ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବର୍ଷେ ପୂରିଲା : ସବ୍‌ସିଡି ଉପରେ କ୍ୱାଲାଲମ୍ପୁର୍‌ ଉଡ଼ାଣ ଭାଗ୍ୟ

ଭୁବନେଶ୍ୱର : ବହୁ ବାଦବିବାଦ ପରେ ଏପ୍ରିଲ ୨୬, ୨୦୧୭ରେ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା। ଏଥିମଧ୍ୟରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଏକ ବର୍ଷ ପୂରିଥିବାବେଳେ ଆଗାମୀ ଦିନରେ ଏହି ଅନ୍ତର୍ଜାତୀୟ ଉଡ଼ାଣ ହେବ ନା ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ଏହି ଅନିଶ୍ଚିତତାର କାରଣ ସାଜିଛି ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ରାଜ୍ୟ ସରକାରଙ୍କ ସବ୍‌ସିଡି। ଏୟାର ଏସିଆ ଭୁବନେଶ୍ୱରରୁ କ୍ୱାଲାଲମ୍ପୁର ଓ କ୍ୱାଲାଲମ୍ପୁରରୁ ଭୁବନେଶ୍ୱର ଉଡ଼ାଣ ପାଇଁ ପ୍ରତି ରାଉଣ୍ଡ ଟ୍ରିପ୍‌ ପିଛା ଏକ ଲକ୍ଷ ୭୦ହଜାର ଟଙ୍କା ସବ୍‌ସିଡି ଦେଉଥିବାବେଳେ ଏହା ଯଦି ଜାରି ନରହେ ତେବେ ଏୟାର ଏସିଆ ଉଡ଼ାଣ ବନ୍ଦ କରିଦେବ ବୋଲି ପରୋକ୍ଷରେ ସଙ୍କେତ ଦେଇଛି। ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଏବେ ହରଡ଼ଘଣାରେ ପଡ଼ିଛନ୍ତି।

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପରେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଥିବାରୁ ରାଜ୍ୟ ସରକାର ଏଥିରେ ଭଟ୍ଟା ପକାଇବାକୁ ଚାହୁନାହାନ୍ତି। କିନ୍ତୁ ଏୟାର ଏସିଆକୁ ସବ୍‌ସିଡି ଦେଲେ ଅନ୍ୟ ବିମାନ କମ୍ପାନି ସବ୍‌ସିଡି ମାଗିବାର ସମ୍ଭାବନା ଥିବାରୁ ଏବଂ ରାଜ୍ୟ ସରକାର ଆଇନ ଜାଲରେ ଫସିବାର ଆଶଙ୍କା ଥିବାରୁ ପୁଣି ସବ୍‌ସିଡି ଦେବେ କି ନଦେବେ ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇପାରିନି।

ମିଳିଥିବା ସୂଚନା ଅନୁଯାୟୀ, ଏୟାର ଏସିଆ ଇଣ୍ଡିଆ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ସପ୍ତାହକୁ ୪ଦିନ ବିମାନ ଉଡ଼ାଣ କରିବା ପାଇଁ ପ୍ରତି ରାଉଣ୍ଡ ଟ୍ରିପ୍‌ ପିଛା ୧ଲକ୍ଷ ୭୦ହଜାର ଟଙ୍କା ସବ୍‌ସିଡି ନେବ ବୋଲି ଟେଣ୍ଡର୍‌ ପାଇଛି। ଏହି ଅବଧି ୧ ବର୍ଷ ପାଇଁ ଥିଲା। ବର୍ଷକରେ ରାଜ୍ୟ ସରକାର ପ୍ରାୟ ୬କୋଟି ଟଙ୍କା ସବ୍‌ସିଡି ଦେଇଛନ୍ତି। କିନ୍ତୁ ନଭେମ୍ବର ୨୭ରୁ ଏୟାର ଏସିଆ ପ୍ରତିଦିନ ଭୁବନେଶ୍ୱର-କ୍ୱାଲାଲମ୍ପୁର ବିମାନ ସେବା ଯୋଗାଉଛି। ରାଜ୍ୟ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବାକୁ ଚାହୁଁଥିବାରୁ ଏୟାର ଏସିଆ ଏବେ ସପ୍ତାହକୁ ସବୁଦିନ ସବ୍‌ସିଡି ମାଗିଛି। ଏହାପରେ ସବ୍‌ସିଡିକୁ ନେଇ ବିବାଦ ସୃଷ୍ଟି ହୋଇଛି।

