‘ଲୋକଙ୍କ ସେବା କରୁଥିଲି, କରିବି’

୨୦୦୯ରେ ନୂଆ କରି ଗଠନ ହୋଇଥିଲା ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ। ଗତ ଦୁଇଟି ନିର୍ବାଚନରେ ଏଠାରେ ବିଜେଡି କ୍ଲିନ୍ ସୁଇପ୍ କରିଥିବାବେଳେ ଏଥର ବି ବିଜେଡି ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଏଠାରେ ଦୁଇ ଥରର ବିଧାୟକ ବିଜୟ ମହାନ୍ତିଙ୍କ ବଦଳରେ ବିଏମ୍‌ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦଳ ଟିକେଟ୍ ଦେଇଛି। ଭୁବନେଶ୍ବରରେ ବିଜେଡିର ସବୁଠୁ ଭଲ ସଂଗଠକ ଭାବେ ଜଣାଶୁଣା ଅନନ୍ତ ବିଏମ୍‌ସିର ମେୟର ଭାବେ ଲଗାତାର ୧୦ବର୍ଷ କାର୍ଯ୍ୟ କରିବା ପରେ ବିଧାୟକ ହେବାକୁ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ତାଙ୍କ ବିରୋଧରେ ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ଥର ବିଧାୟକ ପାଇଁ ଲଢେଇ କରି ପରାଜୟ ବରଣ କରିଥିବା ବିଜେପିର ଜଗନ୍ନାଥ ପ୍ରଧାନ ଅଛନ୍ତି। ଭୁବନେଶ୍ବରର ତିନିଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଭୁବନେଶ୍ବର ମଧ୍ୟରେ ସବୁଠୁ ବଡ଼ ଲଢ଼େଇ ହେବ ବୋଲି ରାଜ‌ନୈତିକ ମହଲରେ ଚର୍ଚ୍ଚା ହେଉଥିବାବେଳେ ଦୁଇ ଦଳର ପ୍ରାର୍ଥୀ ସେମାନେ ନିଶ୍ଚିତ ଜିତିବେ ବୋଲି ଦୃଢ ଆଶାବାଦୀ ଅଛନ୍ତି। ଏଥିପାଇଁ ବି ନିଜ ନିଜର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ନିର୍ବାଚନରେ କେବେ ପରାଜୟ ଦେଖିନଥିବା ଅନନ୍ତ ଏଥର ବିଜୟ ମୁକୁଟ ପିନ୍ଧିବା ପାଇଁ କିପରି ପ୍ରସ୍ତୁତି କରିଛନ୍ତି ସେନେଇ ସ୍ବତନ୍ତ୍ର ସାକ୍ଷାତକାର।

ତିନି ଥର କର୍ପୋରେଟର, ଦୁଇ ଥର ମେୟର ହେଲେ। ଏବେ ବିଜେଡିର ବିଧାୟକ ‌ପ୍ରାର୍ଥୀ। କେଉଁଥିପାଇଁ ଆପଣଙ୍କୁ ବେଶୀ ପରିଶ୍ରମ କରିବାକୁ ପଡ଼ିଛି।
ନିଶ୍ଚିତ ରୂପେ ବିଧାୟକ ହେବା ପାଇଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ରଖି ମୋତେ ପ୍ରାର୍ଥୀ କରିଛନ୍ତି। ତେଣୁ ମୁଁ ଯେପରି ପୂର୍ବ ଥରଠାରୁ ଏଥର ବଡ଼ ବ୍ୟବଧାନରେ ବିଜୟ ହାସଲ କରିବି ସେଥିପାଇଁ ପ୍ରସ୍ତୁତି କରୁଛି। ପ୍ରଭୁ ଶ୍ରୀ ଜଗନ୍ନାଥ, ସାଇ ବାବାଙ୍କ ଆଶୀର୍ବାଦ ସହ ନିର୍ବାଚନ ମଣ୍ଡଳୀର ମତଦାତା ଚାହିଁଲେ ମୁଁ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ମୁଁ ମେୟର ଥିବା ସମୟରେ କରିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଏଥର ବଡ଼ ବ୍ୟବଧାନରେ ଜିତିବି ବୋଲି ଆଶା କରୁଛି।

