ଜାହ୍ନବୀଙ୍କ ଫୁଲ ରଙ୍ଗୋଲି

ଫୁଲର ରଙ୍ଗୋଲି। ଶୁଣିବାକୁ ଟିକେ ଅଜବ ଲାଗୁଥିବ ନିଶ୍ଚୟ। ମୁରୁଜରେ ରଙ୍ଗୋଲି ପକାଯାଉଥିବା ବେଳେ ଏହି ଫୁଲର ରଙ୍ଗୋଲି କ’ଣ ବୋଲି ମନରେ ପ୍ରଶ୍ନଟିଏ ଉଙ୍କି ମାରୁଥିବ। କିନ୍ତୁ ରବୀନ୍ଦ୍ର ମଣ୍ଡପରେ ପଶୁ ପଶୁ ଏଭଳି ରଙ୍ଗୋଲି ଦେଖି ପାଦ ଆପେ ଅଟକି ଯିବ। ଭଳିକି ଭଳି ଫୁଲ ଓ ପତ୍ରର ସମାହାର ସାଙ୍ଗକୁ କଳସ, ଦୀପ, ରଙ୍ଗବେରଙ୍ଗର ମୁରୁଜ ଆଦିକୁ ନେଇ ସୁନ୍ଦର ଭାବେ ସଜା ଯାଇଥାଏ ଏହି ରଙ୍ଗୋଲି। ରବୀନ୍ଦ୍ର ମଣ୍ଡପ ପ୍ରବେଶ ପଥର ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ପ୍ରତିଦିନ ସଞ୍ଜରେ ପଡ଼ିଥାଏ ଏହି ରଙ୍ଗୋଲି। ଯାହାକୁ ଦେଖିବାକୁ ଦର୍ଶକଙ୍କ ବେଶ୍‌ ଭିଡ଼ ଜମେ। ଅଧିକାଂଶ ସମୟରେ ଏହାକୁ ଆଙ୍କିଥାନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ଜାହ୍ନବୀ ବେହେରା।

ଜାହ୍ନବୀ କୁହନ୍ତି, ଜାଣିନି ଏ କଳା ମୋ ପାଖକୁ କେମିତି ଆସିଲା। ପ୍ର୍ରାୟ ୧୦ ବର୍ଷ ହେଲା ମୁଁ ଫୁଲରେ ରଙ୍ଗୋଲି ତିଆରି କରି ଆସୁଛି। କେବଳ ରବୀନ୍ଦ୍ର ମଣ୍ଡପ ପ୍ରବେଶ ପଥରେ ହିଁ ମୁଁ ଏହି ରଙ୍ଗୋଲି ପକାଏ। ଏଥିପାଇଁ ମୁଁ କୌଣସି ପାରିଶ୍ରମିକ ନିଏ ନାହିଁ। ରଙ୍ଗୋଲି କରିବା ପୂର୍ବରୁ ମୁଣ୍ଡରେ କିଛି ଡିଜାଇନ୍‌ ନ ଭାବିଥିଲେ ମଧ୍ୟ ଜଗନ୍ନାଥଙ୍କ କୃପାରୁ ମୁଁ ଆଜି ଯାଏ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ଡିଜାଇନ୍‌ କରିଆସିଛି। ଆଗକୁ ମଧ୍ୟ ଏହା ଜାରି ରହିବ। ତେବେ ସେ ବିଭିନ୍ନ ରଙ୍ଗର ଗେଣ୍ଡୁ ଫୁଲ ସାଙ୍ଗକୁ ଗୋଲାପ, ମଲ୍ଲୀ ଭଳି ଅନ୍ୟ ଫୁଲ, ବିଭିନ୍ନ ଗଛର ପତ୍ର ଓ ରଙ୍ଗବେରଙ୍ଗ ମୁରୁଜକୁ ନେଇ ରଙ୍ଗୋଲି ପକାନ୍ତି। ଯାହା ବହୁତ ରଙ୍ଗୀନ୍‌ ହେବା ସହ ଆକର୍ଷଣୀୟ ଲାଗେ। ଦେଢ଼ ଫୁଟରୁ ଆରମ୍ଭ କରି ୮ ଫୁଟ ପର୍ଯ୍ୟନ୍ତ ସେ ରଙ୍ଗୋଲି ପକାନ୍ତି ଓ ଆଗକୁ ଅଧିକ ସ୍ଥାନରେ ପକାଇବେ ବୋଲି ଜାହ୍ନବୀ କହିଛନ୍ତି।

ସମ୍ବନ୍ଧିତ ଖବର