କ୍ୟାମ୍ପସର ସୌନ୍ଦର୍ଯ୍ୟ ବଢ଼ିବ ଏମ୍‌ଏନ୍‌ୟୁ ସହ ହେବ ରାଜିନାମା

ଛାତ୍ର ବିନିମୟ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବ ଉତ୍କଳ ବିଶ୍ୱବିିଦ୍ୟାଳୟ

ଭୁବନେଶ୍ୱର: ବାହାର ଦେଶ ସହ ଛାତ୍ର-ଶିକ୍ଷକ ବିନିମୟ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବ ଉତ୍କଳ ବିଶ୍ୱବିଦ୍ୟାଳୟ। ପୂର୍ବରୁ କିଛି ଦେଶର ବିଶ୍ୱବିଦ୍ୟାଳୟ ସହ ଛାତ୍ର ବିନିମୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏବେ ଉତ୍କଳ ବିଶ୍ୱବିଦ୍ୟାଳୟର କାର୍ମିକ ପରିଚାଳନା ଓ ଶୈଳ୍ପିକ ସମ୍ପର୍କ (ପିଏମ୍‌ଆଇଆର୍‌) ବିଭାଗ ଓ ମାଲଦ୍ୱୀପ ନ୍ୟାସନାଲ ୟୁନିଭରସିଟି (ଏମ୍‌ଏନ୍‌ୟୁ) ସହ ଛାତ୍ର ଓ ଶିକ୍ଷକ ବିନିମୟ କାର୍ଯ୍ୟକ୍ରମ କରାଯିବ। ଏନେଇ ଖୁବ୍‌ଶୀଘ୍ର ରାଜିନାମା ହେବାକୁ ଯାଉଛି।

ପିଏମ୍‌ଆଇଆର୍‌ ବିଭାଗ ପ୍ରଫେସର୍‌ ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି ଯେ ଏହାଦ୍ୱାରା ଦକ୍ଷିଣ ଏସିଆ ତଥା ସାର୍କ ଦେଶଗୁଡ଼ିକ ସହ ଉତ୍କଳ ବିଶ୍ୱବିଦ୍ୟାଳୟର ସମ୍ପର୍କ ସୁଦୃଢ଼ ହୋଇପାରିବ। ନିବିଡ଼ତା ମଧ୍ୟ ବଢ଼ିବ। ଉଭୟ ପରସ୍ପରର ସଂସ୍କୃତି ସମ୍ପର୍କରେ ଅବଗତ ହୋଇପାରିବେ। ପିଲାମାନେ ବିଶେଷ ଉପକୃତ ହେବେ। ଛାତ୍ରଛାତ୍ରୀ ନିଜ କାର୍ଯ୍ୟରେ ଯୋଗଦେବା ସମୟରେ ଆଉ କଷ୍ଟକର ହେବ ନାହିଁ। ଭଲ ମ୍ୟାନେଜର କିଭଳି ହୋଇପାରିବେ, ସେନେଇ ଜ୍ଞାନ ଆହରଣ କରିପାରିବେ। ଶ୍ରୀଲଙ୍କା, ମାଲଦ୍ୱୀପ, ନେପାଳ, ବାଙ୍ଗଲାଦେଶ, ଭୂଟାନ ସହ ଭାରତର ଭଲ ସମ୍ପର୍କ ଥିବାରୁ ତାହାକୁ ଆଖିରେ ରଖି ଗବେଷଣାକୁ ସୁଦୃଢ଼ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି।

ପ୍ରଫେସର ତ୍ରିପାଠୀ ଆହୁରି କହିଛନ୍ତି ତ୍ରିଭୂବନ ବିଶ୍ୱବିଦ୍ୟାଳୟ ସହ ମଧ୍ୟ ରାଜିନାମା ନେଇ କଥାବାର୍ତ୍ତା ଚାଲିଛି। ଗତ ମାର୍ଚ୍ଚ ମାସରେ ପିଏମ୍‌ଆଇଆର ୧୦ଜଣ ଛାତ୍ରଛାତ୍ରୀ ସେଠାରେ ଆଲୋଚନାଚକ୍ରରେ ଯୋଗଦେବାକୁ ଯାଇଥିଲା। ଚଳିତ ଶିକ୍ଷାବର୍ଷରେ ସେଠାକାର କିଛି ଛାତ୍ରଛାତ୍ରୀ ଏଠାକୁ ଆସିବା ଲାଗି ଆଲୋଚନା ଚାଲିଛି। ପ୍ରଥମେ ଛାତ୍ରଛାତ୍ରୀଙ୍କ ବିନିମୟ କାର୍ଯ୍ୟକ୍ରମ ହେବ। ପରବର୍ତୀ ଅବସ୍ଥାରେ ଶିକ୍ଷକ ବିନିମୟ କାର୍ଯ୍ୟକ୍ରମ ହେବ। ଏଠାରୁ ଅଧ୍ୟାପକମାନେ ଯାଇ ସେଠାରେ ୧୫ ଦିନ ଧରି ପଢ଼ାଇବେ। ସେଠାକାର ଶିକ୍ଷକ ମଧ୍ୟ ଏଠାକୁ ଆସିବେ। ପିଏମ୍‌ଆଇଆର୍‌ ବିଭାଗ ପକ୍ଷରୁ ଗତ ଦୁଇଦିନ ଧରି ଅନୁଷ୍ଠିତ ‘କର୍ମଚାରୀ ସମ୍ପର୍କ:ଆଜି ଓ ଆସନ୍ତାକାଲି’ ଶୀର୍ଷକ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଓ ଉକ୍ତ ଦୁଇ ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ସହ ଆଲୋଚନା ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି।

ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରଫେସର ଓ କର୍ମଚାରୀ ରହୁଥିବା ଅଞ୍ଚଳ, ଛାତ୍ର ଓ ଛାତ୍ରୀନିବାସ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ବଢ଼ାଯିବ। ଏହାର ରୂପରେଖ କିଭଳି ହେବ, ସେ ନେଇ ପ୍ରସ୍ତାବ ଦେବାକୁ କ୍ୟାମ୍ପସ ଉନ୍ନୟନ କମିଟି ଗଠିତ ହୋଇଛି। ଗତକାଲି ବସିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। କମିଟି ରିପୋର୍ଟ ଆଧାରରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସେହିପରି କ୍ୟାମ୍ପସରେ ଏକ ନୂତନ ମାର୍କେଟ ପ୍ରତିଷ୍ଠା ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ସିଏସ୍‌ଆର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଦିଗରେ ପଦକ୍ଷେପ ନେବାକୁ ସ୍ଥିର ହୋଇଛି। ଚଣ୍ଡୀଖୋଲଠାରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ନିଯୁକ୍ତ ହୋଇଥିବା ଓଏସ୍‌ଡି ସମ୍ପର୍କରେ ବି ଆଲୋଚନା ହୋଇଛି। ଆଗକୁ ରଥଯାତ୍ରା ହେବାକୁ ଥିବାରୁ ତାହାକୁ କିଭଳି ସୁରୁଖୁରରେ ଶେଷ କରିବା, ରାସ୍ତା ମରାମତି ପରି ବିଷୟ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର