ବୃଦ୍ଧି ପାଉଛି ଶୀତ ଟୁର୍‌ ପ୍ୟାକେଜ୍‌

ଅନ୍‌ଲାଇନ୍‌ ପରେ ବଢ଼ିଛି ପ୍ୟାକେଜ୍‌ ଟୁର୍‌

ଭୁବନେଶ୍ୱର: ଚିଲିକା ହ୍ରଦ କୂଳରେ ଶୁଭିଲାଣି ରଙ୍ଗବେରଙ୍ଗୀ ଚଢ଼େଇଙ୍କ ମିଠା କଳରବ। ହାତଠାରି ଡାକିଲାଣି ଚନ୍ଦ୍ରଭାଗାର ଉଦିତ ସୂର୍ଯ୍ୟର ଆକର୍ଷଣ। ଘଞ୍ଚ ଜଙ୍ଗଲର ଦାଢ଼େଦାଢ଼େ ବୋଟିଂର ମଜା ସାଙ୍ଗକୁ ଶୀତୁଆ ସତେଜ ଦ୍ୱିପ୍ରହରେ ସମୁଦ୍ରକୂଳର ଢେଉଢେଉକା ଜଳରାଶିର ସୌନ୍ଦର୍ଯ୍ୟ। ଶୀତ ପଡ଼ିବା ପରେ ପିକ୍‌ନିକ୍‌ ସାଙ୍ଗକୁ ବୁଲାବୁଲି ଜମି ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ଶୀତ ପ୍ୟାକେଜ୍‌ ଆରମ୍ଭ ହୋଇଯାଇଥିବା ବେଳେ ଡିସେମ୍ବର ପ୍ରାରମ୍ଭରେ ବହୁ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଛି। ବର୍ଷା ଯୋଗୁଁ ଦୈନିକ ସାଇଟ୍‌ ସିଂ ଦିନେ ଦୁଇଦିନ ପାଇଁ ପ୍ରଭାବିତ ହୋଇଥିଲେ ହେଁ ଶୀତ ପ୍ୟାକେଜ୍‌ରେ ବହୁ ପର୍ଯ୍ୟଟକଙ୍କ ଆଗମନ ହୋଇଛି। ବିଶେଷକରି ଅନ୍‌ଲାଇନ୍‌ରେ ବୁକିଂ ଆରମ୍ଭ ହେବା ପରେ ଶୀତ ପ୍ୟାକେଜ୍‌ ସାଙ୍ଗକୁ ଦୈନିକ ପ୍ୟାକେଜ୍‌ରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି।। ବିଶେଷକରି ଅକ୍ଟୋବରରୁ ପର୍ଯ୍ୟଟନ ଋତୁ ଆରମ୍ଭ ହୁଏ। ମାତ୍ର ନଭେମ୍ବରରୁ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଉଛି। ଶୀତ ପ୍ୟାକେଜ୍‌ ଦିନିକିଆରୁ ନେଇ ୪-୫ଦିନିଆ ରହିଛି। ଏହା ମଧ୍ୟରେ ଚିଲିକାର ସାତପଡ଼ା, ବରକୂଳ, ରମ୍ଭା, ଗୋପାଳପୁର ସମୁଦ୍ରକୂଳ, ତପ୍ତପାଣି, କେଉଁଝର, ଘଟଗାଁ ତାରିଣୀ, ପଞ୍ଚଲିଙ୍ଗେଶ୍ୱରରେ ନେଚର ଟ୍ରାଏଲ୍‌, ଶିମିଳିପାଳ ଭଳି ସ୍ଥାନ ବୁଲିବାର ଅପୂର୍ବ ସୁଯୋଗ ରହିଛି। ବିଶେଷକରି ଶୀତ ଦିନରେ ପ୍ରକୃତିର ଏହି ବୈଚିତ୍ରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହେଉଥିବା ବେଳେ ପର୍ଯ୍ୟଟକମାନେ ଏହାର ମଜା ଉଠାଇବା ପାଇଁ ଯାତାୟତ, ରହଣୀ ସହ ସାଇଟ୍‌ ସିଂ ବୁଲିବାର ବ୍ୟବସ୍ଥା ଓଟିଡିସି ପକ୍ଷରୁ ରଖାଯାଇଛି ବୋଲି ଓଟିଡିସିର ମାର୍କେଟିଂ ମ୍ୟାନେଜର ଆଲୋକ ମିଶ୍ର କହିଛନ୍ତି।

ଏହି ସମୟରେ ଚିଲିକାକୁ ବିଦେଶୀ ଅତିଥି ପକ୍ଷୀଙ୍କ ଆଗମନ ହେଉଥିବାରୁ ଏଠାକାର ଦୃଶ୍ୟ ପର୍ଯ୍ୟଟକଙ୍କୁ ଚମତ୍କତ କରେ। ଯାହା କେବଳ ଶୀତ ଦିନେ ଦେଖିବାର ସୁଯୋଗ ମିଳେ। ଚିଲିକା ପ୍ୟାକେଜ୍‌ ଟୁର୍‌ ଏହି ସମୟରେ ମୁଣ୍ଡପିଛା ୧୧୫୫ଟଙ୍କାରୁ ଆରମ୍ଭ ହୋଇ ୪୬୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଯେଉଁଥିରେ ଜଣେ ବ୍ୟକ୍ତି ଏସି ଯାତାୟତ ସୁବିଧା ସହ ରହିବା ଏବଂ ଖାଇବା ପିଇବାର ସୁବିଧା ପାଇପାରିବ। ଏଥିପାଇଁ ପର୍ଯ୍ୟଟକଙ୍କୁ ଗାଇଡ୍‌ ମଧ୍ୟ ଯୋଗାଇ ଦିଆଯିବ। ଏହାବ୍ୟତୀତ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏକ୍ସୋଟିକ୍‌ ଓଡ଼ିଶା ପ୍ୟାକେଜ୍‌ ରଖିଛି। ଯାହା ଜରିଆରେ ଚାନ୍ଦିପୁର, ଲୁଲୁଙ୍ଗ ଜଳପ୍ରପାତ, ଶିମିଳିପାଳ ଜାତୀୟ ଉଦ୍ୟାନ, ତାଳସରି, ଚନ୍ଦନେଶ୍ୱର, ଦୀଘା, ଭୁବନେଶ୍ୱର, ବୌଦ୍ଧକୀର୍ତି ସ୍ଥଳ, ଭିତରକନିକା ଜାତୀୟ ଉଦ୍ୟାନ, ଲଳିତଗିରି ଉଦୟଗିରି, ରତ୍ନଗିରି ସହ ଭୁବନେଶ୍ୱର-ପୁରୀ-କୋଣାର୍କ, ସାତପଡ଼ା ଓ ବରକୂଳ ବୁଲିବାର ସୁଯୋଗ ମିଳୁଛି। ବର୍ତମାନସୁଦ୍ଧା ୨୫ରୁ ଊର୍ଧ୍ୱ ପ୍ୟାକେଜ୍‌ ସରିଥିବା ବେଳେ ସାତପଡ଼ା, ବରକୂଳ, ଚାନ୍ଦବାଲି ଓ ରମ୍ଭାରେ ବହୁ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥିଲା। ଜାନୁଆରି ମାସର ବୁକିଂ ଏବେଠି ଅନ୍‌ଲାଇନ୍‌ରେ ହୋଇ ସାରିଥିବା ବେଳେ ଫେବ୍ରୁଆରି ମାସରେ ଭିତରକନିକା ପାଇଁ ପର୍ଯ୍ୟଟକ ଦଳ ବୁକିଂ କରିଛନ୍ତି। କେଉଁଝରକୁ ମଧ୍ୟ ବୁକିଂ ହୋଇଇଛି ବୋଲି ଓଟିଡିସି ପକ୍ଷରୁ ସୂଚନା ମିଳିଛି।

ଆସିବ ନୂଆ ଭଲ୍‌ଭୋ ଗାଡ଼ି

ପର୍ଯ୍ୟଟକଙ୍କ ସଂଖ୍ୟା ଏବଂ ଧଉଳିକୁ ଯାତାୟତକୁ ଦୃଷ୍ଟିରେ ରଖି ନୂଆ ଭଲ୍‌ଭୋ ବସ୍‌ ଆସିବ ମଗାଯିବ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୧କୋଟି ୩୬ ଲକ୍ଷ ଟଙ୍କା ମଂଜୁର ହୋଇଛି। ସୂଚନା ମୁତାବକ ୨ଟି ୪୫ ସିଟ୍‌ ବିଶିଷ୍ଟ ଏବଂ ୨ଟି ୨୫ ସିଟ୍‌ ବିଶିଷ୍ଟ ଭଲ୍‌ଭୋ ଆସିବ। ଏଥିସହିତ ୮ଟି ଫୋର୍ସ ସମେତ ୨୬ ସିଟ୍‌ ବିଶିଷ୍ଟ ଗାଡ଼ି ପର୍ଯ୍ୟଟକଙ୍କ ଯାତାୟତରେ ବିନିଯୋଗ ହେବ।

ସମ୍ବନ୍ଧିତ ଖବର