ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସ, ଓଡ଼ିଶା ଶାଖାର ‘ପ୍ରତିଷ୍ଠା ଦିବସ’ ରାଜ୍ୟ ମୁଖ୍ୟାଳୟଠାରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ଏହି ଦିବସକୁ ‘ଫ୍ଲାଗ୍‌ ଡେ’ ରୂପେ ପାଳନ କରାଯାଉଛି। ଆଜି ପ୍ରତ୍ୟୁଷରୁ ସ୍କାଉଟ୍‌ ଓ ଗାଇଡ୍‌ମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ନିକଟକୁ ଯାଇ ସଂସ୍ଥାର ପ୍ରତୀକ ଚିହ୍ନ ସ୍ବରୂପ ବ୍ୟାଜ୍‌ ଲଗାଇ ସଂଗଠନର ବାର୍ତ୍ତା ପ୍ରଚାରର ଶୁଭାରମ୍ଭ କରିଥିଲେ। ରାଜ୍ୟ ମୁଖ୍ୟ କମିସନର୍‌ ତଥା ଜାତୀୟ ଉପସଭାପତି କାଳୀ ପ୍ରସାଦ ମିଶ୍ର ବହୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବ୍ୟାଜ୍‌ ଲଗାଇ ଏହି ଦିବସ ପାଳନର ବିଶେଷତ୍ବ ସଂପର୍କରେ ଅବଗତ କରାଇଥିଲେ। ଅପରାହ୍‌ଣରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମିଶ୍ର ଯୋଗଦେଇ ‘ଫ୍ଲାଗ୍‌ ଡେ’ ପାଳନର ବିଶେଷତ୍ବ ସଂପର୍କରେ କହିଥି‌ଲେ। ରାଜ୍ୟ ସଂପାଦକ ରାମ ମୂର୍ତ୍ତି ଦୋରା ଯୋଗଦେଇ ଯୁବ ଓ ଛାତ୍ର ବର୍ଗଙ୍କୁ ସ୍ବେଚ୍ଛା‌କୃତ ଭାବେ ସେବା କରିବାକୁ ଆହ୍ବାନ ଜଣାଇଥିଲେ।

ଏହି ଅବସରରେ ଭୁବନେଶ୍ବରର ବିଭିନ୍ନ ବିଦ୍ୟାଳୟମାନଙ୍କରୁ ୬୦୦ ସ୍କାଉଟ୍‌ ଗାଇଡ୍‌, ସ୍କାଉଟ୍‌ ମାଷ୍ଟର, ଗାଇଡ୍‌ କ୍ୟାପ୍‌ଟେନ୍‌ଙ୍କ ସମେତ ୫୦ ଜଣ ରୋଭର, ରେଞ୍ଜର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସ୍କାଉଟ ଓ ଗାଇଡ୍‌ମାନଙ୍କ ମଧ୍ୟରେ ଦଳଗତ ନୃତ୍ୟ ଓ ପ୍ଲାଷ୍ଟିକ୍‌ ଉପରେ ସଚେତନତା ପାଇଁ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ପ୍ରପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ ଉଦ୍ଦେଶ୍ୟରେ ପାଳିତ ହେଉଥିବା ‘ଫ୍ଲାଗ ଡେ’ର ମହତ୍ବ ସ୍ବରୂପ ପ୍ରତି ଅଂଶଗ୍ରହଣକାରୀ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ। କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥି‌ଲେ। କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର