ଗଣତନ୍ତ୍ର ସୁରକ୍ଷା ଅଭିଯାନର ଆହ୍ବାନ : ତୃତୀୟ ସ୍ବାଧୀନତା ସଂଗ୍ରାମର ଆବଶ୍ୟକତା ରହିଛି

ଭୁବନେଶ୍ବର : ୧୯୭୫ ଜୁନ୍ ୨୬ରେ ‘ଜାତୀୟ ଜରୁରୀକାଳୀନ ପରିସ୍ଥିତି’କୁ ୪୫ବର୍ଷ ପୂର୍ତି ଅବସରରେ ଆଜି ଲୋକନାୟକ ଜୟପ୍ରକାଶ ଅନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର ଓଡ଼ିଶା ଶାଖା ଓ ଲୋକତନ୍ତ୍ର ସେନାନୀ ସଂଘ ଓଡ଼ିଶା ପ୍ରଦେଶ ଆନୁକୂଲ୍ୟରେ ଜୟଦେବ ଭବନରେ ‘ଗଣତନ୍ତ୍ର ସୁରକ୍ଷା ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ଏହାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ସମାଜବାଦୀ ନେତା ପ୍ରଶାନ୍ତ ମିଶ୍ର କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ।

ଜରୁରୀକାଳୀନ ପରିସ୍ଥିତି ଅପେକ୍ଷା ଏବେ ଦେଶ ଓ ରାଜ୍ୟର ପରିସ୍ଥିତି ଅଧିକ ଗୁରୁତର ଓ ଗମ୍ଭୀର ରହିଛି। ଭ୍ରଷ୍ଟାଚାର, ଦୁର୍ନୀତି, ଆର୍ଥିକ ବୈଷମ୍ୟ, ଦାରିଦ୍ର୍ୟ, ବେକାରୀ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି। ଦେଶ‌ରେ ଗାଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ପୁଲିସ ଦ୍ବାରା ଚାଷୀ, ଛାତ୍ର, ସାମ୍ବାଦିକଙ୍କ ସମେତ ଜମି, ଖଣି ପାଇଁ ଆନ୍ଦୋଳନ କରୁଥିବା ବ୍ୟକ୍ତି ମଧ୍ୟ ଅତ୍ୟାଚାରର ଶିକାର ହେଉଛନ୍ତି। ତେଣୁ ଜୟପ୍ରକାଶଙ୍କ ସଂପୂର୍ଣ୍ଣ କ୍ରାନ୍ତି ହାସଲ ପାଇଁ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗରେ ତୃତୀୟ ସ୍ବାଧୀନତା ସଂଗ୍ରାମର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା। ନିର୍ବାଚନରେ କଳା ଟଙ୍କାର ବ୍ୟାପକ ବ୍ୟବହାର, କ୍ଷମତାର ଅପବ୍ୟବହାର, ସରକାରୀ କଳକୁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟବହାର କରିବାକୁ ନେଇ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା। ଦେଶରେ ସଂଘୀୟ ସାମ୍ବିଧାନିକ ବ୍ୟବସ୍ଥାର ସଂକୋଚନ ଓ ଖଣିଜ ଦ୍ରବ୍ୟ ତଥା ସମସ୍ତଙ୍କ ଅଧିକାର ଥିବା ପ୍ରାକୃତିକ ସଂପଦକୁ ଚାଲିଥିବା ଲୁଟ୍ ଉଦ୍ୟମକୁ ବିରୋଧ କରାଯାଇଥିଲା। ଜରୁରୀ ପରିସ୍ଥିତିରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଜେଲ୍‌ ଯାଇଥିବା ରାଜ୍ୟର ସତ୍ୟାଗ୍ରହୀ ଓ ସଂଗ୍ରାମୀମାନଙ୍କୁ ଅନ୍ୟ ରାଜ୍ୟ ଭଳି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବାକୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ସତ୍ୟାଗ୍ରହୀଙ୍କୁ ସାମାଜିକ ସ୍ବୀକୃତି ଓ ମର୍ଯ୍ୟାଦା, ପେନସନ୍, ସମ୍ମାନ ରାଶିର ବ୍ୟବସ୍ଥା, ମାଗଣାରେ ଚିକିତ୍ସା, ଗମନାଗମନର ସରକାରୀ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଥିଲା।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ, ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ସିଂ, ଶିକ୍ଷାବିତ୍ ହୃଷୀକେଶ ରଥଙ୍କୁ ‘ଲୋକନାୟକ ୨୦୧୯’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସରୋଜ କୁମାର ଶତପଥୀ, ପ୍ରଭାସ ସାମନ୍ତରାୟ, ପଞ୍ଚାନନ ସେନାପତି, ସରୋଜ କୁମାର ‌ବେହେରା, ସ୍ତମ୍ଭକାର ସୁଦର୍ଶନ ଛୋଟରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର