ଇନ୍‌ଷ୍ଟିଚ୍ୟୁଟ୍‌ସ୍‌ ଅଫ୍ ଟାଉନ୍‌ ପ୍ଲାନର୍ସ ଇଣ୍ଡିଆ ସମ୍ମିଳନୀ: ‘ଭୁବନେଶ୍ବର ବିକାଶ ପାଇଁ ଘରୋଇ ସଂସ୍ଥା ଆଗକୁ ଆସନ୍ତୁ’

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍‌ସ୍‌ ଅଫ୍ ଟାଉନ୍‌ ପ୍ଲାନର୍ସ ଇଣ୍ଡିଆ ପକ୍ଷରୁ ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ ପରିସରରେ ପୂର୍ବାଞ୍ଚଳ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ଟ୍ରାଞ୍ଜିଟ୍‌ ଓରିଏଣ୍ଟେଡ୍‌ ଡେଭଲପ୍‌ମେଣ୍ଟ ଓ ଫ୍ୟୁଚର ସ୍ପୋର୍ଟସ୍‌ ସିଟି, ଭୁବନେଶ୍ବର’ ଉପରେ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସମ୍ମଳନୀକୁ ଉଦ୍‌ଘାଟନ କରିବା ଅବସରରେ କହିଲେ, ଭୁବନେଶ୍ବରର ବିକାଶ ଓ ଏହାକୁ ଏକ ଅତ୍ୟାଧୁନିକ ମେଟ୍ରୋ ସହର ଭାବେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ଦିଗରେ ଉଭୟ ବିଏମସି ଏବଂ ବିଡିଏ ମିଳିତ ସହଯୋଗରେ କାର୍ଯ୍ୟ କରୁଛନ୍ତି। ଭୁବ‌ନେଶ୍ବରକୁ ବିକାଶର ଶିଖରକୁ ପହଞ୍ଚାଇବାକୁ ହେଲେ ଘରୋଇ ସଂଗଠନ ମଧ୍ୟ ଆଗକୁ ଆସିବା ଆବଶ୍ୟକ। ଫ୍ୟୁଚର ସ୍ପୋର୍ଟସ୍‌ ସିଟି, ଭୁବନେଶ୍ବର ପ୍ରସଙ୍ଗରେ ସେ କହିଥିଲେ ଭବିଷ୍ୟତରେ କ୍ରୀଡ଼ାର ରାଜଧାନୀ ଭାବରେ ଭୁବନେଶ୍ବର ପରିଗଣିତ ହେବାକୁ ହେଲେ ଏଥିପ୍ରତି ସରକାରୀ ତଥା ବେସରକାରୀ ସ୍ତରରେ ଉଦ୍ୟମ ଆବଶ୍ୟକ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଯୋଗ ଦେଇ ଟ୍ରାନ୍ସପୋର୍ଟ ଓରିଏଣ୍ଟେଡ ଡେଭଲପମେଣ୍ଟ ଉପରେ ଗୁରୁତ୍ୱ ଦେଇ କହିଥିଲେ, ଏହା କାର୍ଯ୍ୟକାରୀ ହୋଇପାରି‌ଲେ ସହର-ସହର ମଧ୍ୟରେ ଦୂରତା କମିବା ସହ ବିକାଶ ମଧ୍ୟ ସହଜ ହେବ। କାର୍ଯ୍ୟକ୍ରମର ଆୟୋଜକ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟାଉନ ପ୍ଲାନର୍ସ ଇଣ୍ଡିଆର ସଭାପତି ପ୍ର. ଡ.ଏସ୍. ମଶେରମ ସ୍ୱାଗତ ଭାଷଣ ଦେବା ଅବସରରେ କହିଥିଲେ ଯେ, ବଡ଼ ସହରଗୁଡ଼ିକରେ ବର୍ତ୍ତମାନ ଯେଉଁଭଳି ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇଛି ସେଥିପାଇଁ ଟ୍ରାଞ୍ଜିଟ ଓରିଏଣ୍ଟେଡ୍‌ ଡେଭଲପମେଣ୍ଟ ହିଁ ଏକମାତ୍ର ବିକଳ୍ପ। ସେହିଭଳି ଫ୍ୟୁଚର ସ୍ପୋର୍ଟସ୍‌ ସିଟି ପ୍ରସଙ୍ଗରେ ସେ କହିଥିଲେ, ୨୦୧୮ର ଭୁବନଶ୍ବର ହକି ୱାର୍ଲଡ କପ୍‌ ଆୟୋଜନ କରି ଇତିହାସ ରଚିଛି। ଆଗକୁ ଏହାର ଭବିଷ୍ୟତ ବେଶ୍‌ ଉଜ୍ଜ୍ବଳ। ଏହି ଦିନିକିଆ ସମ୍ମିଳନୀରେ ଓଡିଶା ଚାପ୍ଟରର ଅଧ୍ୟକ୍ଷ ଏଲ ପି ପଟ୍ଟନାୟକ, ଆଟିପିଆଇ ସେକ୍ରେଟାରୀ ପ୍ରଦୀପ କପୁର ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଓଆରସି, ଆଟିପିଆଇ ସେକ୍ରେଟାରୀ ସ୍ୱାତୀ ବିନାୟକ ଦାସ।

ସମ୍ବନ୍ଧିତ ଖବର