ସ୍ୱଚ୍ଛ ସର୍ଭେକ୍ଷଣ ତାଲିକା ପ୍ରକାଶ ପାଇଲା

ଇନ୍ଦୋର ସବୁଠୁ ସ୍ୱଚ୍ଛ, ଭୁବନେଶ୍ୱର ସ୍ଥିତି ଅସ୍ପଷ୍ଟ

ଭୁବନେଶ୍ୱର: ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ମିସନ ଅଭିଯାନରେ ଜାନୁଆରି ୪ରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ହୋଇଥିବା ସ୍ୱଚ୍ଛ ସର୍ଭେକ୍ଷଣ-୨୦୧୮ର ଫଳ ଆଜି ପ୍ରକାଶ ପାଇଛି।  ଏଥିରେ ଦେଶର ୪,୨୦୩ଟି ସହର ଭାଗ ନେଇଥିବାବେଳେ ଇନ୍ଦୋର ସବୁଠୁ ସ୍ୱଚ୍ଛ ସହର ମାନ୍ୟତା ପାଇଛି। ଏଥିରେ ଭୋପାଳ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଚଣ୍ଡୀଗଡ଼ ତୃତୀୟ ସ୍ଥାନରେ ଅଛି। ଇନ୍ଦୋର ଓ ଭୋପାଳ ଲଗାତର ଦ୍ୱିତୀୟ ବର୍ଷ ପାଇଁ ସମାନ ସ୍ଥାନରେ ରହିଛନ୍ତି। ଆଜି ଏନେଇ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ ଟୁଇଟ୍‌ କରି ଜଣାଇଛନ୍ତି। ହେଲେ ଗତବର୍ଷ ସାରା ଦେଶରେ ୯୪ତମ ସ୍ଥାନରେ ଥିବା ଭୁବନେଶ୍ୱର କେତେ ସ୍ଥାନରେ ଅଛି ତାହା ଜଣାପଡ଼ିନି। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଖୁବ୍‌ ଶୀଘ୍ର  ଏନେଇ ସବିଶେଷ ତଥ୍ୟ ପ୍ରକାଶ ପାଇବ ବୋଲି କୁହାଯାଇଛି। ସବୁଠୁ ସଫା ରାଜଧାନୀର ମାନ୍ୟତା ଗ୍ରେଟର୍‌ ମୁମ୍ବାଇକୁ ମିଳିଥିବାବେଳେ ନାଗପୁର ଇନୋଭେସନ୍‌ ଓ ବେଷ୍ଟ ପ୍ରାକ୍ଟିସ୍‌ ପାଇଁ ପୁରସ୍କୃତ ହେବ। ସେହିପରି କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ନଭି ମୁମ୍ବାଇ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଏହାବାଦ୍‌ ଜୋନ୍‌ସ୍ତରରେ ଉତ୍ତରରେ ପଞ୍ଜାବର ଭାଲସୋ, ପୂର୍ବରେ ଝାଡ଼ଖଣ୍ଡର ବୁଣ୍ଡୁ, ଉତ୍ତରପୂର୍ବରେ ମଣିପୁରର କାକଚିଙ୍ଗ୍‌, ଦକ୍ଷିଣରେ ତେଲେଙ୍ଗାନାର ସିଦ୍ଦିପେଟ୍‌, ପଶ୍ଚିମରେ ମହାରାଷ୍ଟ୍ରର ପଞ୍ଚଗାନି ସହର ରହିଛନ୍ତି। ଗତବର୍ଷ ପୂର୍ବ ଭାରତର ସବୁଠୁ ସଫା ସହର ମାନ୍ୟତା ପାଇଥିବା ଭୁବନେଶ୍ୱର ଏଥର ଏହି ତାଲିକାରେ ନାହିଁ।

ଚଳିତବର୍ଷ ମୋଟ୍‌ ୪ହଜାର ମାର୍କରେ ସର୍ଭେ ହୋଇଥିବାବେଳେ କେନ୍ଦ୍ରୀୟ ଟିମ୍‌ ପରିଦର୍ଶନ ଦ୍ୱାରା ୩୦% ମାର୍କ, ସହରବାସୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ଉପରେ ୩୫% ଏବଂ ନାଗରିକ ମତାମତରୁ ୩୫% ମାର୍କ ପ୍ରଦାନ କରାଯାଇଛି। ସ୍ୱଚ୍ଛ ସର୍ଭେକ୍ଷଣ ୨୦୧୭ରେ ଭୁବନେଶ୍ୱର ୯୪ତମ ସ୍ଥାନରେ ଥିଲା। ଓଡ଼ିଶାର ଅନ୍ୟ ସହର ମଧ୍ୟରେ ରାଉରକେଲା ୧୬୮ତମ, ବ୍ରହ୍ମପୁର ୧୮୭ତମ, ବାଲେଶ୍ୱର ୧୯୦ତମ, ପୁରୀ ୧୯୪ତମ, କଟକ ୨୦୪ତମ, ବାରିପଦା ୨୬୧ତମ,  ସମ୍ବଲପୁର ୩୨୨ତମ, ଭଦ୍ରକ ୩୪୯ତମ ସ୍ଥାନରେ ଥିଲେ। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଖୁବ୍‌ ଶୀଘ୍ର  ଏନେଇ ସବିଶେଷ ତଥ୍ୟ ପ୍ରକାଶ ପାଇବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର