ବଢ଼ୁଛି ସାଇବର୍‌ ଅପରାଧ

ପ୍ରତି ମାସରେ ୧୫ରୁ ୩୫ ଅଭିଯୋଗ

ଭୁବନେଶ୍ୱର: କମିସନରେଟ୍‌ ପୁଲିସ ଅଞ୍ଚଳରେ ସାଇବର ଅପରାଧ ବଢ଼ୁଛି। ବିଶେଷକରି ଅନଲାଇନ୍‌ ଠକେଇ, ଏଟିଏମ୍‌ ଓ ବ୍ୟାଙ୍କ ଆକାଉଣ୍ଟ ଠକେଇ ଏବଂ ଭାଇରାଲ ଭିଡିଓ ଭଳି ଅପରାଧର ମାତ୍ରା ବଢ଼ିବାରେ ଲାଗିଛି। ପ୍ରତି ମାସରେ ୧୫ରୁ ୩୫ଟି ଅଭିଯୋଗ ବିଭିନ୍ନ ଥାନାକୁ ଆସୁଛି। ଅଭିଯୋଗକାରୀମାନେ ଲକ୍ଷାଧିକ ଟଙ୍କା ହରାଉଛନ୍ତି। କିନ୍ତୁ ଅଭିଯୋଗ କରିବାକୁ ଥାନାକୁ ଗଲେ ଥାନା କର୍ମଚାରୀମାନେ ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନାହାନ୍ତି। ଓଲଟି ସାଇବର ଥାନାରେ ଅଭିଯୋଗ କରିବାକୁ କହୁଛନ୍ତି। ତେବେ ଏଭଳି ଅଭିଯୋଗ ଦିନକୁ ଦିନ ବଢ଼ୁଥିବାରୁ ଏହା କମିସନରେଟ ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ତେଣୁ ସାଇବର ଅପରାଧ କମାଇବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଦୁଇ ଦିନିଆ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାଇବର ଅପରାଧ ମାମଲା ଥାନାକୁ ଆସିଲେ, କେମିତି ତାର ତଦନ୍ତ କରାଯିବ, ସେ ଉପରେ ପୁଲିସ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।

ଆଜି କର୍ମଶାଳାର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଥିଲେ, ସାମାନ୍ୟତମ ସଚେତନତା ଅଭାବରୁ ଅନଲାଇନ୍‌ ଠକେଇ ବଢ଼ି ଚାଲିଛି। ଠକମାନେ ରାଜ୍ୟ ବାହାରେ ବସି ବିଭିନ୍ନ ଲୋକଙ୍କୁ ଫୋନ୍‌ କରି ନିଜକୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଉଛନ୍ତି। ଏଟିଏମ୍‌ କାର୍ଡ ଉପରେ ଲେଖାଥିବା ୧୬ ଡିଜିଟ୍‌ ନମ୍ବର, ପାସଓ୍ଵାର୍ଡ, ଆକାଉଣ୍ଟ୍‌ ନମ୍ବର, ପିନ୍‌ ନମ୍ବର ଆଦି କୌଶଳ କରି ମାଗି ନେଇ ଟଙ୍କା ଲୁଟୁଛନ୍ତି। ତେଣୁ ଯେ କେହି ବି ଫୋନ୍‌ରେ ନିଜ ବ୍ୟାଙ୍କ ସଂପର୍କିତ ଗୋପନୀୟ ତଥ୍ୟ ମାଗିଲେ, ଆଦୌ ଦିଅନ୍ତୁ ନାହିଁ। ବାରମ୍ବାର ଫୋନ କରି ହଇରାଣ କଲେ, ତୁରନ୍ତ ସ୍ଥାନୀୟ ଥାନା ଓ ବ୍ୟାଙ୍କରେ ଜଣାଇବାକୁ କମିସନର ଖୁରାନିଆ ପରାମର୍ଶ ଦେଇଥିଲେ। ଅପରପକ୍ଷେ କମିସନରେଟ୍‌ ପୁଲିସ ଏଭଳି ଅନଲାଇନ୍‌ ଠକେଇ କରୁଥିବା ର‍୍ୟାକେଟ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ବିଶେଷକରି ଝାରଖଣ୍ଡ ଓ ବିହାରର କେତେକ ଉଚ୍ଚ ଶିକ୍ଷିତ ଯୁବକ ଏଭଳି ଠକେଇରେ ସଂପୃକ୍ତ ରହିଛନ୍ତି ବୋଲି ଜଣାପଡ଼ିଛି। ଆଜିର ଉଦ୍ୟାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପୁଲିସ କମିସନର ହିମାଂଶୁ ଲାଲ, ଭୁବନେଶ୍ୱର ଡିସିପି ଅନୁପ ସାହୁ ଓ କଟକ ଡିସିପି ଅଖିଳେଶ୍ୱର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର