୧୩ରୁ ଅନ୍ତର୍ଜାତୀୟ ରେଡିଓ ମେଳା, ମେଳାରେ ପ୍ରଦର୍ଶିତ ହେବ ୩ ହଜାର ରେଡିଓ, ଗ୍ରାମଫୋନ୍‌

ଭୁବନେଶ୍ବର: ଖବର ପଢ଼ିବେ ଉପେନ୍ଦ୍ର ପାହାଡ଼ ସିଂ। ମନ ମୋହିବେ ରେଡ୍‌ ଏଫ୍‌ଏମ୍‌ର ଚର୍ଚିତ ଚରିତ୍ର ବୌଆ (ଆର୍‌ଜେ ରୌନକ୍‌)। ଦେଖିବାକୁ ମିଳିବ ୩ହଜାର ପୁରୁଣା ରେଡିଓ, ଗ୍ରାମଫୋନ୍‌ ଓ  ପ୍ରସାରଣ ସାମଗ୍ରୀ। ଦେଶର ଏକମାତ୍ର ଅନ୍ତର୍ଜାତୀୟ ରେଡିଓ ମେଳାରେ ଏସବୁ ମନୋରଂଜନର ସମାହାରକୁ ଉପଭୋଗ କରିବାର ଅବକାଶ ଜୁଟିବ। ‘ଆଉଟ୍‌ରିଚ୍‌’ ପକ୍ଷରୁ ବିଶ୍ବ ରେଡିଓ ଦିବସର ଅବସରରେ ଭଂଜ କଳାମଣ୍ଡପରେ ଆସନ୍ତା ୧୩ ତାରିଖରୁ ଆୟୋଜିତ ହେବ ଏହି ୨ ଦିନିଆ ଅନ୍ତର୍ଜାତୀୟ ରେଡିଓ ମେଳା। ଏଥିରେ ଜାପାନ, ଆମେରିକା ଓ ବାଂଲାଦେଶର ରେଡିଓ ଷ୍ଟେସନ୍‌ର ପ୍ରତିନିଧିମାନେ ସାମିଲ୍‌ ହେବେ। ଆକାଶବାଣୀ, ରେଡ୍‌ ଏଫ୍‌ଏମ୍‌, ରେଡିଓ ଚକ୍‌ଲେଟ୍‌, ରେଡିଓ ଭୁବନେଶ୍ବର ସମେତ ଅନ୍ୟ କିଛି ଭାରତୀୟ ରେଡିସ ଷ୍ଟେସନ୍‌ ଏହି ମେଳା ପରିସରରେ ନିଜର ଷ୍ଟଲ୍‌ ଖୋଲିବେ। ରେଡିଓ ମେଳାରେ ଆକର୍ଷଣ ସାଜିବ ବୋଲଗଡ଼ର ଅକ୍ଷୟ ପଟ୍ଟନାୟକ, ଭୁବନେଶ୍ବରର ସଂଜୀବ ମାନା, କେନ୍ଦ୍ରାପଡ଼ାର କାଳୀପ୍ରସନ୍ନ ପଣ୍ଡା ଏବଂ କଟକର ସନ୍ତୋଷ ବିଶ୍ବାଳଙ୍କ ଦ୍ବାରା ସଂଗୃହୀତ ୩ହଜାରରୁ ଅଧିକ ରେଡିଓ। ଏଥିସହ ଏହି ମେଳାରେ ବିଭିନ୍ନ ପ୍ରକାରର ରେଡିଓ ସେଟ୍‌ ବିକ୍ରି ହେବ। ଏପରିକି ଆପଣଙ୍କ ମନ ପସନ୍ଦର ରେଡିଓ ମଧ୍ୟ ପ୍ରସ୍ତୁତ କରି ଦେବାର ବନ୍ଦୋବସ୍ତ କରାଯିବ। ଏହାଛଡ଼ା ମେଳାରେ ବିକ୍ରି ହେଉଥିବା  ବହୁ ପୁରୁଣା ରେଡିଓ ମଧ୍ୟ ଲୋକେ କିଣିପାରିବେ। ମେଳାରେ ଏକ ଷ୍ଟଲ୍‌ରେ ଏହିଭଳି ହାତ ତିଆରି ରେଡିଓର ପସରା ଖୋଲିବେ ରାଜେନ୍ଦ୍ର ଓ ତାଙ୍କ ପତ୍ନୀ।

ଏହି ଅବସରରେ ନିଜର କମ୍ୟୁନିଟି ରେଡିଓ ଷ୍ଟେସନ୍‌ ଖୋଲିବାକୁ ଚାହୁଁଥିବା ବ୍ୟକ୍ତି ଓ ସଂଗଠନଙ୍କୁ ପରାମର୍ଶ ନେବାର ସୁଯୋଗ ମିଳିବ। ଏ ସମ୍ପର୍କରେ ଆବଶ୍ୟକୀୟ ଜ୍ଞାନକୌଶଳ ସମ୍ବନ୍ଧୀୟ ପରାମର୍ଶ ଯୋଗାଇ ଦେବ ଅନ୍ତର୍ଜାତୀୟ ସଂସ୍ଥା ‘ବେସିଲ୍‌’। ଏଥିସହ ମେଳାରେ ଏଥର ସାମିଲ୍‌‌ ହେବେ ଓଡ଼ିଶା ସରକାରଙ୍କ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା। ହାମ୍‌ ରେଡିଓ ସମେତ ଜରୁରିକାଳୀନ ରେଡିଓର ପ୍ରଦର୍ଶନୀ ଆୟୋଜନ କରିବ ଓସ୍‌ଡମା। ସିଷ୍ଟମ ଏକ୍ସପର୍ଟ ଅରବିନ୍ଦ ରାୟ ଏହି ପ୍ରଦର୍ଶନୀର ନେତୃତ୍ବ ନେ‌ବ। ଏହା ବ୍ୟତୀତ କୋଲକାତା ସମେତ ଅନ୍ୟ କେତେକ ସଂସ୍ଥା ପକ୍ଷରୁ ଲାଇସେନ୍ସପ୍ରାପ୍ତ ‌ହାମ୍‌ ଅପରେଟରମାନେ ମେଳାରେ ସାମିଲ୍ ହେବେ ବୋଲି କହିଛନ୍ତି ଆୟୋଜକ ସଂସ୍ଥା ‘ଆଉଟ୍‌ରିଚ୍‌’ର ମୁଖ୍ୟ ସୁବ୍ରତ କୁମାର ପତି। ଭାରତରେ ଏକମାତ୍ର କାର୍ଯ୍ୟକ୍ରମ ଭାବେ ଏହିଭଳି ମେଳା ଆୟୋ‌ଜନ ହେଉଥିଲେ ହେଁ ଏନେଇ ଏପର୍ଯ୍ୟନ୍ତ ପ୍ରାୟୋଜକ ନମିଳିବା ବହୁତ କଷ୍ଟ ଦେଉଛି ବୋଲି ଶ୍ରୀ ପତି କହିଛନ୍ତି। ନେହେରୁ ଯୁବ କେନ୍ଦ୍ରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର ଉପଦେଷ୍ଟା ଡ.ଶାନ୍ତନୁ ରଥ ଏବଂ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର