳ ପ୍ଲାନ୍‌ଠାରୁ ଅଧିକ ଉଚ୍ଚତା ବା ଅଧିକ ଘର ନିର୍ମାଣ ହୋଇଥିଲେ ଛାଡ଼ ଦିଆଯାଇପାରେ ବୋଲି ଆପାତତଃ ସ୍ଥିର ହୋଇଛି।

ସୂଚନାଯୋଗ୍ୟ ଯେ ୨୦୦୭-୦୮ରେ ପ୍ରଥମ ସର୍ବକ୍ଷମା ଯୋଜନା ଆସିଥିଲା। ଏହା ବିଡିଏ ଓ ସିଡିଏ ଅଞ୍ଚଳରେ ଲାଗୁ ହୋଇଥିଲା। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହା ଅଣାଯାଇଥିଲା, ତାହା ସଫଳ ହେଲାନି। ବିଡିଏରେ ପ୍ରାୟ ୪ହଜାର ଜଣ ଆବେଦନ କରିଥିବା ବେଳେ ଏଥିରୁ ବିଡିଏ ପ୍ରାୟ ୧୮କୋଟି ରାଜସ୍ୱ ପାଇଥିଲା। ସେତେବେଳେ ସର୍ବକ୍ଷମା ଯୋଜନା ଉଦ୍ଦେଶ୍ୟ ସାଧିତ ହେଲାନି ବୋଲି ବିଡିଏ ପକ୍ଷରୁ କୁହାଯାଇଥିଲା। ୨୦୦୭ ମସିହାରେ କେବଳ ଅନୁମୋଦିତ ପ୍ଲାନ୍‌ ଓ ବିନା ପ୍ଲାନ୍‌ ଘର ନିର୍ମାଣକୁ ସର୍ବକ୍ଷମାରେ ସାମିଲ୍‌ କରାଯାଇଥିଲା। ତାହା ପୁଣି ବହୁ ସର୍ତ୍ତ ରଖି। ସେତେବେଳେ ଯିଏ ପାଇଥିବା ପ୍ଲାନ୍‌ଠାରୁ ଅଧିକ ନିର୍ମାଣ କରିଥିଲେ, ସେମାନଙ୍କଠାରୁ ବର୍ଗଫୁଟ ପିଛା ୨୫ଟଙ୍କା, ଆପାର୍ଟମେଣ୍ଟ, ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଘରୁ ବର୍ଗଫୁଟ ପିଛା ୧୦୦ଟଙ୍କା ଆଦାୟ ହୋଇଥିଲା। ଯେଉଁଗୁଡ଼ିକ ବିନା ପ୍ଲାନରେ ନିର୍ମାଣ ହୋଇଥିଲା, ସେଥିରୁ ଯଥାକ୍ରମେ ୫୦ ଓ ୨୦୦ଟଙ୍କା ଆଦାୟ ହୋଇଥିଲା। ଫଳରେ ଏତେ ଟଙ୍କା ଦେଇ ଲୋକ ରେଗୁଲାରାଇଜ୍‌ କରିବାକୁ ପସନ୍ଦ କରିନଥିଲେ।

ସମ୍ବନ୍ଧିତ ଖବର