ପୁଣି ଚର୍ଚ୍ଚାରେ ଆଇପିଏସ ଅଧିକାରୀ ବୋଥ୍ରା, ପରିବାରକୁ ଏକାଠି କଲା ଇଣ୍ଡିଆ କେୟାର୍ସ

ଭୁବନେଶ୍ୱର: ରାଜସ୍ଥାନରୁ ଓଟ କ୍ଷୀର ଆଣି ମୁମ୍ବାଇରେ ରୋଗିଣା ଶିଶୁ ପାଖରେ ପହଞ୍ଚାଇଥିବା ଆଇପିଏସ୍‌ ଅଫିସର୍‌ ଅରୁଣ ବୋଥ୍ରା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଗଢ଼ିଥିବା ଇଣ୍ଡିଆ କେୟାର୍ସ ସଂସ୍ଥା ଜରିଆରେ ପରିବାରଠାରୁ ଅଲଗା ହୋଇଯାଇଥିବା ଶିଶୁ ପୁଣି ପରିବାରକୁ ଫେରି ପାଇଛି। ଏକ ପାର୍କରେ ଅବହେଳିତ ଅବସ୍ଥାରେ ଶିଶୁଟି ରହିଥିବା ଦେଖି ଜଣେ ମହିଳା ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍‌ର ୨୪ ଘଣ୍ଟା ମଧ୍ୟରେ ଶିଶୁଟି ପାଖରେ ତା’ର ପରିବାର ପହଞ୍ଚିଥିଲେ। ‘ସାହାଯ୍ୟ କରିବାକୁ ହେଲେ ଅର୍ଥ କିମ୍ବା ମାନବ ସମ୍ବଳର ଆବଶ୍ୟକତା ନାହିଁ, ବରଂ ମାଗଣାରେ ଗୋଟିଏ ଟ୍ବିଟ୍‌ ଅନେକଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଦିଏ’ ବୋଲି ଟ୍ବିଟ୍‌ କରି ଏହି ଘଟଣା ସମ୍ବନ୍ଧରେ ଜଣାଇଛନ୍ତି ଶ୍ରୀ ବୋଥ୍ରା।

ତାଲାବନ୍ଦ ପୂର୍ବରୁ ଦିଲ୍ଲୀର ଏକ ପରିବାର ବିହାର ସମସ୍ତିପୁରକୁ ଯାଇଥିଲେ। ତାଙ୍କର ୧୨ ବର୍ଷର ପୁଅକୁ ବନ୍ଧୁଙ୍କ ଘରେ ଛାଡ଼ି ଯାଇଥିଲେ। ହେଲେ ପାରିବାରିକ ଗଣ୍ଡଗୋଳକୁ ନେଇ ବନ୍ଧୁଜଣକ ପୁଅକୁ ଦୁଇଦିନ ତଳେ ଘରୁ ବାହାର କରି ଦେଇଥିଲେ। ଘରୁ ବାହାରିବା ପରେ ସେ ବିହାର ଆସିବାକୁ ସମର୍ଥ ନଥିଲେ। ଏଣେ ପରିବାରବର୍ଗ ଦିଲ୍ଲୀ ଫେରିପାରି ନଥିଲେ। ପୁଅ ଦ୍ବାରିକାର ଏକ ପାର୍କରେ ଆଶ୍ରୟ ନେଇଥିଲା। ସେଠାରେ ଆଖିଆ ଅପିଆ ପଡ଼ି ରହିଥିଲା। ସେହି ବାଟ ଦେଇ ଜଣେ ମହିଳା ଯିବା ବେଳେ ତାଙ୍କର ନଜର ପଡ଼ିଥିଲା। ତା’ ଦୁଃଖ କାହାଣୀ ଶୁଣିବା ପରେ କିଛି ଦିନ ପାଇଁ ଖାଦ୍ୟ ଯୋଗାଡ଼ କରି ଦେଇଥିଲେ ଏବଂ ଇଣ୍ଡିଆ କେୟାର୍ସ ଓ ଅରୁଣ ବୋଥ୍ରାଙ୍କୁ ଟ୍ୱିଟ ଜରିଆରେ ଅବଗତ କରିଥିଲେ। ଖବର ଇଣ୍ଡିଆ କେୟାର୍ସର ସମସ୍ତ ସଦସ୍ୟଙ୍କ ପାଖରେ ପହଞ୍ଚିଥିଲା। କିଛି ସଦସ୍ୟ ବିହାର ସମସ୍ତିପୁରରେ ପରିବାରକୁ ଠାବ କରିଥିଲେ। କିଛି ସମ୍ପୃକ୍ତ ଶିଶୁକୁ ଠାବ କରିଥିଲେ। ବିହାରରୁ ଟ୍ରେନ୍‌ ଟିକେଟ୍‌ କରି ପରିବାର ବର୍ଗକୁ ଦିଲ୍ଲୀ ପଠାଇଥିଲେ। ଏହାପରେ ପରିବାରବର୍ଗ ସମ୍ପୃକ୍ତ ପାର୍କରେ ପହଞ୍ଚି ପୁଅକୁ ଭେଟିଥିଲେ। ପୁଅକୁ ଘରକୁ ନେଇଥିଲେ। ଏହି ଘଟଣାବଳୀ ଶ୍ରୀ ବୋଥ୍ରା ଟ୍ୱିଟ କରି ସୂଚନା ଦେବା ପରେ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି। ସୂଚନାଯୋଗ୍ୟ, ଓଟ କ୍ଷୀର ପହଞ୍ଚାଇବା ପରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଇଣ୍ଡିଆ କେୟାର୍ସ ନାମକ ସଂଗଠନ ଗଠନ ହୋଇଥିଲା।

ସମ୍ବନ୍ଧିତ ଖବର