ଜଗନ୍ନାଥ ବସ୍ତି ଉଚ୍ଛେଦ, ଆଉ ଗୋଟିଏ ଦିନ ସୁଯୋଗ

ସୁବୁଦ୍ଧିପୁର ପ୍ରୋଜେକ୍ଟରେ ମିଳିବ କୋଠାଘର, ପିଲାଙ୍କ ପଢ଼ିବା ପାଇଁ ନିକଟ ସ୍କୁଲରେ ହେବ ନାମଲେଖା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୭ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ବକପ୍‌ର ଶୁଭାରମ୍ଭ ହେବ। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଷ୍ଟାଡିୟମ୍‌ର ଗେଟ୍‌ ଏବଂ ପାଚେରି ଚାରିପ‌ଟେ ଥିବା ବସ୍ତିଗୁଡ଼ିକୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯାଉଛି। ଆଜି ଷ୍ଟାଡିୟମ୍‌ର ପାଚେରିକୁ ଲାଗି ରହିଥିବା ଜୟଦେବ ବିହାରସ୍ଥିତ ଜଗନ୍ନାଥବସ୍ତିକୁ ଉ‌େଚ୍ଛଦ କରିବାକୁ ବିଏମ୍‌ସି ଓ ବିଡିଏ ପକ୍ଷରୁ ଉଦ୍ୟମ କରାଯାଇଥିଲା। କିନ୍ତୁ ବସ୍ତିବାସିନ୍ଦାଙ୍କ ଅନୁରୋଧ ଯୋଗୁଁ ସେମାନଙ୍କୁ ଗୋଟିଏ ଦିନର ମହଲତ ଦିଆଯାଇଛି। ଆଜି ଅଳ୍ପ କିଛି ଘରକୁ ଉଚ୍ଛେଦ କରାଯାଇଛି। ଏହି ବସ୍ତିରେ ରେ’ ଯୋଜନାରେ ୨୨୧ଟି ଘରକୁ ମିଶାଇ ମୋଟ ୩ଶହଟି ଘର ରହିଛି। ଜାତୀୟ ରାଜପଥ ନିକଟରେ ଏହି ବସ୍ତିଗୁଡ଼ିକ ଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ଉଚ୍ଛେଦକାରୀ ଦଳ ଜୋରଜବରଦସ୍ତି କରିବାକୁ ଉଚିତ୍‌ ମନେ କରି ନଥିଲେ। ବିଏମ୍‌ସିଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ସମ୍‌ ହସ୍ପିଟାଲ ନିକଟ ପଣ୍ଡା କୁଦିଆରେ ଅସ୍ଥାୟୀ ଘରକୁ ସ୍ଥାନାନ୍ତର କରାଯିବ। ବସ୍ତିର ମୋଟ ୧୬୨ ପରିବାରକୁ ବିଏମ୍‌ସି ପକ୍ଷରୁ ଟୋକନ୍‌ ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ଆଜି ୧୦ଟି ପରିବାର ପଣ୍ଡା କୁଦିଆକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି।

ବିଏମ୍‌ସି ଓ ବିଡିଏର ଅଧିକାରୀମାନେ ଆଜି ଉଚ୍ଛେଦ କରିବାକୁ ବସ୍ତିକୁ ଯାଇଥିବା ବେଳେ କିଛି ଲୋକ ପ୍ରତିବାଦ କରିବାରୁ ସେଠାରେ ସାମୟିକ ଉତ୍ତେଜନା ଦେଖାଦେଇଥିଲା। କିନ୍ତୁ ଉଭୟ ବିଭାଗର ଅଧିକାରୀମାନେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଗୋଟିଏ ଦିନର ମହଲତ ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପଣ୍ଡା କୁଦିଆରେ ସେମାନଙ୍କୁ ଅସ୍ଥାୟୀ ଘର ସହ ସମସ୍ତ ସୁବିଧା ସୁଯୋଗ, ସେମାନଙ୍କ ପିଲାଙ୍କ ପାଠପଢ଼ା ଓ ସ୍ଥାନୀୟ ସ୍କୁଲରେ ନାମଲେଖା ଓ ସ୍ଥାନାନ୍ତର ପାଇଁ ବିଏମ୍‌ସି ପକ୍ଷରୁ ଗାଡ଼ି ଯୋଗାଇ ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ଉଚ୍ଛେଦ ପାଇଁ ବସ୍ତି ବାସିନ୍ଦା ରାଜି ହୋଇଥିଲେ। ପ୍ରତ୍ୟେକ ପରିବାରକୁ ଅସ୍ଥାୟୀ ଘର ନିର୍ମାଣ ବାବଦକୁ ୩୫ ହଜାର ଟଙ୍କା ଓ ପାଇଖାନା ପାଇଁ ୮ ହଜାର ଟଙ୍କା; ସମୁଦାୟ ୪୩ ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଜି ବିଳମ୍ବ ହୋଇଯିବାରୁ ଆସନ୍ତାକାଲି (ଶନିବାର)ଠାରୁ ଉଚ୍ଛେଦ କରିବାକୁ ବସ୍ତିବାସିନ୍ଦା ଅନୁରୋଧ କରିଥିଲେ। ଜିନିଷପତ୍ର ସ୍ଥାନାନ୍ତର ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ପଣ୍ଡା କୁଦିଆର ଲୋକମାନଙ୍କୁ ସୁବୁଦ୍ଧିପୁରସ୍ଥିତ ହାଉସିଂ ପ୍ରୋଜେକ୍ଟରେ କୋଠାଘର ଯୋଗାଇ ଦିଆଯିବ। ଯେ ପର୍ଯ୍ୟନ୍ତ ଘର ପ୍ରଦାନ କରାଯାଇ ନାହିଁ‌, ସେମାନଙ୍କୁ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ବିଏମ୍‌ସି ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର