କମିସନର୍‌ଙ୍କ ନିର୍ଦ୍ଦେଶକୁ ବେଖାତିର : ଏଯାଏଁ ଲାଗିଲାନି ନୋଟିସ୍‌, ଏବେ ବି ଫ୍ଲାଏଓଭର ତଳ ଅଘୋଷିତ ଗ୍ୟାରେଜ

ଭୁବନେଶ୍ବର : ଫ୍ଲାଏ ଓଭର କିମ୍ବା ରେଲୱେ ଓଭରବ୍ରିଜ୍‌ ତଳେ ପାର୍କିଂ ମନା। ଏଠାରେ ଗାଡ଼ି ରଖିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ବାରମ୍ବାର ଏହି ନିର୍ଦ୍ଦେଶ ଅମାନ୍ୟ କଲେ ଗାଡ଼ି ଜବତ ହେବ। ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ ପୁଲିସ କମିସନର ସତ୍ୟଜିତ ମହାନ୍ତି। ଓଭରବ୍ରିଜ୍‌ ଓ ଫ୍ଲାଏଓଭର ତଳେ ବର୍ଷ ବର୍ଷ ଧରି ପଡ଼ିରହୁଥିବା ଭଙ୍ଗାଦଦରା ଗାଡ଼ି ଓ ଏଠାରେ ପାର୍କିଂ ହେଉଥିବା ଗାଡ଼ି, ଟ୍ରକ୍‌ ଓ କାର୍‌ଗୁଡ଼ିକ ଯୋଗୁଁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ହେଲା। ଏ ନେଇ ଟ୍ରାଫିକ୍‌ ଥାନାକୁ ନିର୍ଦ୍ଦେଶ ଦିଆଗଲା। ଗାଡ଼ି ମାଲିକ ନ ମିଳିଲେ ଗାଡ଼ି ଉପରେ ନୋଟିସ୍‌ ଲଗାଯିବ। ଏଭଳି କାମ ଲଗାତାର ଚାଲିବ। କୌଣସି ପରିସ୍ଥିତିରେ ଏଠାରେ ପାର୍କିଂ ହେବ ନାହିଁ ବୋଲି ନିୟମ କଡ଼ାକଡ଼ି କରାଗଲା। ହେଲେ ନିର୍ଦ୍ଦେଶନାମା ଜାରି ହେବା‌ର ୨୪ ଦିନ ବିତିଗଲା; ଏବେ ବି ବଦଳିଲାନି ଫ୍ଲାଏଓଭର ତଳର ଦୃଶ୍ୟ। ଲକ୍ଷ୍ମୀସାଗର ଫ୍ଲାଏଓଭର୍‌ ତଳେ ସେମିତି ଭଙ୍ଗାଦଦରା ଗାଡ଼ି ଥୁଆ ହୋଇଛି। ବମିଖାଲ ଓଭରବ୍ରିଜ୍‌ ତଳେ ସେମିତି ଦିନ ଓ ରାତି ଧାଡ଼ି ଧାଡ଼ି ହୋଇ ବାଇକ୍‌ ଓ ଚାରିଚକିଆ ଯାନ ପାର୍କ ହେଉଛି। ରସୁଲଗଡ଼ ଛକରେ ଯେଉଁଠି ପୂର୍ବରୁ କେବଳ ଟ୍ରକ୍‌ ମାଳମାଳ ଥୁଆଯାଉଥିଲା ଏବେ ସେଠି ଅଟୋଙ୍କ ରାଜୁତି। ହେଲେ କମିସନନରେଟ୍‌ ପୁଲିସ ପକ୍ଷରୁ ସେମିତି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଯାଏଁ ନୋଟିସ୍‌ ବି ଲାଗିଲାନି।

ଜୁନ୍‌ ୨୪ ତାରିଖରେ ‘ସମ୍ବାଦ’ରେ ‘ଫ୍ଲାଏଓଭର୍ ତଳ: ଅଘୋଷିତ ଗ୍ୟାରେଜ, ବେଆଇନ୍ ପାର୍କିଂ ସ୍ଥଳ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ କମିସନରେଟ୍‌ ପୁଲିସ ତତ୍ପର ହୋଇଉଠିଥିଲା। କିନ୍ତୁ ନିର୍ଦ୍ଦେଶ କେବଳ କଥାରେ ରହିଯାଇଥିବା ବେଳେ ତୃଣମୂଳସ୍ତରରେ କାମ ସମ୍ପୂର୍ଣ୍ଣ ଶୂନ। ସହରର ଅନ୍ୟ ଫ୍ଲାଏଓଭରଗୁଡ଼ିକ ଅପେକ୍ଷା କଟକ ରୋଡ୍‌ର ଲକ୍ଷ୍ମୀସାଗର ଓ ରସୁଲଗଡ଼ ଫ୍ଲାଏ ଓଭର୍ ଅବସ୍ଥା ସାଂଘାତିକ। ରସୁଲଗଡ଼ ଫ୍ଲାଏ ଓଭର୍‌ ତଳେ ଟ୍ରକ, ଅଟୋ ଓ କ୍ରେନ୍‌ ବେଧଡ଼କ ପାର୍କିଂ ହେଉଛି। ଏଠାରେ ଗୋଟିଏ ପଟେ ନିଆରା କଳାକୃତି ଦ୍ବାରା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁଥିବା ବେଳେ ଏହି ବେଆଇନ ପାର୍କିଂ ଏକ ଅଶୋଭନୀୟ ପରିବେଶ ସୃଷ୍ଟି କରିଛି। କିଛି ଅବ୍ୟବହୃତ ଭଙ୍ଗା ଦଦରା ଗାଡ଼ି ମଧ୍ୟ ମାସମାସ ଧରି ପଡ଼ି ରହିଛି। ସେହିଭଳି ଲକ୍ଷ୍ମୀସାଗର ଫ୍ଲାଏ ଓଭର୍ ତଳ ପୁରୁଣା ଭଙ୍ଗା ଗାଡ଼ି ଓ ଭଙ୍ଗା କେବିନ୍‌ର ଗ୍ୟାରେଜ ପାଲଟିଛି। ବାକି ଜାଗାରେ ଟ୍ରକ୍ ପାର୍କିଂ ହେଉଛି। ଜାଗା ବଳିଲେ ଲୋକମାନେ ନିଜ ଗାଡ଼ି ପାର୍କିଂ କରି ମାର୍କେଟିଂ କରିବା ପାଇଁ ଯାଉଛନ୍ତି। ଫଳରେ ରାସ୍ତାର ଅପରପାର୍ଶ୍ବ ଆଦୌ ଦେଖାଯାଉନାହିଁ। ନୂଆ କରି ନିର୍ମାଣ ହୋଇଥିବା ବମିଖାଲ ଫ୍ଲାଏଓଭର୍ ତଳ ଅବସ୍ଥା ବି ତଦ୍ରୂପ। ଦିନତମାମ ଶତାଧିକ ମୋଟର୍ ସାଇକେଲ୍‌ ଓ କାର୍ ସେଠାରେ ପାର୍କିଂ ହେଉଛି।

ସମ୍ବନ୍ଧିତ ଖବର