ନୂଆଦିଲ୍ଲୀରେ ‘ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ’ ୮ରୁ, ପ୍ରଦର୍ଶିତ ହେବ ୨୪ ବେଶ, ଛପନ ଭୋଗ

ଭୁବନେଶ୍ବର : ଜଗନ୍ନାଥ ଚେତନାକୁ ସୁଦୂରପ୍ରସାରୀ କରିବା ଉଦ୍ଦେଶ୍ୟ ନେଇ ଚଳିତ ବର୍ଷ ନୂଆଦିଲ୍ଲୀ‌‌‌‌ରେ ଅନୁଷ୍ଠିତ ହେବାକୁ ଯାଉଛି ‘ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ’। ନୂଆଦିଲ୍ଲୀ ଛତ୍ରପୁରସ୍ଥିତ ମାର୍କଣ୍ଡେୟ ଭବନରେ ଆସନ୍ତା ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ୬ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ ଆକର୍ଷଣ ସାଜିବ ମହାପ୍ରଭୁଙ୍କ ୨୪ ପାରମ୍ପରିକ ବେଶ। ବାରମାସରେ ଅନୁଷ୍ଠିତ ହେଉଥିବା ଶ୍ରୀଜନ୍ନାଥଙ୍କ ସମସ୍ତ ବେଶକୁ ଏହି ପରିସରରେ ଏକାଠି ଦେଖିବାର ସ‌ୁଯୋଗ‌ ମିଳିବ। ଏଥିସହ ଛପନଭୋଗୀ ମହାପ୍ରଭୁଙ୍କୁ ସମର୍ପଣ କରାଯାଉଥିବା ୫୬ କିସମର ମହାପ୍ରସାଦ ମଧ୍ୟ ପ୍ରଦର୍ଶନ କରାଯିବ।

ଗୁରୁଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ଚେତନା ସମନ୍ବୟ ସମିତି, ଭୁବନେଶ୍ବରସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ଆମେରିକାର ଡ. ଦାଶ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଶେଷକରି ଜଗନ୍ନାଥଙ୍କୁ କେନ୍ଦ୍ର କରି ଭୌଗୋଳିକ ମାନ୍ୟତା (ଜିଆଇ-ଟ୍ୟାଗ୍‌) ପାଇଥିବା ପଟ୍ଟଚିତ୍ର, ବମ୍‌କାଇ ଶାଢ଼ି, ଗୀ‌ତଗୋବିନ୍ଦ ଖଣ୍ଡୁଆ, କିଆ ଫୁଲ, ରସଗୋଲା, ଚାନ୍ଦୁଆକୁ ମଧ୍ୟ ଏକାଠି ପ୍ରଦର୍ଶନ କରାଯିବ। ଏହି ଅବସରରେ ସେଠାରେ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ୫ ଦିନ ଶ୍ରୀଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ ଓ ଜଗନ୍ନାଥଙ୍କ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋକପାତ କରାଯିବ। ଏହି ଅବସରରେ ଆଧ୍ୟାତ୍ମିକ ଅନୁଷ୍ଠାନ ରାମକୃଷ୍ଣ ମିସନ୍‌, ଚିନ୍ମୟ ମିସନ, ଗୀତା ପ୍ରେସ୍‌ ଓ ଗାୟତ୍ରୀ ପରିବାର ସମେତ ଶ୍ରୀମନ୍ଦିର ପୁରୀର ପ୍ରକାଶନୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଜଗନ୍ନାଥଙ୍କ ସମ୍ପର୍କିତ ପ୍ରକାଶିତ ପୁସ୍ତକକୁ ନେଇ ଏକ ଆଧ୍ୟାତ୍ମିକ ପୁସ୍ତକ ମେଳା ଆୟୋଜିତ ହେବ। ଆଜି ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି, ପୀତବାସ ରାଉତରାୟ, ଡ. ଦାଶ ଫାଉଣ୍ଡେସନ୍‌ର ମୁଖ୍ୟ ଡ. ଶିତିକଣ୍ଠ ଦାଶ, ଦେବେନ୍ଦ୍ର ଦାସ, ଦାମୋଦର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର