ବାଲି ମାଫିଆଙ୍କ କବ୍‌ଜାରେ ତିନି ନଦୀ : କୁଆଖାଇ, କୁଶଭଦ୍ରା ଓ ଦୟାରୁ ଦୈନିକ ୫ହଜାର ଟ୍ରିପ୍‌ ବାଲି ଚୋରା ଚାଲାଣ

ବାଲିଅନ୍ତା (ନିରଞ୍ଜନ ସେନାପତି): କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀ ଏବେ ବାଲି ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ଦିନରୁ ରାତି ପର୍ଯ୍ୟନ୍ତ ବେଧଡ଼କ ଭାବେ ବାଲି ଉଠାଣ ଚାଲିଛି। ପ୍ରଶାସନର ସବୁ ନିୟମକୁ ବେଖାତିର କରି କେତେକ ବାଲିଘାଟ ନିଲାମଧାରୀ ଓ ମାଫିଆ ବାଲି ଚାଲାଣ କରୁଛନ୍ତି। ହେଲେ ସରକାରଙ୍କ ଏହି ରାଜସ୍ୱ ବ୍ୟବସ୍ଥାର ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଏହା ଉପରେ ରୋକ୍‌ ଲଗାଇବା ବଦଳରେ ବାଲି ମାଫିଆଙ୍କ ହାତରେ ସର୍ବସ୍ୱ ଟେକି ଦେଇଛନ୍ତି। ଫଳରେ ଏହି ଅଞ୍ଚଳରୁ ଦୈନିକ ପାଖାପାଖି ୫ ହଜାର ଟ୍ରିପ ବାଲି ବେଆଇନ୍‌ ଭାବେ ଚାଲାଣ ହେଉଛି।

ଘାଟ ନିଲାମଧାରୀମାନେ ନଦୀ ପଠାରେ ଥିବା ନିଜର ରାଜସ୍ୱ ପରିସରଭୁକ୍ତ ସୀମା ଡେଇଁ ନିଲାମ ହୋଇନଥିବା ଅନ୍ୟ ତହସିଲ ସୀମା ଅଞ୍ଚଳର ବାଲିଘାଟରୁ ବାଲି ତାଡ଼ୁଛନ୍ତି। ନଦୀ ଭିତରେ ଏକାଧିକ ଡଙ୍ଗା ବୁଲାଇ ପାଇପ୍‌ ସଂଯୁକ୍ତ ଭ୍ୟାକୁମ୍‌ ମେସିନ ସାହାଯ୍ୟରେ ମଧ୍ୟ ବାଲି ତାଡ଼ି ନେଉଛନ୍ତି। ନଦୀପଠା ସଂଲଗ୍ନ ଅଞ୍ଚଳ ମଧ୍ୟ ବାଦ୍‌ ପଡ଼ୁନି। ଫଳରେ ନଦୀ ବନ୍ଧରୁ ପଡ଼ିଥିବା ରାସ୍ତାଘାଟ ବି ଧିରେଧିରେ ନଷ୍ଟ ହେବାରେ ଲାଗିଲାଣି। ଯିବାଆସିବା କରିବାରେ ଅସୁବିଧା ହେଉଥିଲେ ମଧ୍ୟ ନିଲାମଧାରୀଙ୍କ ଭୟରେ ନଦୀ ଉପକୂଳବାସୀ ମୁହଁ ଖୋଲୁ ନାହାନ୍ତି। ଅନ୍ୟପକ୍ଷରେ ଘାଟ ନିଲାମଧାରୀଙ୍କ ଠାରୁ ବେଶି ବଳି ପଡ଼ିଛି ଚୋରା ବାଲିଘାଟ ମାଫିଆଙ୍କ ଉତ୍ପାତ। ବାଲି ଚାଲାଣର ଚେର ତିନି ଜିଲ୍ଳା ଖୋର୍ଦ୍ଧା, କଟକ ଓ ପୁରୀକୁ ଲମ୍ବିଥିବାରୁ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ହେଲେ ପ୍ରଶାସନ ସବୁ ଜାଣିକି ବି ଅନ୍ଧ ପାଲଟିଯାଇଛି।

୮ ରୁ ୩ଟି ବନ୍ଦ

୨୦୧୫-୧୬ରୁ ୨୦୧୯-୨୦ ମସିହା ପର୍ଯ୍ୟନ୍ତ ୫ ବର୍ଷ ପାଇଁ ବାଲିଅନ୍ତା ତହସିଲ ଅଞ୍ଚଳରେ ନିଲାମ ହୋଇଥିବା ମୋଟ ୮ଟି ବାଲିଘାଟରୁ ଏବେ ୩ଟି ବନ୍ଦ କରାଯାଇଛି। ସୂଚନା ଅନୁସାରେ, କୁଶଭଦ୍ରା ନଦୀର ବାଲିଅନ୍ତା, ଭୁବନପୁର, ପ୍ରତାପରୁଦ୍ରପୁର, ମହୁଖଣ୍ଡା, ଭିଙ୍ଗାରପୁରରେ ବାଲିଘାଟ ଥିବା ବେଳେ ଭାର୍ଗବୀ ନଦୀରେ ପ୍ରତାପଶାସନ, ଝିଣ୍ଟି ଶାସନ ଏବଂ କୁଆଖାଇରେ ଉମାଦେଈବ୍ରହ୍ମପୁର ବାଲିଘାଟ ନିଲାମ ପରିସରଭୁକ୍ତ। ହେଲେ ଦୁଇମାସ ହେଲା ଉମାଦେଈବ୍ରହ୍ମପୁର ଓ ଭୁବନପୁର ବାଲିଘାଟ ବନ୍ଦ କରାଯାଇଛି। ପରିବେଶ ମଞ୍ଜୁରି ଅନୁମତି ପତ୍ର ନଥିବାରୁ ଘାଟ ବନ୍ଦ ରହିଥିବା ଜଣେ ଅଧିକାରୀ କହିଛନ୍ତି। ସେହିପରି ପୋଲ ଭୁଶୁଡ଼ି ପଡ଼ିବା ଆଶଙ୍କାରେ ବାଲିଅନ୍ତା ବାଲିଘାଟ ବନ୍ଦ ରହିଥିବା ସ୍ଥାନୀୟ ତହସିଲଦାର କହିଛନ୍ତି। ଅନ୍ୟ ବାଲିଘାଟ ଗୁଡ଼ିକ ଚାଲିଥିଲେ ମଧ୍ୟ ସେଗୁଡ଼ିକୁ ପରିବେଶ ମଞ୍ଜୁରି ମିଳିଛି କି ନାହିଁ କେହି ଉତ୍ତର ଦେବାକୁ ନାରାଜ। ଆଉ ବନ୍ଦ ରହିଥିବା ବାଲିଘାଟରୁ ବାଲି ଉଠାଣ ହେଉଥିଲେ ହେଁ କେହି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି।

୩ ବର୍ଷରେ ଆଦାୟ ହୋଇଛି ୧୫ଲକ୍ଷ ଜରିମାନା

୨୦୧୬-୧୭ ବର୍ଷରୁ ଆଜିଯାଏ ନଦୀର ବିଭିନ୍ନ ଘାଟରେ ପ୍ରଶାସନ ଚଢ଼ଉ କରି ବେଆଇନ ବାଲି ଓ ମାଟି ଉଠାଣକାରୀ ଗାଡ଼ି ଜବତ କରି୧୫ ଲକ୍ଷରୁ ଊର୍ଧ୍ୱ ଟଙ୍କା ଜରିମାନା ଆକାରରେ ଆଦାୟ କରିଥିବା ତହସିଲଦାର ଅକ୍ଷୟ କୁମାର ରାଉତ କହିଛନ୍ତି। ଚୋରା ମାଙ୍କଡ଼ାପଥର ଗାଡ଼ି ମଧ୍ୟ ଜବତ ହୋଇଛି।

