ଇଣ୍ଡିଆ…ଇଣ୍ଡିଆ… ୫ ମିନିଟ୍‌ ଉଡ଼ିଲା ପାରା

ସନ୍ଧ୍ୟା ୭ଟାରେ ମଇଦାନକୁ ଓହ୍ଲାଇଥାନ୍ତେ ଭାରତ-‌‌ବେଲଜିୟମ୍‌। ହେଲେ ଏହାର ତିନି ଘଣ୍ଟା ପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍‌ଗୁଡ଼ିକରେ ଲାଗିଥିଲା ଦର୍ଶକଙ୍କ ଲମ୍ବା ଧାଡ଼ି। ହାତରେ ଟିକେଟ୍‌ ଧରି ଛିଡ଼ା ହୋଇଥିଲେ। ଅପରାହ୍ନ ୫ଟାରେ ଦକ୍ଷିଣ ଆଫ୍ରିକା-କାନାଡା ମଧ୍ୟରେ ମ୍ୟାଚ୍‌ ଥିଲେ ମଧ୍ୟ ଦର୍ଶକମାନେ ଚା‌ତକ ପରି ଅନେଇ ରହିଥିଲେ ଭାରତ ମ୍ୟାଚ୍‌କୁ। ସନ୍ଧ୍ୟା ୬ଟା ବେଳକୁ ସବୁ ଗ୍ୟାଲେରିରେ ଦେଖିବାକୁ ମିଳିଥିଲା ଖଚାଖଚ ଭିଡ଼। ପ୍ରଥମ ମ୍ୟାଚ୍‌ ସରିବା କ୍ଷଣି ଦର୍ଶକଙ୍କ ଉତ୍କଣ୍ଠା ସବୁ ସୀମା ଟପିଥିଲା। ଇଣ୍ଡିଆ… ଇଣ୍ଡିଆ…ରେ ପ୍ରକମ୍ପିତ ହୋଇଉଠିଥିଲା କଳିଙ୍ଗ ଷ୍ଟାଡିୟମ୍‌ ପରିସର। ଜାତୀୟ ସଙ୍ଗୀତ ଗାନ ପରେ ଉତ୍ସାହିତ ହୋଇଉଠିଥିଲେ ଦର୍ଶକ। ପ୍ରଥମ କ୍ବାର୍ଟର୍‌ରେ ବେଲଜିୟମ୍‌ ‌ଦଳ ୧-୦ରେ ଆଗୁଆ ଥିବାରୁ ଦର୍ଶକଙ୍କ ମଧ୍ୟରେ ଟିକିଏ ନିରାଶ ଖେଳି ଯାଇଥିଲା। ହେଲେ ପରବର୍ତୀ ସମୟରେ ଭାରତ ଜୋରଦାର ପ୍ରତ୍ୟାବର୍ତନ ପରେ ଦର୍ଶକ ଆଉ ସିଟ୍‌ରେ ବସିନଥିଲେ। ଛିଡ଼ା ହୋଇ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଭାରତ ଅଳ୍ପରେ ବିଜୟରୁ ବଞ୍ଚିତ ହୋଇଥିବାରୁ ଦର୍ଶକ ଟିକିଏ ନିରାଶ ହୋଇଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଷ୍ଟାଡିୟମ୍‌ରେ ରହି ଭାରତୀୟ ‌ଖେଳାଳିଙ୍କୁ ସମର୍ଥନ ଜଣାଇଥିଲେ।

ପ୍ଲାନିଟୋରିୟମ୍‌ ବୁଲିଲେ ଚାଇନା ସୀମାନ୍ତ ପର୍ଯ୍ୟଟକ ଦଳ
ଚାଇନା ସୀମାନ୍ତରୁ ଆସିଥିବା ଏକ ପର୍ଯ୍ୟଟକ ଦଳ ଆଜି ପଠାଣୀ ସାମନ୍ତ ପ୍ଲାନିଟୋରିୟମ୍‌ ଭ୍ରମଣ କରିଛନ୍ତି। ହକି ବିଶ୍ବକପ୍‌ ଚାଲିଥିବା ସମୟରେ ଇଣ୍ଡୋ ତିବ୍ବତୀୟାନ ବର୍ଡର ପୁଲିସ(ଆଇଟିବିପି) ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ପର୍ଯ୍ୟଟକମାନେ ପ୍ଲାନିଟୋରିୟମ୍‌ ବୁଲିବା ସହ ସୋ’ର ମଜା ଉଠାଇଥିଲେ।

୫ ମିନିଟ୍‌ ଉଡ଼ିଲା ପାରା
ଖେଳ ଚାଲିଥିବା ବେଳେ ଷ୍ଟାଡିୟମ୍‌ ଆକାଶରେ ଉଡ଼ି ଆସିଥିଲା ଏକ ପାରା। ହଠାତ୍‌ ପାରାକୁ ଦେଖି ଦର୍ଶକଙ୍କ ମଧ୍ୟ ଉତ୍ସାହ ଖେଳି ଯାଇଥିଲା। ଚିତ୍କାର କରି ଚାଲିଥି‌ଲେ। ଆକାଶରେ ପାରା ଉଡ଼ୁଥିବା ‌ବେଳେ ଖେଳାଳିଙ୍କ ଦ୍ବାରା ମରାଯାଇଥିବା ବଲ୍‌ ଉପରକୁ ଉଠି ଯାଇଥିଲା। ଆକାଶରେ କେଉଁଠି ବଲ୍‌ ଓ କେଉଁଠି ପାରା ତାହା ଜଣାପଡ଼ିଥିଲା। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ ଭ୍ରମ ସୃଷ୍ଟି ହୋଇଥିଲା। ପ୍ରାୟ ୫ ମିନିଟ୍‌ ଧରି ଉଡ଼ିବା ପରେ ପାରାଟି ଷ୍ଟାଡିୟମ୍‌ ବାହାରକୁ ପଳାଇଥିଲା।

ଖେଳାଳିଙ୍କ ସହ ସେଲ୍‌ଫି
‌ଭିଭିଆଇପି ପାସ୍‌ଧାରୀଙ୍କ ପାଇଁ ଥିଲା ନିଆରା ସୁଯୋଗ। ଖେଳାଳିଙ୍କ ସହ ସେଲ୍‌ଫି ଉଠାଇବାକୁ ଦର୍ଶକଙ୍କୁ ମିଳିଥିଲା ମଉକା। ପଶ୍ଚିମ ଷ୍ଟାଣ୍ଡ ବାଟେ ଖେଳାଳିମାନେ ବାହାରକୁ ଯାଉଥିବା ସମୟରେ ଦର୍ଶକମାନେ ସେମାନଙ୍କୁ ନିକଟରୁ ଦେଖିବାର ସୁଯୋଗ ପାଇଥିଲେ। ଦୂରରେ ଥାଇ ଖେଳାଳିଙ୍କ ସହ ସେଲ୍‌ଫି ନେଇଥିଲେ। ପୁଲିସ କଟକଣା ଯୋଗୁଁ କେତେକ ଦର୍ଶକ ନିରାଶ ମଧ୍ୟ ହୋଇଥିଲେ।

ଉତ୍ସାହିତ ବେଲ୍‌ଜିୟମ ପ୍ରଶଂସକ
ଷ୍ଟାଡିୟମ୍‌ରେ କେବଳ ଭାରତୀୟ ଦର୍ଶକ ଥିଲେ, ତାହା ନୁହେଁ। ବେଲ୍‌ଜିୟମ ହକି ଦଳକୁ ସମର୍ଥନ ଜଣାଇବା ପାଇଁ ସେହି ଦେଶରୁ ଧାଇଁ ଆସିଛନ୍ତି ‌ହକିପ୍ରେମୀ। ବେଲ୍‌ଜିୟମ୍‌ର ଚାର୍ଲି ୟଭର୍ସ, ଚାର୍ଲି ଚିଟିଷ୍ଟାଫର, କ୍ଲାଉଡିଆ ଡାସିଲ୍‌ ଓ ଇଲ୍‌ସେ ଭାନକ୍ସ ଜେମ୍‌ ପରି ଅନେକ ସମର୍ଥକ ବେଲ୍‌ଜିୟମ୍‌ ଟିମ୍‌କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ହାପ୍‌ ଟାଇମ୍‌ ବେ‌ଳକୁ ବେଲ୍‌ଜିୟମ ୧-୦ରେ ଆଗୁଆ ଥିବା ବେଳେ ସେମାନେ ବେଲ୍‌ଜିୟମ ପତାକା ଧରି ହିନ୍ଦି ଗୀତର ତାଳେ ତାଳେ ନାଚିଥିଲେ। ମ୍ୟାଚ୍‌ ଡ୍ର ରହିଥିବାରୁ ବେଲଜିୟମ୍‌ ଦର୍ଶକ ଖୁସିବ୍ୟକ୍ତ କରିଥିଲେ। ଗତ ୮ ତାରିଖରୁ ସେମାନେ ରାଜଧାନୀରେ ପହଞ୍ଚି ଓଡ଼ିଶାର ଐତିହ୍ୟସ୍ଥଳୀ ବୁଲି ସାରିଥିବା କହିଛନ୍ତି।

ଜମ୍ପ୍‌ ଫର୍‌ ଭୁବନେଶ୍ବର ଚ୍ୟାଲେଞ୍ଜ୍‌
ହକି ବିଶ୍ବକପ୍‌ ଆୟୋଜନ ସହ ବଦଳି ଯାଇଛି ସହରର ଦୃଶ୍ୟପଟ୍ଟ। କଥା କହୁଛି କାନ୍ଥ ବାଡ଼। ସ୍ଥାପତ୍ୟରେ ନୂଆନୂଆ ଲାଗୁଛି ଏକାମ୍ର କ୍ଷେତ୍ରରୁ କଳିଙ୍ଗ ନଗର। ଏହି କଳାକୃତିକୁ ସୁଦୂର ପ୍ରସାରୀ କରିବା ପାଇଁ ସ୍ମାର୍ଟ ସିଟି ଭୁବନେଶ୍ବର ପକ୍ଷରୁ ଆରମ୍ଭ ହୋଇଛି ‘ଜମ୍ପ୍‌ ଫର୍‌ ଭୁବନେଶ୍ବର ଚ୍ୟାଲେଞ୍ଜ୍‌’। ସୋସିଆଲ୍‌ ମିଡିଆ ବ୍ୟବହାର କରୁଥିବା ବ୍ୟକ୍ତି ଭୁବନେଶ୍ବରକୁ ସୁନ୍ଦର କରୁଥିବା କଳାକୃତି ସମ୍ମୁଖରେ ‌ଡିଆଁ ମାରିବା ଅବସ୍ଥାରେ ଏକ ଫଟୋ ଉଠାଇବାକୁ ପଡ଼ିବ। ଏହି ଫଟୋ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିବା ସହ ଦୁଇ ଜଣ ସାଥୀଙ୍କୁ ଏହି ଚ୍ୟାଲେଞ୍ଜ୍‌ ଗ୍ରହଣ କରିବା ପାଇଁ ଟ୍ୟାଗ୍‌ କରିବାକୁ ପଡ଼ିବ। ଏହି କ୍ରମରେ ସ୍ମାର୍ଟ ସିଟି ଭୁବନେଶ୍ବର ପକ୍ଷରୁ ଆରମ୍ଭ ହୋଇଥିବା ଏହି ଚ୍ୟାଲେଞ୍ଜ୍‌ରେ ପ୍ରଥମେ ସାମିଲ୍ ହୋଇଛନ୍ତି ଓଲିଉଡ୍‌ ତାରକା ବାବୁସାନ, ପ୍ରକୃତି ମିଶ୍ର ଏବଂ ଆଥ୍‌ଲେଟ୍‌ ଦୂତି ଚାନ୍ଦ। ଏହି ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରି ବାବୁସାନ ଓ ପ୍ରକୃତି ମିଶ୍ର ନିଜର ଫଟୋ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିବା ସହ ୨ଜଣଙ୍କୁ ଟ୍ୟାଗ୍‌ କରିଛନ୍ତି। ଅଭିନେତ୍ରୀ ଶିବାନୀ ସଂଗୀତା ମଧ୍ୟ ଏହି ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରି ନିଜର ଫଟୋ ‌େସାସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରି ୨ଜଣ ବନ୍ଧୁଙ୍କୁ ଟ୍ୟାଗ୍‌ କରିଛନ୍ତି। ଆସନ୍ତାକାଲି ଶିଶୁ ଭବନ ଛକରେ ଭୁବନେଶ୍ବର ଆଇଟି ଇଣ୍ଡଷ୍ଟ୍ରିର ୧୦୦ରୁ ଅଧିକ ବ୍ୟକ୍ତି ଏହି ଜମ୍ପ୍‌ ଫର୍‌ ଭୁବନେଶ୍ବର ଚ୍ୟାଲେଞ୍ଜ୍‌ରେ ଦିନ ୧୧ଟା ବେଳେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର