ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ ଏବଂ ଟର୍ମିନାଲ-୨କୁ ସଂଯୋଗ କରୁଥିବା ଲିଙ୍କ୍ ବିଲଡିଂର ଛାତ ଭୁଶୁଡ଼ିବା ଘଟଣାର ପୂର୍ତ୍ତ ବିଭାଗ ତଦନ୍ତ କରିବ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବୈଷୟିକ କମିଟି ଗଠନ ହୋଇଛି। ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ପ୍ଲାନିଂ) ଏନ୍.ସି ପାଲ୍ଙ୍କ ନେତୃତ୍ବରେ ଗଠନ ହୋଇଥିବା ତିନି ଜଣିଆ କମିଟିରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ (ଡିଜାଇନ୍) ପ୍ରଶାନ୍ତ କୁମାର ତ୍ରିପାଠୀ ଏବଂ ଭୁବନେଶ୍ବର ଡିଭିଜନ-୨ର ନିର୍ବାହୀ ଯନ୍ତ୍ରୀ ବି.ଜଗବନ୍ଧୁ ରାଓ ଏହି କମିଟିର ସଦସ୍ୟ ଅଛନ୍ତି।
ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିମାନବନ୍ଦର ଲିଙ୍କ୍ ବିଲଡିଂର ଛାତ କାହିଁକି ଭୁଶୁଡ଼ିଲା ସେନେଇ ବୈଷୟିକ କମିଟି ଦ୍ବାରା ତଦନ୍ତ କରି ରିପୋର୍ଟ ଦେବାକୁ ବିମାନବନ୍ଦର ଥାନା ଅଧିକାରୀ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି)ଙ୍କୁ ଚିଠି ଲେଖିଥିଲେ। ଏହାପରେ ମୁଖ୍ୟ ଯନ୍ତ୍ରୀ ଏସ୍.ଆର୍ ସେଠୀ ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ଦିନେ ଦୁଇଦିନ ମଧ୍ୟରେ ତଦନ୍ତ କରିବାକୁ ଭୁବନେଶ୍ବର ବିମାନବନ୍ଦରକୁ ଯିବ। ଏହାପରେ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।
ମୃତକଙ୍କ ପରିବାରକୁ ଅଢ଼େଇ ଲକ୍ଷ ଦେବାକୁ ମାନବାଧିକାର କମିସନଙ୍କ ନିର୍ଦେଶ
ଭୁବନେଶ୍ବର: ଗତ ୨୪ ତାରିଖ ବିଳମ୍ବିତ ରାତିରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଛାତ ଭୁଶୁଡ଼ି ଜଣେ ପ୍ରାଣ ହରାଇବା ଓ ଅନ୍ୟ ଜଣେ ଆହତ ହେବା ଘଟଣାକୁ ରାଜ୍ୟ ମାନବାଧିକାର କମିସନ୍ ଗୁରୁତ୍ବର ସହ ନେଇଛନ୍ତି। ମୃତକଙ୍କ ପରିବାରକୁ ଠିକାଦାର ଅଢ଼େଇ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଲାଗି କମିସନ୍ ନିର୍ଦେଶ ଦେଇଛନ୍ତି। ଏହାସହ ସଂପୃକ୍ତ ଠିକାଦାର ସଂସ୍ଥା ଓ ବିମାନବନ୍ଦର କର୍ତୃପକ୍ଷ ଆସନ୍ତା ମାସ ୧୧ ତାରିଖ ସୁଦ୍ଧା କମିସନଙ୍କ ନିକଟରେ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି।
ବିଜୁ ପଟ୍ଟନାୟକ ବିମାନବନ୍ଦରର ଟର୍ମିନାଲ ୧ ଓ ଟର୍ମିନାଲ ୨କୁ ସଂଯୋଗ କରିବା ଲାଗି ଏକ ଛାତ ନିର୍ମାଣ ଚାଲିଥିବା ବେଳେ ଏହା ଭୁଶୁଡ଼ି ଯାଇଥିଲା। ଛାତ ତଳେ ଚାପି ହୋଇ ଅନ୍ତର୍ଯ୍ୟାମୀ ଗୁରୁ ପ୍ରାଣ ହରାଇଥିବା ବେଳେ ନବକିଶୋର ସ୍ବାଇଁ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଲଲାଟେନ୍ଦୁ ଦାସ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ଦାୟର କରିଥିଲେ। ଏହି ମାମଲାର ବିଚାର କରି କମିସନ ମୃତକଙ୍କ ପରିବାରବର୍ଗଙ୍କୁ ଅନ୍ତରୀଣ ଅଢ଼େଇ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଆସନ୍ତା ମାସ ୧୧ତାରିଖ ସୁଦ୍ଧା କ୍ଷତିପୂରଣ ବାବଦରେ ଦେବା ପାଇଁ ଠିକାଦାରଙ୍କୁ ନିର୍ଦେଶ ଦେଇଛନ୍ତି। ଯଦି ଠିକାଦାର କ୍ଷତିପୂରଣ ପ୍ରଦାନ କରିବାରେ ବିଫଳ ହୁଅନ୍ତି, ତେବେ ବିମାନବନ୍ଦର କର୍ତୃପକ୍ଷ ଏହାକୁ ପ୍ରଦାନ କରିବା ସହିତ ପରବର୍ତୀ ସମୟରେ ଠିକାଦାରଙ୍କଠାରୁ ଏହି ଅର୍ଥ ଭରଣା କରିବା ପାଇଁ କହିଛନ୍ତି। ବିମାନବନ୍ଦର କର୍ତୃପକ୍ଷଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିବା ପାଇଁ ଆବେଦନକାରୀ ଅନୁରୋଧ କରିଥିଲେ ଓ କମିସନ ଏହାକୁ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଠିକାଦାର ସଂସ୍ଥା ଦିଲ୍ଲୀପ କନଷ୍ଟ୍ରକସନ୍ ଓ ବିମାନବନ୍ଦର କର୍ତୃପକ୍ଷଙ୍କୁ କମ୍ପ୍ଲାଏନ୍ସ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/WhatsApp-Image-2020-01-25-at-10.59.47-AM.jpeg)