ପ୍ରଦୂଷଣ ନିୟମକୁ ଫୁ

ପ୍ରଦୂଷଣ ବୋର୍ଡ ନିୟମକୁ ଖୋଲାଖୋଲି ଉଲ୍ଲଂଘନ ହେଉଛି। ବାଲି ଚାଲାଣ ବେଳେ ଗାଡ଼ି ଉପରେ ଜରିପାଲ ପଡ଼ୁନି କି ଖରାଦିନେ ବାଲି ଲୋଡ୍‌ ହେବା ପରେ ଏହା ଉପରେ ପାଣି ପକା ଯାଉନି। ରାସ୍ତା ଉପରେ ଜମୁଥିବା ବାଲିର ଆସ୍ତରଣ ବି ସଫା ହେଉନି। ନଦୀଘାଟ ଓ ରାସ୍ତାର ମରାମତି ପାଇଁ ବର୍ଷକୁ ନିଲାମଧାରୀମାନେ ପ୍ରଦୂଷଣ ବୋର୍ଡ କାର୍ଯ୍ୟାଳୟ କିମ୍ବା ଜିଲ୍ଲା ଦପ୍ତରରେ ପୈଠ କରୁଥିବା ଅଢ଼େଇ ଲକ୍ଷ ଟଙ୍କା ମଧ୍ୟ ରକ୍ଷଣାବେକ୍ଷଣ ପାଇଁ ବିନିଯୋଗ ହେଉନି। ତେବେ ବାଲିଅନ୍ତା ଓ ଭୁବନେଶ୍ୱର ତହସିଲଦାରମାନଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ ସୀମା ବିବାଦ ତୁଟିପାରୁନି। କିଛି ଦିନ ତଳେ ବାଲିଅନ୍ତା ତହସିଲଦାର ବାଲିଅନ୍ତା ସୀମା ଚିହ୍ନଟ କରିଥିବା ବେଳେ ଭୂତତ୍ତ୍ୱ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପୁନର୍ବାର ଏହାର ସୀମା ନିର୍ଣ୍ଣୟ ହେବ ବୋଲି ଭୁବନେଶ୍ୱର ତହସିଲଦାର ଶୁଭେନ୍ଦୁ ସାହୁ କହିଛନ୍ତି।

ନଦୀ ବନ୍ଧ ଦୁର୍ବଳ ହୋଇଗଲାଣି
ବାଲି ଉଠାଣ ହେବା ଯୋଗୁ ନଦୀବନ୍ଧ ଦୁର୍ବଳ ହୋଇପଡ଼ୁଛି। ବନ୍ୟା ଆସିଲେ କୁଆଖାଇ ନଦୀ କୂଳ ଲଂଘି ଆଖପାଖ ୬ଖଣ୍ଡ ଗ୍ରାମ ଜଳାର୍ଣ୍ଣବ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉ ।
ଲିଙ୍ଗରାଜ ସାହୁ , ବଇଁଚୁଆ , ବିଲସାହି

କଂକ୍ରିଟ୍‌ ରାସ୍ତା ଫାଟିଗଲାଣି
ପଞ୍ଚାୟତ ଓ ବ୍ଲକ ଅଞ୍ଚଳର ପ୍ରମୁଖ ରାସ୍ତା ଦେଇ ବାଲି ନେଇ ଭାରୀଯାନ ଯିବାଆସିବା କରିବା ଦ୍ୱାରା କଂକ୍ରିଟ ରାସ୍ତା ସବୁ ନଷ୍ଟ ହୋଇପଡ଼ୁଛି। ନଦୀବନ୍ଧର ଘାଟ ବି ଧିରେଧିରେ ଦୁର୍ବଳ ହେଲାଣି। ପ୍ରଦୂଷଣବୋର୍ଡ଼ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଦରକାର।
ବିଜୟ କୁମାର ସାହୁ, ବଇଁଚୁଆ ସରପଞ୍ଚ

ସମ୍ବନ୍ଧିତ ଖବର