ଭୁବନେଶ୍ବର ରାଜନୀତିରେ ଆପଣ ଜଣେ ଆଗ ଧାଡ଼ିର ନେତା ବୋଲି କୁହାଯାଏ। ମେୟର ହେବା ସମୟରେ କ’ଣ ଏମିତି କାମ କରିଛନ୍ତି ଯେଉଁଥିପାଇଁ ଆପଣଙ୍କୁ ରାଜଧାନୀବାସୀ ଭୋଟ୍‌ ଦେବେ ବୋଲି ଭାବୁଛନ୍ତି।
ମୁଁ ଯେଉଁ ୧୦ବର୍ଷ ବିଏମ୍‌ସିର ମେୟର ହେଲି ସେଥିରେ ଭୁବନେଶ୍ବରର ବହୁ ଉନ୍ନତିମୂଳକ କାର୍ଯ୍ୟ କରିଛି। ଭୁବନେଶ୍ବରକୁ ଦେଶର ଏକ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା ମିଳିଛି। ସ୍ମାର୍ଟ ସିଟି ଯୋଜନାରେ ଯେଉଁ ଅଞ୍ଚଳରେ ସବୁଠୁ ଅଧିକ ଉନ୍ନତିମୂଳକ କାର୍ଯ୍ୟ ହେଉଛି ‌େସଠାରେ ମୁଁ ପ୍ରାର୍ଥୀ ହୋଇଛି। ସେହିପରି ସହରରେ ୫୦ହଜାରରୁ ଅଧିକ ସ୍ମାର୍ଟ ଏଲ୍‌ଇଡି ଲାଗିଛି, ଗଳିକନ୍ଦିରେ ଷ୍ଟ୍ରିଟ ଲାଇଟ୍‌ ଲାଗିଛି, ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ପ୍ରତି ଘରକୁ ପାଇପ୍ ଯୋଗେ ପାଣି ସହ ୪୦ରୁ ଅଧିକ ସ୍ଥାନରେ ପାଣି ଏଟିଏମ୍‌ ମେସିନ୍‌ ଲାଗିଛି, ପରିମଳ ବ୍ୟବସ୍ଥା ସଜାଡ଼ିବାକୁ ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ହୋଇଛି, ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍ ଲାଗିଛି, ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବିଶ୍ବ ଶ୍ରେଣୀୟ ସହର ଭଳି ହୋଇଛି, ଉଠା ଦୋକାନୀଙ୍କୁ ଥଇଥାନ କରିଛି, ବିଭିନ୍ନ ସ୍ଥାନରେ କମ୍ୟୁନିଟି ସେଣ୍ଟର, ୨୦୦୦ରୁ ଅଧିକ ସିଟ୍‌ ବିଶିଷ୍ଟ ଶୌଚାଳୟ, ସ୍ମାର୍ଟ ଟଏଲେଟ୍‌ ହୋଇଛି। ରାଜଧାନୀବାସୀ ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଯେପରି ଆମୋଦପ୍ରମୋଦ ପାଇଁ ପାର୍କକୁ ଯାଇପାରିବେ ସେଥିପାଇଁ ୫୦ରୁ ଅଧିକ ନୂଆ ପାର୍କ କରିଛି। ବସ୍ତିରୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ହୋଇଛି।

ନିର୍ବାଚନରେ ବସ୍ତି ଭୋଟର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି କୁହାଯାଉଛି। ଆପଣ କ’ଣ କରିଛନ୍ତି ଯେଉଁଥିପାଇଁ ବସ୍ତିବାସିନ୍ଦା ଆପଣଙ୍କୁ ଭୋଟ୍‌ ଦେବେ ବୋଲି ଭାବୁଛନ୍ତି।
ଆବାସ ଯୋଜନାରେ ବର୍ତ୍ତମାନ ସୁଦ୍ଧ‌ା ୧୬୦୦ଟି ଘର ବସ୍ତିବାସିନ୍ଦାଙ୍କୁ ଯୋଗାଇ ଦିଆଯାଇଛି। ୯ହଜାର ବସ୍ତିବାସିନ୍ଦାଙ୍କୁ ବାସଗୃହ ଆବଣ୍ଟନ ପତ୍ର ପ୍ରଦାନ କରାଯାଇଛି। ୨୦୦୦ରୁ ଅଧିକ ହିତାଧିକାରୀ ନିଜସ୍ବ ପଟ୍ଟା ଥାଇ ବିଏମ୍‌ସିର ବିଭିନ୍ନ ୱାର୍ଡରେ ପକ୍କା ଘର ନିର୍ମାଣ କରିଛନ୍ତି। ଖୁବ୍‌ ଶୀଘ୍ର ଆଉ ୧୦ହଜାର ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇ ଦିଆଯିବ। ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ମିଳିବ। ବସ୍ତି ବାସିନ୍ଦାଙ୍କ ପାଇଁ ଗୋଷ୍ଠୀ ଶୌଚାଳୟ ହୋଇଛି। ସେମାନେ ଆଉ ଖୋଲା ଆକାଶ ତଳେ ଶୌଚ କରୁନାହାନ୍ତି। ବସ୍ତିରେ ଯୁବକମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ପ୍ରକାରର ତାଲିମ୍‌, ମହିଳାଙ୍କୁ ସଶକ୍ତ କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଋଣ ଦିଆଯାଇଛି। ସେହିପରି ରାଜଧାନୀର ଶ୍ରମିକ ଏବଂ କମ୍‌ ଆୟ କରୁଥିବା ଲୋକଙ୍କ ପାଇଁ ଆହାର କେନ୍ଦ୍ର ଖୋଲା ଯାଉଛି। ଯେଉଁଠି ରାଜଧାନୀର ପ୍ରାୟ ୯ହଜାର ଲୋକ ଦୈନିକ ୫ଟଙ୍କାରେ ଭାତ ଡାଲମା ଖାଇପାରୁଛନ୍ତି।

ଭୁବନେଶ୍ବରରେ ପ୍ରଦୂଷଣ ଏବେ ବଡ଼ ଚିନ୍ତାର ବିଷୟ ପାଲଟିଲାଣି। ଏହାର ସମାଧାନ ପାଇଁ କ’ଣ କରିବେ?
ପ୍ରଦୂଷଣ କମାଇବାକୁ ସାଧାରଣ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯାଉଛି। ‘ମୋ ବସ୍‌’ ଯୋଜନାରେ ୨୦୦ଟି ନୂଆ ବସ୍‌ ଚାଲୁଛି। ମୋ ସାଇକେଲ୍‌ ଯୋଜନାରେ ୧୫୦୦ରୁ ଅଧିକ ଅତ୍ୟାଧୁନିକ ସାଇକେଲ୍‌ ଗଡ଼ୁଛି। ଆଗକୁ ଏହିଭଳି ବିଭିନ୍ନ ଯୋଜନା କରି ରାଜଧାନୀକୁ ପ୍ରଦୂଷଣମୁକ୍ତ କରିବାକୁ ଯୋଜନା ହୋଇଛି। ପଥ ଉତ୍ସବ ଭଳି କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି।

ବର୍ଷା ଋତୁ ଆସି‌େଲ ରାଜଧାନୀବାସୀଙ୍କ ଦୁଃଖ ବଢ଼ିଯାଉଛି। ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍‌ ନଥିବାରୁ ବିଭିନ୍ନ ଅଞ୍ଚଳରେ ପାଣି ଜମୁଛି। ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର କେବେ ସମାଧାନ ହେବ।
ରାଜଧାନୀବାସୀ ଯେପରି ଜଳବନ୍ଦୀ ଭଳି ସମସ୍ୟାର ସମ୍ମୁଖୀନ ହେବେନି ସେଥିପାଇଁ ସବୁ ଅଞ୍ଚଳରେ ଡ୍ରେନ୍ ନିର୍ମାଣ ହେଉଛି। ଏବେ ପ୍ରାୟ ୮୫୦କିମି ରାସ୍ତା କଡ଼ରେ ଡ୍ରେନ୍ ନିର୍ମାଣ ସରିଲାଣି। ଡ୍ରେନ୍‌ଗୁଡ଼ିକୁ ନିୟମିତ ସଫା କରିବା ସହ ମୁଖ୍ୟ ଡ୍ରେନ୍‌ଗୁଡ଼ିକରୁ ଜବରଦଖଲ ଉଚ୍ଛେଦ କରି ଏହାକୁ ‌ପ୍ରଶସ୍ତ କରାଯାଉଛି। ଏବେ ପ୍ରାୟ ୧୦୦କୋଟି ଟଙ୍କାର କାମ ଚାଲିଛି। ଡ୍ରେନ୍‌ ବ୍ୟବସ୍ଥା ସୁଧାରିବାକୁ ୧୦୦୦ କୋଟିର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି। ନିର୍ବାଚନ ପରେ ଏନେଇ ଅର୍ଥ ମିଳିଲେ ତୁରନ୍ତ କାମ ହେବ। ଆସନ୍ତା ବର୍ଷା ଋତୁରେ ରାଜଧାନୀବାସୀ ଜଳବନ୍ଦୀ ଭଳି ସମସ୍ୟା ଦେଖିବେନି ବୋଲି ମୁଁ ଦୃଢ ଭାବେ କହିପାରିବି।

ଆପଣଙ୍କୁ ବିବାଦକୁ ଟାଣିବାକୁ କିଛି ବ୍ୟକ୍ତି ଆପଣଙ୍କ ବିରୋଧରେ ପ୍ରଚାର କରୁଛନ୍ତି। ଏନେଇ କ’ଣ କହିବେ?
ମୋ ବିରୋଧରେ କିଛି ଲୋକ ଷଡଯନ୍ତ୍ର କରିଥିଲେ। କିନ୍ତୁ ଏଥିରେ ସଫଳ ହେଲେନି। ମୋ ନାମରେ ପୂର୍ବରୁ ଯାହା ବି କିଛି ଅଭିଯୋଗ ଉଠିଥିଲା ତାହା ମିଛ ବୋଲି ମୁଁ କହିଥିଲି ଓ ଏ‌େବବି କହୁଛି। ଏନେଇ ବି ମୋତେ କମିସନରେଟ୍‌ ପୁଲିସରୁ କ୍ଲିନ୍‌ଚିଟ୍‌ ମିଳିଛି। ଏହାସହ ଓଡ଼ିଶା ମାନବାଧିକାର କମିସନରେ ହୋଇଥିବା ଦୁଇଟି କେସ୍‌ ବିଚାର ହୋଇ ଖାରଜ ହୋଇଛି। ପୁନଶ୍ଚ ମୋ ସମ୍ମାନ ହାନିମୂଳକ ମନଗଢ଼ା ତଥ୍ୟ ଯୋଡ଼ି ଗଣମାଧ୍ୟମ ନାମରେ ବିରୋଧୀମାନେ ଯେଉଁ ଅପପ୍ରଚାର କରୁଥିଲେ ତା’ ଉପରେ ମାନ୍ୟବର କୋର୍ଟ ନିଷେଧାଜ୍ଞା ଜାରି କରିଛନ୍ତି। ଯାହା ଏବେବି ବଳବତ୍ତର ଅଛି। ବରଂ ଏପରି ମିଥ୍ୟା କାର୍ଯ୍ୟର ପ୍ରଚାରପ୍ରସାର ନକରିବାକୁ ମାନ୍ୟବର ବିଚାର ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ବିରୋଧୀ ହୀନ ରାଜନୀତି କରିବେ ତେବେ ମୁଁ କିଛି କହିପାରିବନି। ମୁଁ ଲୋକଙ୍କୁ ଭଲ ପାଏ, ଲୋକ ମୋତେ ଭଲ ପାଆନ୍ତି।

ନିର୍ବାଚନ ଜିତିଲେ କ’ଣ କରିବେ ବୋଲି ଭାବୁଛନ୍ତି।
ଭଗବାନଙ୍କ ଆର୍ଶୀବାଦ ରହିଲେ ମୁଁ ନିଶ୍ଚିତ ବିଜୟ ହାସଲ କରିବି। ଏବେ ବି ମୁଁ ବିରୋଧୀ ପ୍ରାର୍ଥୀଙ୍କ ଠାରୁ ବହୁ ଆଗରେ ଅଛି। ନିର୍ବାଚନ ଜିତିଲେ ମେୟର ଥିବାବେଳେ ଯେମିତି ଲୋକଙ୍କ ସେବା କରୁଥିଲି, ସେମିତି କରିବି। ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି। ରାଜଧାନୀର ଯାହା କିଛି ବି ସମସ୍ୟା ରହିଛି ତାହାର ତୁରନ୍ତ ସମାଧାନ କରିବି।

ସମ୍ବନ୍ଧିତ ଖବର