ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ: ପ୍ରସ୍ତୁତ ହେବ ଜନ ଜୈବ ବିବିଧତା ପଞ୍ଜିକା

୩୦ ଜିଲ୍ଲାରେ ପ୍ରସ୍ତୁତ ସରିଲାଣି, ଏଣିକି ପଞ୍ଚା‌ୟତସ୍ତରରେ, ସହରରେ ରୁଫ୍‌ଟପ୍‌ ଗାର୍ଡେନ୍‌, ଗ୍ରିନ୍‌ ଜୋନ୍‌ ଉପରେ ଗୁରୁତ୍ବ

ଚନ୍ଦ୍ରଶେଖରପୁର: ଜଳବାୟୁ ପରିବର୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଲକ୍ଷାଧିକ ଲୋକ ପ୍ରଭାବିତ ହେଉଛନ୍ତି। ବାତ୍ୟା, ବନ୍ୟା, ଭୂସ୍ଖଳନ ପରି ବିପର୍ଯ୍ୟୟରେ ପ୍ରତିବର୍ଷ ଲୋକ ଜୀବନ ଯାଉଛି। ଏହାକୁ ରୋକିବା ପାଇଁ ଓଡ଼ିଶାର ଜୈବ ବିବିଧତାକୁ ସୁଦୃଢ଼ କରିବାକୁ ପଡ଼ିବ। ଉପକୂଳରେ ହେନ୍ତାଳ ବଣ, ଝାଉଁ ଜଙ୍ଗଲ, ବାଲୁକା ସ୍ତୂପ ସୃଷ୍ଟି ସହ ପାହାଡ଼ିଆ ଅଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ ଓ ସହରରେ ବର୍ଷା ଜଳ ସଂରକ୍ଷଣ, ରୁଫ୍‌ଟପ୍‌ ଗାର୍ଡେନ, ଗ୍ରିନ୍ ଜୋନ୍‌ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ଜୈବ ବିବିଧତା ପରିଷଦ ପକ୍ଷରୁ ଜନ ଜୈବ ବିବିଧତା ନଥିପତ୍ର/ପଞ୍ଜିକା ପ୍ରସ୍ତୁତ କରାଯାଉଛି। ଇତିମଧ୍ୟରେ ଜିଲ୍ଲାସ୍ତରରେ ୩୦ଟି ପଞ୍ଜିକା ପ୍ରସ୍ତୁତ ସରିଥିବା ବେଳେ ଖୁବ୍‌ଶୀଘ୍ର ପଞ୍ଚାୟତସ୍ତରରେ ଆରମ୍ଭ କରାଯିବ। ଏଥିସହ ସହରାଞ୍ଚଳରେ ରୁଫ୍‌ଟପ୍‌ ଗାର୍ଡେନ୍‌, ଗ୍ରିନ୍‌ ଜୋନ୍‌ ସୃଷ୍ଟି ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।

ଓଡ଼ିଶା ଜୈବ ବିବିଧତା ପରିଷଦର ତଥ୍ୟ ଅନୁଯାୟୀ ଇତିମଧ୍ୟରେ ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରେ ଜୈବ ବିବିଧତା ପରିଚାଳନା ସମିତି ଗଠନ ହୋଇସାରିଛି। ସେଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସେହିପରି ପ୍ରସ୍ତୁତ ହେଉଥିବା ଜନ ଜୈବ ବିବିଧତା ପଞ୍ଜିକାରେ ଗ୍ରାମ ପଞ୍ଚାୟତର ଜୈବ ବିବିଧତା ସମ୍ପର୍କରେ ସମସ୍ତ ତଥ୍ୟ ରହିବ। ଏଥିପାଇଁ ଗ୍ରାମ ପଞ୍ଚାୟତ ଅନୁଯାୟୀ ସର୍ଭେ କରାଯିବ। ପଞ୍ଚାୟତର ଜୀବଜନ୍ତୁ, ଗଛଲତା, ଉଦ୍ଭିଦ, ଔଷଧୀୟ ବୃକ୍ଷ, ବିଲୁପ୍ତ ହୋଇଥିବା ବୃକ୍ଷରାଜି, ଆବଶ୍ୟକତା ଥିବା ବୃକ୍ଷ ଆଦି ସମ୍ପର୍କରେ ଅନୁଧ୍ୟାନ କରାଯିବ। ସମସ୍ତ ତଥ୍ୟ ମିଳିବା ପରେ ପଞ୍ଚାୟତର ଜୈବ ବିବିଧତାର ସୁରକ୍ଷା ଲାଗି ଆକ୍ସନ ପ୍ଲାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ସୁଦ୍ଧା ୩୦ଟି ଜିଲ୍ଲାରେ ଜନ ଜୈବ ବିବିଧତା ପଞ୍ଜିକା ପ୍ରସ୍ତୁତ ସରିଛି। କେବଳ ଚୂଡ଼ାନ୍ତ ସ୍ପର୍ଶ ବାକି ରହିଛି। ଓଡ଼ିଶାରେ ଥିବା‌ ଜୈବ ବିବିଧତା ଓ ପାରମ୍ପାରିକ ଜ୍ଞାନ କୌଶଳକୁ ନେଇ ପରିଷଦ ପକ୍ଷରୁ ଏକ ଫିଲ୍ମ ପ୍ରସ୍ତୁତ କରାଯାଉଛି।

ଓଡ଼ିଶା ଜୈବ ବିବିଧତା ପରିଷଦର ଉଦ୍ଭିଦ ବିଜ୍ଞାନୀ ଡ. ପ୍ରସାଦ କୁମାର ଦାସଙ୍କ କହିବାନୁଯାୟୀ ସବୁ ସମସ୍ୟାର ସମାଧାନ ଏହି ପ୍ରକୃତିରେ ରହିଛି। ପ୍ରକୃତିକୁ ଯେତେ ଭଲ ରଖିବା ଆମେ ସୁସ୍ଥ ରହିପାରିବା। ବାତ୍ୟାକୁ ପ୍ରତିହତ କରିବା ପାଇଁ ଉପକୂଳରେ ବ୍ୟାପକ ହେନ୍ତାଳ ବଣ, ଝାଉଁ ଜଙ୍ଗଲ, ବାଲୁକା ସ୍ତୁପ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି। କାରଣ ବାତ୍ୟା ମାଡ଼ ହେଲେ ପ୍ରଥମେ ସେଥିରେ ବାଡ଼େଇ ହେବ। ତା’ପରେ ଯାଇ ସ୍ଥଳ ଭାଗକୁ ଆସିବ। ବାତ୍ୟା ପବନ ଓ ଜୁଆର ମାଡ଼କୁ ରୋକିବା ଦିଗରେ ବାଲୁକା ସ୍ତୁପ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଓଡ଼ିଶା ଉପକୂଳରେ ଅଧିକରୁ ଅଧିକ କିଆ ଗଛ ରୋପଣ ଉପରେ ପ୍ରାଥମିକତା ଦେବାକୁ ହେବ। କାଜୁ ଓ ଝାଉଁ ଜଙ୍ଗଲ ବୃଦ୍ଧି କରାଯିବାର ବି ଆବଶ୍ୟକତା ରହିଛି। ଏହା କରାଯାଇପାରିଲେ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ସହ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକେ ରୋଜଗାର ପାଇପାରି‌ବେ। ବାଲୁକା ସ୍ତୁପରେ ଏପରି ୯୦ ପ୍ରକାର ଗଛ ରହିଛି, ଯେଉଁଥିରେ ଔଷଧ ପ୍ରସ୍ତୁତ କରାଯାଇପାରିବ। ବର୍ତମାନ ସମୟରେ ସେଗୁଡ଼ିକର ସୁରକ୍ଷା ଦରକାର। ସହରରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହ ରୋକିବା ଲାଗି ବି ଏକାଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ନଷ୍ଟ ହେଉଥିବା ପ୍ରାକୃତିକ ହ୍ରଦର ସୁରକ୍ଷା, ଗ୍ରିନ୍‌ ଜୋନ୍‌ ସୃଷ୍ଟି, ରୁଫ୍‌ଟପ୍‌ ଗାର୍ଡେନ, ବର୍ଷା ଜଳ ସଂରକ୍ଷଣର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର

Comments are closed.