ଆରମ୍ଭ ହେଲା ଉଦ୍‌ଘାଟନୀ ପର୍ବ

ଯାନ୍ତ୍ରିକ ସଫେଇର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ରାଜଧାନୀର ୮୦କିମି ରାସ୍ତାରେ ଯାନ୍ତ୍ରିକ ସଫେଇ ଆରମ୍ଭ ହୋଇଛି। ନିକୋ ପାର୍କ ଛକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ୟବସ୍ଥାକୁ ଉଦ୍‌ଘାଟନ କରିଛନ୍ତି। ରାଜଧାନୀରେ ଯାନ୍ତ୍ରିକ ସଫେଇ କରିବା ପାଇଁ ପଞ୍ଜାବର ପ୍ରୋ ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ଏବ˚ ଝାଡଖଣ୍ତର ୟୁନାଇଟେଡ୍‌ ଏୟାର ଏକ୍ସପ୍ରେସ୍ ସଂସ୍ଥାକୁ ବଛା ଯାଇଛି। ମୋଟ ୮୦କିମି ରାସ୍ତାରେ ଏହି ଯାନ୍ତ୍ରିକ ସଫେଇ ହେବାକୁ ଥିବା ବେଳେ ଏହାକୁ ଦୁଇଟି ପ୍ୟାକେଜ୍‌ରେ ବିଭକ୍ତ କରାଯାଇଛି। ପ୍ୟାକେଜ୍‌ ୧ରେ ୩୭କିମି ଏବ˚ ପ୍ୟାକେଜ୍‌-୨ରେ ୪୩.୫କିମି ରାସ୍ତା ରହିଛି। ପଞ୍ଜାବର ପ୍ରୋ ପାଵାର ସୁଇପି˚ କମ୍ପାନି ଏବ˚ ଲାୟନ୍ସ ସର୍ଭିସେସ୍‌ ମିଳିତ ଭାବେ ପ୍ୟାକେଜ୍‌-୧ରେ ସଫେଇ କରିବାକୁ ଥିବା ବେଳେ ପ୍ୟାକେଜ୍‌-୨ରେ ଝାଡଖଣ୍ତର ମେସର୍ସ ୟୁନାଇଟେଡ୍‌ ଏୟାର ଏକ୍ସପ୍ରେସ୍‌ ପ୍ୟାକେଜ୍‌-୨ରେ ସଫେଇ କରିବେ। ଏହି ଦୁଇଟି ସ˚ସ୍ଥା ରାତି ୧୦ଟାରୁ ସକାଳ ୬ଟା ମଧୢରେ ମେସିନ୍‌ ମାଧୢମରେ ସଫେଇ କରିବେ। ଏହାସହ ରାଜଧାନୀରେ ଲାଗିଥିବା ଫଳକ, ଷ୍ଟ୍ରିଟ୍‌ ଫର୍ଣ୍ଣିଚର‌୍‌ ଏବ˚ ପ୍ରତିମୂର୍ତ୍ତିଗୁଡ଼ିକ ନିୟମିତ ସଫା କରିବେ। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ବିନା ମୂଲ୍ୟରେ ପରୀକ୍ଷାମୂଳକ ସଫେଇ କରିବେ ବୋଲି ଜଣାପଡ଼ିଛି। ସେହିପରି ମୁଖ୍ୟମନ୍ତ୍ରୀ ଆଜି ୬୦ଟି ସ୍ମାର୍ଟ ପବ୍ଲିକ ଇ-ଟଏଲେଟ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିରେ ୩୦ଟି ଶୌଚାଳୟ ପୁରୁଷ ଏବଂ ୩୦ଟି ମହିଳାଙ୍କ ପାଇଁ ରହିବ। କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଏମ୍‌ସି କମିସନର କ୍ରିଷନ କୁମାର, ଅତିରିକ୍ତ କମିସନର ଶୁଭମ୍ ସାକ୍ସେନା, ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ବିଏମ୍‌ସିର ବରିଷ୍ଠ ଅଧିକାରୀ ଓ କର୍ପୋରେଟର୍‌ମାନେ ଉପସ୍ଥିତ ଥିଲେ।

ଅକ୍ଟୋବର ୫ରେ କମନ୍ ପେମେଣ୍ଟ କାର୍ଡର ଲୋକାର୍ପଣ
ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୫ ତାରିଖରେ ମୁଖ୍ୟମନ୍ତ୍ରୀ କମନ୍ ପେମେଣ୍ଟ କାର୍ଡର ଶୁଭାରମ୍ଭ କରିବେ। ଏହି କାର୍ଡ ମାଧ୍ୟମରେ ରାଜଧାନୀବାସୀ ଏବେ ୧୦ଟି ସେବା ପାଇଁ ବ୍ୟବହାର କରିପାରିବେ। ଏଥିରେ ବିଏମ୍‌ସିର ହୋଲଡି˚ ଟିକସ, ୟୁଜର୍ସ ଫି’, ଟ୍ରେଡ୍‌ ଲାଇସେନ୍ସ ଫି’, ବିଏମ୍‌ସି କଲ୍ୟାଣ ମଣ୍ତପ ବୁକି˚, ସିଟି ବସ୍‌ ଟିକେଟ, ପାର୍କି˚ ଫି’, ଜଳ କର, ବିଦ୍ୟୁତ ବିଲ୍‌, ମଲ୍‌ରେ ସାମଗ୍ରୀ କିଣିଲେ ଏବଂ ବିଏମ୍‌ସି ଓ ବିଡିଏର ସମସ୍ତ ସେବା ଭଳି ୧୦ଟି ସେବାକୁ ସାମିଲ୍‌ କରାଯିବ। ଏହି ସେବା ଉପଲବ୍ଧ ହେଉଥିବା ସମସ୍ତ କାର୍ଯ୍ୟାଳୟରେ ସ୍ବାଇପ୍‌ ମେସିନ୍‌ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ବିଭିନ୍ନ ପାର୍କି˚ ସ୍ଥଳରେ ସ୍ବାଇପ୍‌ ମେସିନ୍‌ ରହିବ। ଏଥିପାଇଁ ଏବେ କାର୍ଡ ପ୍ରିଣ୍ଟି˚ କାର୍ଯ୍ୟ ଶେଷ ହୋଇଛି।
ଲୋକଙ୍କୁ ଯେପରି ସୁବିଧାରେ କାର୍ଡ ମିଳିବ, ରିଚାର୍ଜ କରିପାରି‌‌ବେ, ସେଥିପାଇଁ ରାଜଧାନୀରେ ପ୍ରାଥମିକ ପର୍ଯ୍ୟାୟରେ ୫୦ଟି ପଏଣ୍ଟ୍‌ ଅଫ୍‌ ସେଲ୍‌ ବା ପିଓଏସ୍‌ ରହିବ। ପରବର୍ତ୍ତୀ ସମୟରେ ଏହାକୁ ୩୨୫କୁ ବୃଦ୍ଧି କରାଯିବ। ଲୋକମାନେ ୫୦ ଟଙ୍କା ଦେଇ କାର୍ଡ କିଣିବେ। ଏହାପରେ ଯେଉଁ ଅନୁସାରେ ରିଚାର୍ଜ କରିବେ ସେହି ଅନୁସାରେ ଏହାକୁ ବ୍ୟବହାର କରିବେ। ମୋବାଇଲ୍‌ ବ୍ୟାଙ୍କି˚ ବା ନେଟ୍‌ ବ୍ୟାଙ୍କି˚ ମାଧୢମରେ ଏହାକୁ ରିଚାର୍ଜ କରିବାର ସୁବିଧା ବି ରହିବ। ପ୍ରଥମ ପର୍ଯ୍ୟାୟରେ ଏହା ଯେପରି ଅଧିକ ଲୋକାଦୃତ ହେବ, ସେଥିପାଇଁ ଗ୍ରାହକଙ୍କୁ କିଛି ଅଫର‌୍‌ ବି ଦିଆଯିବ, ଯେପରି କ୍ୟାସ୍‌ ବ୍ୟାକ୍‌ ଏବ˚ ପାର୍କି˚ ସ୍ଥଳରେ ଡିସକାଉଣ୍ଟ୍‌ ବ୍ୟବସ୍ଥା ରହିବ। ପରବର୍ତ୍ତୀ ସମୟରେ ରାଜଧାନୀର ସମସ୍ତ ଦୋକାନ, ସପି˚ ମଲ୍‌, ସିନେମା ହଲ୍‌, ପେଟ୍ରୋଲ ପମ୍ପ୍‌, ରେସ୍ତୋରାଁରେ ଏହି କାର୍ଡର ବ୍ୟବହାର ହୋଇପାରିବ।

ଖୁବ୍ ଶୀଘ୍ର ୱାଇଫାଇ ସେବା
ଖୁବ୍ ଶୀଘ୍ର ରାଜଧାନୀର ପ୍ରମୁଖ ରାସ୍ତାରେ ୱାଇଫାଇ ସେବା ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ୧୦୦ଟି ୱାଇଫାଇ ଆସେସ୍ ପଏଣ୍ଟ୍ ନିର୍ମାଣ ଶେଷ ହୋଇଥିବା ବେଳେ ଏହାକୁ ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟରେ କିଟ୍‌ ଛକରୁ ରାଜଭବନ ଛକ, ଗୋପବନ୍ଧୁ ଛକ ଠାରୁ ରାଜଭବନ ଛକ, ବିମାନବନ୍ଦରଠାରୁ ଆଚାର୍ଯ୍ୟ ବିହାର, କଳ୍ପନା ଛକରୁ ରସୁଲଗଡ଼, ଶିଶୁଭବନ ଠାରୁ ବାଣୀବିହାର ଏବ˚ ରସୁଲ୍‌ଗଡ ମଧ୍ୟରେ ମୁଖ୍ୟ ସ୍ଥାନଗୁଡିକରେ ଏହି ବ୍ୟବସ୍ଥା ରହିବ। ଏହି ସ୍ଥାନଗୁଡ଼ିକ ଚିହ୍ନିତ ୮୦ କି.ମି. ମୁଖ୍ୟ ରାସ୍ତାଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ। ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୦୦ଟି ସ୍ଥାନରେ ଏହି ଆସେସ୍ ପଏଣ୍ଟ ନିର୍ମାଣ ହେବ। ପୂରା ରାଜଧାନୀରେ ମୋଟ ୫୧୮ଟି ସ୍ଥାନରେ ଏହିଭଳି ଆସେସ୍ ପଏଣ୍ଟ ଲାଗିବ। ଲୋକଙ୍କୁ ୱାଇଫାଇ ସେବା ପାଇବାକୁ ହେଲେ ଆସେସ୍ ପଏଣ୍ଟର ୧୦୦ରୁ ୩୦୦ମିଟର ଦୂରତା ମଧ୍ୟରେ ରହିବାକୁ ପଡ଼ିବ। ୱାଇଫାଇ ସେବାକୁ ପ୍ରଥମଥର ପାଇଁ ବ୍ୟବହାର କଲେ ମାଗଣାରେ ୧୫ ମିନିଟ୍ ପାଇଁ ୫୦ ଏମ୍‌ବି ଡାଟା ପାଇପାରିବେ। ପରବର୍ତୀ ବ୍ୟବହାର ପାଇଁ ସେମାନଙ୍କୁ ଦେୟ ଦେବାକୁ ହେବ। ଏଥିରେ ଇଣ୍ଟରନେଟ୍‌ର ବେଗ ୨୫୦ ଏମ୍‌ବିପିଏସ୍‌ ରହିବ। ‌େ‌ହଲେ କେତେ ମିନିଟ ପାଇଁ କେତେ ଟଙ୍କା କଟିବ, ତାହା ଖୁବ୍ ଶୀଘ୍ର ସ୍ଥିର ହେବ।

ନଭେମ୍ବରରେ ନୂଆ ସିଟି ବସ୍, ଫୁଟ୍ ଓଭରବ୍ରିଜ୍, ଅଣ୍ଡର ଗ୍ରାଉଣ୍ଡ ଡଷ୍ଟବିନ୍‌ର ଉଦ୍‌ଘାଟନ
୨୫ଟି ସ୍ଥାନରେ ୫୦ଟି ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍ ଲାଗିବ। ଏହି ପ୍ରକଳ୍ପ ନଭେମ୍ବର ପ୍ରଥମ ସପ୍ତାହରେ ଉଦ୍‌ଘାଟନ ହେବ। ସେହିପରି କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ରାଜଧାନୀରେ ୨୦୦ଟି ସିଟି ବସ୍ ଚଲାଇବାକୁ ‌େଯାଜନା ହୋଇଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହରେ ଏହାର ଶୁଭାରମ୍ଭ ହେବ। ଏହାବାଦ୍ କଳିଙ୍ଗ ଷ୍ଟାଡିୟମ ନିକଟରେ ନିର୍ମାଣ ହେଉଥିବା ଦୁଇଟି ଫୁଟ୍ ଓଭରବ୍ରିଜ୍‌ର ଉଦ୍‌ଘାଟନ ହେବ।

ଆଉ ତିନିଟି ପଦଯାତ୍ରା ଦୁଇଟି ସାଇକେଲ୍ ଟ୍ରେଲ୍ ଆରମ୍ଭ ହେବ
ଏବେ ପୁରୁଣା ଭୁବନେଶ୍ବରରେ ଏକାମ୍ର ପଦଯାତ୍ରା (ଲିଙ୍ଗରାଜ ସର୍କିଟ୍), ଜୈନ ସର୍କିଟ୍, କଳାଭୂମିରେ ସଂଗ୍ରହାଳୟ ପଦଯାତ୍ରା ସଫଳ ହେବା ପରେ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସ˚ଗ୍ରହାଳୟ, ପ୍ଲାନେଟୋରିୟମ୍‌ ଏବ˚ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରକୁ ନେଇ ବିଜ୍ଞାନ ପଦଯାତ୍ରା, ବଟାନିକାଲ ଗାର୍ଡେନ୍, ନନ୍ଦନକାନନ, ଭରତପୁର ସଂରକ୍ଷିତ ଜଙ୍ଗଲ କିମ୍ବା ଚନ୍ଦକା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ନେଇ ନେଚର୍ ୱାକ୍ ହେବ। ଏଥିରେ ଚନ୍ଦକା ନେଚର୍ ୱାକ୍‌ରେ ଏହା ଗୋଡ଼ିବାରୀ ଅଭୟାରଣ୍ୟର ପ୍ରବେଶ ପଥରୁ ଆରମ୍ଭ ହେବ। ଏଥିରେ ସାମିଲ୍ ହେବାକୁ ଥିବା ଲୋକ ଔଷଧୀୟ ବୃକ୍ଷ, ଦୁଃସାହାସିକ କ୍ରୀଡ଼ା, ଜଙ୍ଗଲ ଭିତରେ ଚାଲିବାର ମଜା ପାଇବେ। ଆରମ୍ଭ ହେବାକୁ ଥିବା ‘ଷ୍ଟ୍ରିଟ୍‌ସ ଅଫ୍ ଏକାମ୍ର’ରେ ସ୍ଥାନୀୟ ଅଞ୍ଚଳର ଦୈନିକ ଏବଂ ବର୍ଷ ଯାକର ପର୍ବ, ବିଭିନ୍ନ ମନ୍ଦିରର ପରମ୍ପରା, ଅଶୋକାଷ୍ଟମୀ, ଚନ୍ଦନଯାତ୍ରା, ଶୀତଳ ଷଷ୍ଠୀ, ମହାଳୟା ଆଦି ଲୋକମାନେ ଦେଖିପାରିବେ। କୋରାଖଇ, ଖଜା, ଲସି ଆଦିର ମଜା ବି ପର୍ଯ୍ୟଟକମାନେ ନେଇ ପାରିବେ।

ଧଉଳି-ବୁଦ୍ଧିଷ୍ଟ ସର୍କିଟ୍ (ସାଇକେଲ୍ ଟ୍ରେଲ୍‌‌) ରେ ଦୟା ନଦୀ ଘାଟରୁ ଆରମ୍ଭ ହୋଇ ଧଉଳି ପାହାଡ଼ ଉପରକୁ ଯିବ। ଏହା ଅପରାହ୍ନରେ ହେବ। ଏହାଦ୍ୱାରା ପର୍ଯ୍ୟଟକମାନେ ଧଉଳି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ ଦେଖି ପାରିବେ।

ଐତିହ୍ୟ ମନ୍ଦିର ସର୍କିଟ୍ (ସାଇକେଲ୍ ଟ୍ରେଲ୍) ରେ ରବି ଟକିଜ୍-ଟଙ୍କପାଣି ରୋଡ୍- ଚଉଷଠି ଯୋଗିନୀ ମନ୍ଦିର ଏବଂ ଶିଶୁପାଳ ଦେଇ ପର୍ଯ୍ୟଟକମାନେ ଯିବେ। ରାଜଧାନୀରେ ବାଇସାଇକେଲ୍ ସେୟାରିଂ ବ୍ୟବସ୍ଥା ଆରମ୍ଭ ହେବା ପରେ ସାଇକେଲ୍ ଟ୍ରେଲ୍ ଆରମ୍ଭ ହେବ।

ସମ୍ବନ୍ଧିତ ଖବର