ଜାତୀୟ ଅଭିଲେଖାଗାରରେ ବକ୍ତୃତା

୩ ବର୍ଷରେ ଦେଶରେ ବଢ଼ିବ ପୁଞ୍ଜିନିବେଶ

ଭୁବନେଶ୍ୱର: ସେଣ୍ଟର୍‌ ଫର ଏସିଆନ୍‌ ଷ୍ଟଡିଜ୍‌ ଓ ଜାତୀୟ ଅଭିଲେଖାଗାରର ଆଞ୍ଚଳିକ କାର୍ଯ୍ୟାଳୟର ମିଳିତ ସହଯୋଗରେ ‘ଲୁକିଂ ୱେଷ୍ଟ୍‌ ଆଣ୍ଡ ଆକ୍ଟିଂ ଇଷ୍ଟ୍‌: ଏ କମ୍ପାରେଟିଭ୍‌ ପର୍‌ସପେକ୍ଟିଭ୍‌’ ଶୀର୍ଷକ ବକ୍ତୃତା ଆଜି ଅନୁଷ୍ଠିତ ହୋଇଛି। ଅଭିଲେଖାଗାର ପରିସରରେ ଅନୁଷ୍ଠିତ ବକ୍ତତାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ମୃଦୁଳ କୁମାର ବକ୍ତା ଭାବେ ଯୋଗଦେଇ କହିଲେ, ବର୍ତମାନ ସମୟରେ ଅନ୍ୟ ଦେଶମାନଙ୍କ ସହ ଭାରତର ସମ୍ପର୍କ ବଢ଼ିବାରେ ଲାଗିଛି। ପୂର୍ବରୁ ଦେଶ ମୁଖ୍ୟମାନେ ବିଦେଶ ଗସ୍ତକୁ ସେତେଟା ଗୁରୁତ୍ୱ ଦେଉନଥିବା ବେଳେ ଏବେ ତାହା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ବିଦେଶ ଗସ୍ତ କରିବା ସହ ବୈଦେଶିକ ସମ୍ପର୍କ ସୁଦୃଢ଼ ଉପରେ ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ, ସାଉଦି ଆରବ, ବାହାରିନ୍‌ ପରି ଦେଶକୁ ଗସ୍ତ କରିବା ପରେ ସମ୍ପର୍କ ମଜବୁତ୍‌ ହୋଇଛି। ୟୁଏଇ ସହ ବାଣିଜ୍ୟ କାରବାର ବଢ଼ିଛି। ୟୁଏଇରୁ ଭାରତକୁ ପ୍ରତିବର୍ଷ ପ୍ରାୟ ୩୫ ଶହ କୋଟି ଡଲାର୍‌ ଆସୁଛି। ବ୍ୟବସାୟ ସମେତ ରାଜନୈତିକ ସମ୍ପର୍କ ମଧ୍ୟ ବୃଦ୍ଧି ପାଇଛି। ପାକିସ୍ତାନକୁ ଅନ୍ଧ ଭାବେ ସମର୍ଥନ କରୁଥିବା ଦେଶଗୁଡ଼ିକ ଏବେ ଆଉ ପାକିସ୍ତାନକୁ ସମର୍ଥନ କରୁନାହାନ୍ତି। ଭାରତ ପାଇଁ ଏହା ଏକ ସୁଖଦ ଖବର।

ସେ ଆହୁରି କହିଲେ, ବାହାର ଦେଶ ସହ ରତ୍ପାନୀ ଓ ଆମଦାନୀ ବଢିବା ଫଳରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବୃଦ୍ଧି ପାଉଛି। ଅନେକ ଅର୍ନ୍ତଜାତୀୟ କମ୍ପାନି ଭାରତରେ ବ୍ୟବସାୟ କରିବାକୁ ଆଗ୍ରହ ଦେଖାଉଛନ୍ତି। ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ଭାରତରେ ବିଦେଶୀ କମ୍ପାନିଙ୍କ ପୁଞ୍ଜିନିବେଶ ସଂଖ୍ୟା ବୃଦ୍ଧି ପାଇବ ବୋଲି ଶ୍ରୀ କୁମାର ଆଶାବ୍ୟକ୍ତ କରିଥିଲେ। ବାହାର ଦେଶ ସହ ଯୋଗାଯୋଗକୁ ସୁଦୃଢ଼ ହେଉଛି। ଥାଇଲାଣ୍ଡ, ମାଲେସିଆ, ଭିଏତ୍‌ନାମା ପରି ଦେଶକୁ ଜଳ ଏବଂ ଆକାଶପଥରେ ସଂଯୋଗ ବୃଦ୍ଧି କରିବାର ସମୟ ଆସିଛି। ଭୁବନେଶ୍ୱରରୁ ମାଲେସିଆକୁ ବିମାନ ସଂଯୋଗ ହୋଇଥିବାରୁ ଓଡ଼ିଶାର ଅର୍ଥନୈତିକ, ପର୍ଯ୍ୟଟନ ଅଭିବୃଦ୍ଧି ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ସେ କହିଥିଲେ। ବକ୍ତୃତା କାର୍ଯ୍ୟକ୍ରମରେ ସେଣ୍ଟର୍‌ ଫର ଏସିଆନ୍‌ ଷ୍ଟଡିଜ୍‌ ନିର୍ଦେଶକ ସଂଗ୍ରାମ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ଯତିନ୍ଦ୍ର କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ଜାତୀୟ ଅଭିଲେଖାଗାରର ସହକାରୀ ନିର୍ଦ୍ଦେଶକ ଲଲାଟେନ୍ଦୁ ଦାସ ମହାପାତ୍ର, ଡ. ଜିତେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର