ରାଜଧାନୀରେ ବି ଚାଲିଛି ଆଇପିଏଲ୍‌ ବେଟିଂ

ଭୁବନେଶ୍ୱର : ପ୍ରଥମେ ଗଞ୍ଜାମ, ତା ପରେ ଆସିକା, ସମ୍ବଲପୁର ଓ ଗତକାଲି ରାଉରକେଲାରେ ଆଇପିଏଲ୍‌ ଖେଳକୁ ନେଇ ଚାଲିଥିବା ଜୁଆ ଆଡ୍ଡାର ପର୍ଦାଫାସ କରିଛି ପୁଲିସ। ଜବତ ହୋଇଛି ଲକ୍ଷଲକ୍ଷ ଟଙ୍କା, ଲାପଟପ୍‌୍‌ ଓ ମୋବାଇଲ ଫୋନ୍‌। କେବଳ ଏହି ୪ଟି ସହର କାହିଁକି ରାଜଧାନୀରେ ମଧ୍ୟ ଆଇପିଏଲ ଖେଳକୁ ନେଇ ଚାଲିଛି ବେଟିଂ। ବାଜିରେ ଲାଗୁଛି ଲକ୍ଷଲକ୍ଷ ଟଙ୍କା। ଖେଳାଳିଙ୍କ ମୁଣ୍ଡ ପିଛା ମଧ୍ୟ ଟଙ୍କା ଲାଗୁଛି। ପଡ଼ିଆରେ ବ୍ୟାଟ୍‌ସମ୍ୟାନ ରନ୍‌ ବର୍ଷା କରୁଥିବାବେଳେ ଅନ୍‌ଲାଇନ୍‌ ମୋବାଇଲ୍‌ ଆପ୍‌ ମାଧ୍ୟମରେ ସଟ୍ଟା ବଜାରରେ ହେଉଛି ଟଙ୍କା ବର୍ଷା। ଛକା ଓ ଚଉକା ମାଡ଼ରେ ଦଳର ସ୍କୋର ଆଗକୁ ଆଗକୁ ବଢ଼ୁଥିବାବେଳେ ବେଟିଂ କରୁଥିବା ବୁକିର ରୋଜଗାର ମଧ୍ୟ ବଢ଼ି ବଢ଼ି ଚାଲୁଛି।

କେବଳ ଖେଳାଳି ଓ ଦଳ କାହିଁକି, ପ୍ରତି ବଲ, ୱିକେଟ୍‌ ଉପରେ ମଧ୍ୟ ଚାଲିଛି ବେଟିଂ। ଏ ନେଇ ‘ସମ୍ବାଦ’ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡ଼ିଛି ରାଜଧାନୀର କେତେକ ପ୍ରମୁଖ ତାରକା ହୋଟେଲ ଓ ବାର୍‌ରେ ଏହି ଜୁଆ ଖେଳର ଆସର ଜମୁଛି। ରାତି ୮ଟାରୁ ୧୨ ମଧ୍ୟରେ ବାଜିରେ ଲାଗୁଛି ଲକ୍ଷଲକ୍ଷ ଟଙ୍କା। ରାଜଧାନୀରେ ଏଭଳି ବେଆଇନ୍‌ ଜୁଆ ଖେଳ ଚାଲୁଥିଲେ ମଧ୍ୟ ପୁଲିସ ଏହାକୁ ବନ୍ଦ କରିବାକୁ କୌଣସିି ପଦକ୍ଷେପ ନେଉ ନାହିଁ। ରାଜ୍ୟ ବାହାରେ ବସିଥିବା ବୁକିମାନେ ବିଭିନ୍ନ ହୋଟେଲ କର୍ତୃପକ୍ଷ ଓ ବାରମାଲିକଙ୍କ ସହିତ ଯୋଗାଯୋଗ କରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସେମାନଙ୍କ ପସରା ମେଲାଇଛନ୍ତି।

ରାଜଧାନୀର କେଉଁଠି ହେଉଛି ଖେଳ
ଅନୁସନ୍ଧାନବେଳେ ଜଣାପଡ଼ିଛି କି ରାଜଧାନୀର ଖାରବେଳନଗର, ଲକ୍ଷ୍ମୀସାଗର, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଥାନା ଅଧୀନରେ ଥିବା ଏକାଧିକ ତାରକା ହୋଟେଲ ଓ ବାରରେ ଏହି ବେଟିଂ ଚାଲୁଛି। ଆଇପିଏଲ ମନୋରଂଜନ ଲାଗି ତାରକା ହୋଟେଲ ଓ ବାର୍‌ରେ ବଡ଼ ବଡ଼ ଏଲ୍‌ଇଡି ସ୍କ୍ରିନ ଲାଗିଛି। ଆଉ ସେଠାରେ ଉପସ୍ଥିତ ରହୁଛନ୍ତି ବୁକି। ବାରରେ ବସିଥିବା ଯୁବକମାନଙ୍କୁ ଆଇପିଏଲ ଖେଳ ପ୍ରତି ଆକର୍ଷଣ କରିବା ଲାଗି ଡ୍ରିଙ୍କ୍‌ସ ଉପରେ ଡିସକାଉଣ୍ଟ କରାଯାଉଛି। ନିଶା ଚଢ଼ିଲେ ଆଇପିଏଲ୍‌ରେ ବେଟିଂ କରିବାକୁ ପ୍ରବର୍ତା ଯାଉଛି। ଏଥିପାଇଁ ବୁକି ବୁଲି ବୁଲି ଟେବୁଲରୁ ଟଙ୍କା ସଂଗ୍ରହ କରିଥାଏ। ବିଶେଷକରି ରାଜଧାନୀରେ ପଢ଼ୁଥିବା କେତେକ ଇଂଜିନିୟରିଂ ଓ ଡାକ୍ତରୀ ଛାତ୍ର, ବିଲଡର୍‌, ଶଳ୍ପପତି ଓ ସୁଧ କାରବାର କରୁଥିବା ବ୍ୟକ୍ତି ବିଶେଷମାନେ ଏହି ଖେଳରେ ମାତୁଛନ୍ତି।

ବସ୍ତିରେ ମଧ୍ୟ ଚାଲିଛି ଖେଳ
କେବଳ ଯେ, ତାରକା ହୋଟେଲ ଓ ବାରରେ ଏହି କାରବାର ଚାଲୁଛି ତାହା ନୁହେଁ। ଆଇପିଏଲ ବେଟିଂ ରାଜଧାନୀର କେତେକ ବସ୍ତିକୁ ମଧ୍ୟ ବ୍ୟାପୀ ଗଲାଣି। ଖାରବେଳନଗର ଓ କ୍ୟାପିଟାଲ ଥାନା ଅଧୀନରେ ଥିବା କେତେକ ବସ୍ତି, ପାନ ଦୋକାନ ଆଦିରେ ଛୋଟଛୋଟ ପିଲାମାନେ ଶହେ ଟଙ୍କାରୁ ଆରମ୍ଭ କରି ୫ ଶହ ଟଙ୍କା ପର୍ଯ୍ୟନ୍ତ ବେଟ୍‌ ଲଗାଉଛନ୍ତି।

ବିରାଟ, ଗେଲ୍‌ ଓ ରୋହିତଙ୍କର ଅଧିକ ଚାହିଦା
ଆଇପିଏଲ ବେଟିଂର ପ୍ରଥମ ପସନ୍ଦ ପାଲଟିଛନ୍ତି, ରୋହିତ ଶର୍ମା, ଏହା ପଛକୁ କ୍ରିସ୍‌ ଗେଲ୍‌ ଓ ପରେ ବିରାଟ କୋହଲି। ଏମାନଙ୍କ ମୁଣ୍ଡ ପିଛା ବାଜି ଲାଗୁଛି। ସେହିଭଳି କେତେକ ବୋଲରମାନଙ୍କ ମୁଣ୍ଡ ଉପରେ ମଧ୍ୟ ବାଜି ଲାଗୁଛି। ଏପରିକି ଗୋଟିଏ ଗୋଟିଏ ଓଭର୍‌ରେ କେତେକ ରନ୍‌ ସଂଗ୍ରହ ହେବ ତାକୁ ନେଇ ଉଡୁଛି ଟଙ୍କା। ସେହିପରି ଦଳ ହିସାବରେ ମୁମ୍ବାଇ ଇଣ୍ଡିଆନ୍ସ, କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ, ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ଯେଉଁ ଦିନ ଖେଳୁଛନ୍ତି, ସେମାନଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳ ହେଉଛି।

ଭୁବନେଶ୍ୱରରେ କେବେ ହେବ ଚଢ଼ଉ ?
ଆଇପିଏଲ ଖେଳ ଆରମ୍ଭ ହେବା ପରେ ପ୍ରଥମେ ଗଞ୍ଜାମ, ସମ୍ବଲପୁର ଓ ରାଉରକେଲା ପୁଲିସ ବେଟିଂ ହେଉଥିବା ସ୍ଥାନରେ ଚଢ଼ଉ କରି ଲକ୍ଷଲକ୍ଷ ଟଙ୍କା, ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଆଦି ଜବତ କରିବା ସହିତ ୧୫ରୁ ଅଧିକ ଜୁଆଡ଼ିଙ୍କୁ ଗିରଫ କରି ସାରିଲାଣି। ରାଜଧାନୀର ଛାତି ଉପରେ ଏହି ଖେଳ ଚାଲୁଥିଲେ ମଧ୍ୟ ପୁଲିସ ଚଢ଼ଉ କରିବାକୁ ସାହସ ଯୋଗାଡ଼ କରି ପାରୁନାହିଁ। ଯେଉଁସବୁ ହୋଟେଲ ଓ ବାର୍‌ରେ ଏହି ଆଇପିଏଲ ବେଟିଂ ଚାଲିଛି ସେଠାକୁ ପ୍ରତ୍ୟେକ ଦିନ ପ୍ରଭ ।ବଶାଳୀ ବ୍ୟକ୍ତିବିଶେଷମାନେ ଯିବା ଆସିବା କରୁଥିବାରୁ ପୁଲିସ ସେଠାରେ ଚଢ଼ଉ କରିବାକୁ ପଛଘୁଞ୍ଚା ଦେଉଛି ବୋଲି ଅଭିଯୋଗ ହେଉଛି।

କ’ଣ କୁହନ୍ତି ଡିସିପି:
ଏ ସମ୍ପର୍କରେ ଡିସିପି ଅନୁପ ସାହୁଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ ଖେଳ ଆରମ୍ଭ ବେଳେ ଖଣ୍ଡଗିରି ଓ କ୍ୟାପିଟାଲ ଥାନା ଅଧୀନରେ ଥିବା କେତେକ ହୋଟେଲରେ ଆଇପିଏଲ ଖେଳକୁ ନେଇ ବେଟିଂ ହେଉଥିବା ଖବର ଆସିଥିଲା। ପୁଲିସ ପକ୍ଷରୁ ସେଠାରେ ଚଢ଼ଉବେଳେ ସେମିତି କିଛି ମିଳି ନ ଥିଲା। ଅନ୍ୟ ଯେଉଁଠି ବେଟିଂ ହେଉଥିବା ଖବର ମିଳିଲେ ନିଶ୍ଚିତ ଚଢ଼ଉ ହେବ।

ସମ୍ବନ୍ଧିତ ଖବର