ସବ୍‌ସିଡି ନଦେଲେ ବିମାନ ଉଡ଼ାଣ ବନ୍ଦ ହେବାର ଆଶଙ୍କା ଥିବାରୁ ପର୍ଯ୍ୟଟନ ବିଭାଗ ଏୟାର ଏସିଆ ସର୍ତରେ ଆପାତତଃ ରାଜି ହୋଇଛି। ଏପରିକି ଏ ସଂକ୍ରାନ୍ତ ଫାଇଲ୍‌କୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛି। ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ସବିଶେଷ ଆଲୋଚନା ହେବା ପରେ କିଛି ସର୍ତ ରଖାଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ଏୟାର ଏସିଆକୁ ସପ୍ତାହକୁ ପ୍ରତିଦିନ ସବ୍‌ସିଡି ଦେବାକୁ ରାଜି ଅଛନ୍ତି। କିନ୍ତୁ ଏହାକୁ ୧ଲକ୍ଷ ୭୦ହଜାର ଟଙ୍କାରୁ କମାଇ ପ୍ରାୟ ୧ଲକ୍ଷ ୨୦ହଜାର ଟଙ୍କା କରିବାକୁ କୁହାଯାଇଛି। ଏହାବାଦ୍‌ ୬ମାସ ମଧ୍ୟରେ ବ୍ୟାଙ୍କକ୍‌ କିମ୍ବା କଲମ୍ବୋକୁ ବିମାନ ସେବା ଆରମ୍ଭ କରିବ। ରାଜ୍ୟ ସରକାରଙ୍କର ସର୍ତରେ ଏୟାର ଏସିଆ କର୍ତୃପକ୍ଷ ପ୍ରାୟତଃ ରାଜି ହୋଇଛନ୍ତି। ଥାଇ ଏୟାର ଏସିଆ ମାଧ୍ୟମରେ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ କରିବାକୁ ଯୋଜନା ହେଉଛି। କିନ୍ତୁ ଏହି ସବୁ ଯୋଜନା ପୂର୍ଣ୍ଣ ରୂପ ନେବ ଯଦି ମୁଖ୍ୟମନ୍ତ୍ରୀ ସବ୍‌ସିଡି ପ୍ରସ୍ତାବକୁ ଅନୁମୋଦନ କରିବେ। ଚୁକ୍ତି ଅବଧି ଆସନ୍ତାକାଲି ଶେଷ ହେଉଥିବାରୁ ଏହାପରେ ଏୟାର ଏସିଆ ଉଡ଼ାଣ ବନ୍ଦ କରିଦେବାର ଆଶଙ୍କାକୁ ଏଡ଼ାଇ ହେଉନି।

ଏନେଇ ପର୍ଯ୍ୟଟନ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାଓ୍ଵଲେଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଏୟାର ଏସିଆକୁ ସବ୍‌ସିଡି ଦେବା ନେଇ ଫାଇଲ୍‌ ଆମେ ପଠାଇ ଦେଇଛୁ। ପୂର୍ବରୁ ୪ଦିନ ପାଇଁ ସବ୍‌ସିଡି ଦିଆଯାଉଥିବାବେଳେ ଏବେ ୭ଦିନ ଦେବାକୁ ପ୍ରସ୍ତାବ ରହିଛି। ଗତବର୍ଷ ହୋଇଥିବା ଚୁକ୍ତିି ଅନୁଯାୟୀ, ଏକ ବର୍ଷ ପାଇଁ ସବ୍‌ସିଡି ଦିଆଯାଇଥିଲେ ହେଁ ଏଥିରେ ସର୍ତ୍ତ ରଖାଯାଇଥିଲା ଯେ, ଯଦି ଉଭୟ ପକ୍ଷ ରାଜି ହେବେ ତେବେ ସବ୍‌ସିଡି ଆଉ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇପାରିବ। ଏୟାର ଏସିଆ କର୍ତୃପକ୍ଷ ମଧ୍ୟ ବ୍ୟାଙ୍କକ୍‌ କି କଲମ୍ବୋକୁ ବିମାନ ଉଡ଼ାଣ କରିବେ ବୋଲି କହିଥିଲେ। ତେଣୁ କିଛି ଦିନ ମଧ୍ୟରେ ସେମାନେ ଉଡ଼ାଣ ଆରମ୍ଭ କରିବେ ବୋଲି କହିଛନ୍ତି।

ସେହିପରି ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଏବେ ସପ୍ତାହକୁ ତିନି ଦିନ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ କରୁଛି। କିନ୍ତୁ ଏହି ଉଡ଼ାଣ ପାଇଁ କୌଣସି ସବ୍‌ସିଡି ଦେବାକୁ ପଡ଼ୁନି। ତେଣୁ ଏୟାର ଏସିଆର ସବ୍‌ସିଡି ଅବଧି ବଢ଼ାଇବା ନେଇ କିଛି ସମସ୍ୟା ରହୁଛି। ଅପରପକ୍ଷେ ଏୟାର ଇଣ୍ଡିଆର ଉଡ଼ାଣକୁ ଭରସା କରାଯାଇପାରୁ ନଥିବାରୁ ରାଜ୍ୟ ସରକାର କୌଣସି ରିସ୍କ ନେବାକୁ ଚାହୁନାହାନ୍ତି। ତେଣୁ ଏୟାର ଏସିଆକୁ ସବ୍‌ସିଡି ଦିଆଯିବ କି ନାହିଁ ତାହା ଖୁବ୍‌ ଶୀଘ୍ର ସ୍ପଷ୍ଟ ହୋଇଯିବ।

ପର୍ଯ୍ୟଟକଙ୍କୁ ଆକର୍ଷଣ ପାଇଁ ରୋଡ୍‌ ସୋ’ ନାହିଁ

ଏୟାର ଏସିଆ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୨୬,୨୦୧୭ରୁ ମାର୍ଚ୍ଚ ୩୧, ୨୦୧୮ ମଧ୍ୟରେ ୬୮,୭୧୫ଜଣ କ୍ୱାଲାଲମ୍ପୁରରୁ ଭୁବନେଶ୍ୱର ବିମାନରେ ଯାତାୟାତ କରିଛନ୍ତି। ଏଥିରୁ ୨୦ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ ଅଛନ୍ତି। କିନ୍ତୁ ସବୁଠୁ ଅଧିକ ପର୍ଯ୍ୟଟକ ଫିଲିପାଇନ୍ସରୁ ଆସିଛନ୍ତି। ମୋଟ୍‌ ପର୍ଯ୍ୟଟକଙ୍କର ୪୭% ତଥା ୯,୫୫୧ ଜଣ ଫିଲିପାଇନ୍ସ ନାଗରିକ। ସେହିପରି ବାଂଲାଦେଶରୁ ୧୦୬୫ଜଣ ପର୍ଯ୍ୟଟକ ଆସିଥିବାବେଳେ ମାଲେସିଆରୁ ୪,୨୨୨ ଜଣ, ଅଷ୍ଟ୍ରେଲିଆରୁ ୬୧୦ଜଣ, ୟୁନାଇଟେଡ୍‌ ଷ୍ଟେଟ୍‌ସରୁ ୭୪୪ଜଣ, କାନାଡ଼ାରୁ ୩୨୫ଜଣ, ଜାପାନରୁ ୩୨୪ଜଣ, ୟୁକେରୁ ୩୯୩ଜଣ, ଇଣ୍ଡୋନେସିଆରୁ ୨୮୫ଜଣ ମାଲେସିଆ ହୋଇ ଭୁବନେଶ୍ୱର ଆସିଛନ୍ତି କିମ୍ବା ଯାଇଛନ୍ତି।

ଏହି ରୁଟ୍‌ରେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ପାଖରେ ସୁଯୋଗ ଥିଲେ ହେଁ ବିଭାଗ ତାହା କରିନି। ବିମାନ ଉଡ଼ାଣର ବର୍ଷକ ମଧ୍ୟରେ ଗୋଟିଏ ବି ରୋଡ୍‌ ସୋ ମାଲେସିଆ କି ବ୍ୟାଙ୍କକ୍‌ରେ ହୋଇନି। ଯେତେବେଳେ କି ଏୟାର ଇଣ୍ଡିଆ ବ୍ୟାଙ୍କକ୍‌କୁ ସପ୍ତାହକୁ ତିନି ଦିନ ବିମାନ ଉଡ଼ାଣ କରୁଛି। ସେଠାରେ ପର୍ଯ୍ୟଟନ ବିଭାଗ ରୋଡ୍‌ ସୋ’ କଲେ ଅଧିକ ପର୍ଯ୍ୟଟକ ଆସିପାରିବେ ବୋଲି ଏୟାର ଏସିଆ ପକ୍ଷରୁ କୁହାଯାଇଛି। ଏନେଇ ପର୍ଯ୍ୟଟନ ନିର୍ଦ୍ଦେଶକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଚଳିତ ବର୍ଷ ବ୍ୟାଙ୍କକ୍‌ ଓ ମାଲେସିଆରେ ରୋଡ୍‌ ସୋ କରିବାକୁ ଯୋଜନା କରୁଛୁ। ଏଥିପାଇଁ ଆମେ ଘରୋଇ ଏଜେନ୍ସି ଖୋଜୁଛୁ। ସଂସ୍ଥା ଠିକ୍‌ ହେଲେ ରୋଡ୍‌ ସୋ’ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର