ପ୍ରତ୍ୟେକ ସିଏଚ୍‌ସିରେ ହେବ ଦନ୍ତ ଚିକିତ୍ସା ୟୁନିଟ୍‌ : ମୁଖ୍ୟମନ୍ତ୍ରୀ

ଭାରତୀୟ ଦନ୍ତ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର : ରାଜ୍ୟରେ ଦନ୍ତ ରୋଗ ଜନିତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ବଜେଟ୍‌ରେ ୪ଶହରୁ ଅଧିକ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦନ୍ତ ଚିକିତ୍ସା ୟୁନିଟ୍‌ ଖୋଲାଯିବା ସହିତ ଜଣେ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଇଣ୍ଡିଆନ ଡେଣ୍ଟାଲ ଆସୋସିଏସନ୍‌ (ଆଇଡିଏ) ପକ୍ଷରୁ ୭୧ତମ ଭାରତୀୟ ଦନ୍ତ ସମ୍ମିଳନୀ ହୋଟେଲ ସ୍ୱସ୍ତି ପ୍ରିମିୟମରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ଦନ୍ତ ଚିକିତ୍ସା ୟୁନିଟ୍‌ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମିର ବିକାଶ ସହିତ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦିଆଯିବ। ଦାନ୍ତ କ୍ଷୟଜନିତ କର୍କଟ ରୋଗର ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ଦାନ୍ତ ଡାକ୍ତର ସହାୟକ ହୋଇପାରିବେ। ଏହାସହ ରାଜ୍ୟର ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକରେ ଦାନ୍ତ ରୋଗର ଚିକିତ୍ସା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି।

ସେହିପରି ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବା ଆରବିଏସ୍‌କେ ଜରିଆରେ ପ୍ରାରମ୍ଭିକ ନିରୀକ୍ଷଣ କେନ୍ଦ୍ରରେ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଯାହାଫଳରେ ସେମାନେ ଶିଶୁମାନଙ୍କ ଦାନ୍ତ ରୋଗଜନିତ ସମସ୍ୟା ଦୂର କରିବା ଦିଗରେ ସହାୟକ ହୋଇପାରିବେ। ଏହାସହ ବିଭିନ୍ନ କ୍ଷେତ୍ରରେ ଏମ୍‌ଡିଏସ୍‌ ସିଟ୍‌ ମଧ୍ୟ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏସ୍‌ସିବି ମେଡିକାଲ କଲେଜରେ ମାଇକ୍ରୋ ଭାସ୍କୁଲାର ଅସ୍ତ୍ରୋପଚାର ଜରିଆରେ ଦାନ୍ତ ମାଢ଼ିକୁ ପୁନର୍ବାର ଲଗାଇବା ଓ ଚିକିତ୍ସା କରାଯାଉଛି। ଏହାସହ ଦାନ୍ତର ସଂରକ୍ଷଣ ପାଇଁ ଅତ୍ୟାଧୁନିକ ଚିକିତ୍ସା ମଧ୍ୟ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଘର ସ୍ମରଣିକା ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଆଇଡିଏର ସଭାପତି ଡା.ବିଶ୍ୱାସ ପୁରାନିକ୍‌ ଓ ସଂଘର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର