ମନ ସ୍ୱାଧୀନ, ପେଟ ପରାଧୀନ

0 230

ଭୁବନେଶ୍ୱର : ଭୋର ସମୟ। ଆକାଶରେ ମେଘ ଘୋଟି ବର୍ଷିବ ବର୍ଷିବ ହେଉଥିଲା। ରାଜଧାନୀର ରାସ୍ତାଘାଟରେ ନିରବତା ବିରାଜି ଥିଲା। କିଛି ମହିଳା ରାସ୍ତାକୁ ଝାଡ଼ୁ ଧରି ସଫା କରିବାରେ ଲାଗି ପଡ଼ିଥିଲେ। ଡଷ୍ଟବିନ୍‌ରୁ ପଚା ଗନ୍ଧ ବାହାରୁଥିଲା। ସେତିକି ବେଳେ ଅଶୋକ ନଗର ରାସ୍ତାର ଏକ ଡଷ୍ଟବିନ୍‌ ବାହାରେ ଜରି ଅଖାଟିଏ ଥୁଆ ହୋଇଥିଲା। ଡଷ୍ଟବିନ୍‌ ଭିତରେ ପଶି କ’ଣ ଏଣୁତେଣୁ ଘାଣ୍ଟିବାରେ ବ୍ୟସ୍ତ ଥିଲା ପିଲାଟିଏ। ତାକୁ ତା ଭିତରେ ଦେଖି ପ୍ରଶ୍ନ କଲୁ, ୟା ଭିତରେ କ’ଣ କରୁଛୁ? ସେ ସଫାସଫା ଶୁଣେଇ ଦେଲା, ଜରି, ପ୍ଲାଷ୍ଟିକ୍‌, ଚଡ଼ଚଡ଼ି ଖୋଜୁଛି। ତମର କ’ଣ ହେଲା ? ଯେଉଁ ପ୍ଲାଷ୍ଟିକ୍‌ ଆଜି ସହର ପାଇଁ ଚିନ୍ତାର କାରଣ ହୋଇଛି, ସେଇ ପ୍ଲାଷ୍ଟିକ୍‌ ଯେ ତା ପେଟ ପାଇଁ ଆହାରର ମାଧ୍ୟମ ପାଲଟିଛି, ତାହା ତା’ କଥାରୁ ସ୍ପଷ୍ଟ ହୋଇଯାଉଥିଲା।

ମୁଁ କହିଲି ନିଜ ଇଚ୍ଛାରେ ଆସିଛୁ ନା କିଏ କହିବାରୁ ? କିଛି କହିଲାନି। କିଛି ସମୟ ପରେ ତା’ ଫଟୋ ଉଠେଇବାକୁ ମୋବାଇଲ୍‌ କାଢ଼ିବାରୁ କହିଲା, ମିଡ଼ିଆ ବାଲାଟି…। ଏତକ କହି ଦୌଡ଼ିଲା। ନୁଖୁରା ଦେହରେ ଥିବା ତା ସାର୍ଟ୍‌ଟା ଅନେକ ଦିନ ହେଲା ଯେ ସଫା ହୋଇନି ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ତାକୁ ଅନୁକରଣ କରି ଶ୍ରୀୟା ଛକଠାରେ ପୁଣି ତାକୁ ଠାବ କଲି। ତା ହାତରେ ୧୦ ଟଙ୍କା ଧରେଇଦେଲି। କୌତୂହଳବଶତଃ ତାକୁ ପଚାରିଲି, କାଲି ସ୍ୱାଧୀନତା ଦିବସ ବୋଲି ଜାଣିଛୁ ଟି ? ସେ କହିଲା ହଁ। ପୁଣି ପଚାରିଲି, ସ୍ୱାଧୀନତା ଦିବସ ମାନେ କ’ଣ କହିଲୁ। ତା’ର ଉତ୍ତର ଥିଲା, ସ୍ୱାଧୀନତା ଦିବସ…. ଉଁ..ଉଁ… ଅଗଷ୍ଟ ପନ୍ଦର। ବାସ୍‌ ସେତିକି..। ସ୍ୱାଧୀନତା ଦିବସ ପାଳିବାକୁ ଆମେ ସଜବାଜ ହେଉଥିବା ବେଳେ ପାହାନ୍ତି ସକାଳରେ ସଫିକ୍‌(ଛଦ୍ମନାମ)ର ଏ ଦୟନୀୟ ସ୍ୱୀକାରୋକ୍ତି ଦେଖି ଲାଗୁଥିଲା ଯେମିତି ତା ମନ ତ ସ୍ୱାଧୀନ, କିନ୍ତୁ ତା’ର ଭୋକିଲା ପେଟ ଆଜି ବି ପରାଧୀନ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.