ଆରମ୍ଭ ହେଲା ‘ଇନ୍ଦ୍ରଧନୁ’ : ଯୋଗ ଦେଲେ ୧୬୮ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଖୋର୍ଧା ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ‘ଅନ୍ତର୍ନିବେଶୀ ଶିକ୍ଷା ଯୋଜନା’ ଦ୍ୱାରା ୟୁନିଟ୍‌-୨ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଆଜି ‘ଇନ୍ଦ୍ରଧନୁ’ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି। ଭୁବନେଶ୍ୱର ମହାନଗର ନିଗମ ଓ ବ୍ଲକ୍‌ର ସମସ୍ତ ସ୍କୁଲ୍‌ରୁ ୧୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସମେତ ଖୋର୍ଧା ଜିଲ୍ଲାର ଅନ୍ୟ ବ୍ଲକ୍‌ର ସ୍କୁଲ୍‌ମାନଙ୍କରୁ ୧୮ଜଣ କରି ମୋଟ୍‌ ୧୬୮ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜୀବନର ସମସ୍ତ ରଙ୍ଗ ଦିବ୍ୟାଙ୍ଗ ଶିଶୁଙ୍କ ହାତରେ ଭରି ଦେବାକୁ ଏହି ସାତରଙ୍ଗର କାର୍ଯ୍ୟକ୍ରମ ‘ଇନ୍ଦ୍ରଧନୁ’ର ସୃଷ୍ଟି। ଏଥିରେ ୭ ପ୍ରକାର ଶୈକ୍ଷିକ ତଥା ସହ-ଶୈକ୍ଷିକ କାର୍ଯ୍ୟକ୍ରମ ଯଥା- ଗଣିତ ମଜା, ଆମ ଭାଷା, ମୋ ପରିବେଶ, ବିଜ୍ଞାନ କୁହୁକ, ମୃତ୍ତିକା କଳା, ଚିତ୍ରାଙ୍କନ, ହସ୍ତକଳା, ସଙ୍ଗୀତ ଓ ଯାଦୁ ଆଦି ସ୍ୱତନ୍ତ୍ର ଶିକ୍ଷାଦାନ ଚାଲୁରହିବ। ପୁଣି ବୃକ୍ଷରୋପଣ, ଅଭିଭାବକମାନଙ୍କୁ ନେଇ ମ୍ୟୁଜିକ୍‌ ଚେୟାର୍‌ ଆଦିର ମଧ୍ୟ ଆୟୋଜନ କରାଯିବ। ଆଜିର କାର୍ଯ୍ୟକ୍ରମରେ ଶିକ୍ଷା ଉପନିର୍ଦ୍ଦେଶକ ସୁରେଖା ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କ୍ୟାପିଟାଲ୍‌ ହାଇ ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ସୋନାମିକା ରାୟ ମୁଖ୍ୟବକ୍ତା ଏବଂ ସିଡବ୍ଲ୍ୟୁଏସ୍‌ଏନ୍‌ ସଂଯୋଜିକା ପୁଷ୍ପମିତ୍ରା ମିଶ୍ର, ୟୁନିଟ୍‌-୨ ହାଇସ୍କୁଲ୍‌ ପ୍ରଧାନ ଶିକ୍ଷୟିତ୍ରୀ ଶୈଳାଧି ରାଜତନୟା ଶତପଥୀ, ଆଇଆର୍‌ସି ହାଇସ୍କୁଲ୍‌ ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ମେକାପ ଓ ଚିଦାମ୍ବିକା ଖଟୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭୁବନେଶ୍ୱର ବ୍ଲକ୍‌ ଶିକ୍ଷା ଅଧିକାରୀ ସସ୍ମିତା ମାଳିଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ ବିଦ୍ୟାଧର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର