ଜଗା ଦାସ ହତ୍ୟାକାଣ୍ଡ: କମିସନରେଟ୍‌ ଓ ରେଳବାଇ ପୁଲିସ ଟଣାଓଟରା

ଆଗେଇ ପାରୁନି ତଦନ୍ତ, ଫେରାର ହୋଇଗଲେଣି ଅଭିଯୁକ୍ତ

ଭୁବନେଶ୍ୱର: ଶିଶୁଭବନ ଛକ ଓଭରବ୍ରିଜ୍‌ ତଳ ରେଳ ଧାରଣା କଡ଼ରୁ ଜଗା ଦାସ ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାକୁ ୧୫ଦିନ ବିତି ଗଲାଣି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଜଗାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ସୂଚନା ମିଳି ସାରିଛି। ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଥିବା ରେଳବାଇ ଥାନା ପୁଲି ପରେ ଏକ ହତ୍ୟା ମାମଲା ରୁଜୁ କରିଛି। କିନ୍ତୁ ସୀମା ବିବାଦରୁ ଏବେ ତଦନ୍ତ ଆଗେଇ ପାରୁନାହିଁ। ଯେଉଁ ସ୍ଥାନରେ ହତ୍ୟାକାଣ୍ଡ ଘଟିଥିଲା, ତାହା ବଡ଼ଗଡ଼ ଥାନା ଅଧୀନ ବୋଲି ଦର୍ଶାଇ ରେଳବାଇ ଥାନା କମିସନରେଟ ପୁଲିସକୁ ଚିଠି ଲେଖିଥିଲା। ଏହି ଚିଠି ଲେଖିବା ଘଟଣାକୁ ମଧ୍ୟ ସପ୍ତାହେ ହୋଇ ଗଲାଣି। କିନ୍ତୁ ଏଯାଏ ବଡ଼ଗଡ଼ ଥାନା ପୁଲିସ ମାମଲା ରୁଜୁ କରିନାହିଁ। ଅପରପକ୍ଷେ କମିସନରେଟ୍‌ ଓ ରେଳବାଇ ଥାନା ପୁଲିସ ମଧ୍ୟରେ ଟଣାଓଟରା ହତ୍ୟାକାରୀଙ୍କୁ ସୁହାଇଛି। ହତ୍ୟାକାରୀମାନେ ଏହାର ସୁଯୋଗ ନେଇ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ଗତ ୯ ତାରିଖ ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ଶିଶୁଭବନ ଛକ ରେଳ ଲାଇନ ପାଖରେ ଜଗାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଜଗାଙ୍କ ଦେହରେ ହଣା ଦାଗ ଥିବାରୁ ପରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। କିଛି ଯୁବକ ଜଗାଙ୍କୁ ଜିମ୍‌ରୁ ଡାକି ଆଣି ହତ୍ୟା କରିଥିବା ପୁଲିସକୁ କହିଥିଲେ। ଏ ସମ୍ପର୍କରେ ରେଳବାଇ ଥାନା ଇନ୍ସପେକ୍ଟର ଭରତ ସାହୁ କହିଛନ୍ତି, ମାମଲାକୁ ବଡ଼ଗଡ଼ ଥାନାକୁ ହସ୍ତାନ୍ତର କରିଛୁ। ବଡ଼ଗଡ଼ ଥାନା ପୁଲିସ ମଧ୍ୟ ହତ୍ୟାକାରୀଙ୍କୁ ଚିହ୍ନଟ କରି ସାରିଛି। କେବଳ ଗିରଫ କରିବା ବାକି ରହିଛି। ବଡ଼ଗଡ଼ ଥାନା ଇନ୍ସପେକ୍ଟର ଦିଲ୍ଲୀପ ସ୍ୱାଇଁ କହିଛନ୍ତି, ଆମ ନିକଟକୁ କୌଣସି ଚିଠି ଆସି ନାହିଁ। ଚିଠି ଆସିଲେ ମାମଲା ରୁଜୁ ହେବ ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ। ଏ ସଂପର୍କରେ ଡିସିପି ଅନୁପ ସାହୁ କହୁଛନ୍ତି, ମୁଁ ଘଟଣାର ଅନୁଧ୍ୟାନ କରୁଛି।

ସମ୍ବନ୍ଧିତ ଖବର