ସାମାଜିକ ସମୀକ୍ଷାର ଜନଶୁଣାଣି : ଶିଶୁ ଓ ମହିଳା ସରକାରୀ ଯୋଜନାରୁ ବଞ୍ଚିତ

ଭୁବନେଶ୍ୱର : ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ସରକାର ଯେଉଁ ଯୋଜନା କରୁଛନ୍ତି, ତାହା କେବଳ ଲୋକ ଦେଖାଣିଆ। ପ୍ରକୃତରେ ସେମାନେ ସରକାରୀ ଯୋଜନାର କୌଣସି ସୁଫଳ ପାଉନାହାନ୍ତି। ସେମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି ଆଜି ସିଏଫ୍‌ଏଆର୍‌ ପକ୍ଷରୁ କରାଯାଇଥିବା ଏକ ସାମାଜିକ ସମୀକ୍ଷା ରିପୋର୍ଟରୁ ଜଣାପଡ଼ିଛି। ସଂସ୍ଥା ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମର ଓ୍ଵାର୍ଡ ନମ୍ବର ୫୨ର ଶିଶୁ ଓ ମହିଳାମାନଙ୍କ ଉପରେ କରାଯାଇଥିବା ସମୀକ୍ଷା ରିପୋର୍ଟ ପ୍ରମାଣ କରୁଛି। ସେମାନଙ୍କୁ ଅଙ୍ଗବାଡ଼ି ପକ୍ଷରୁ ଠିକ୍‌ ଭାବେ ସେବା ଯୋଗାଇ ଦିଆଯାଉନି। ଗର୍ଭବତୀ ମହିଳା ଓ ପ୍ରସୂତିମାନଙ୍କୁ ଠିକ୍‌ ଭାବେ ସ୍ୱାସ୍ଥ୍ୟ ସେବା ଯୋଗଇ ଦିଆଯାଉନି କି ଖାଦ୍ୟ ମଧ୍ୟ ଦିଆଯାଉନାହିଁ। ଶିଶୁମାନଙ୍କୁ ଛତୁଆ କିମ୍ବା ଟୀକା ଠିକ୍‌ ସମୟରେ ଦିଆଯାଉ ନାହିଁ, ୬ ମାସରୁ ୩ବର୍ଷ ପିଲାକୁ ଅଣ୍ଡା, ଜଳଖିଆ କିମ୍ବା ରନ୍ଧାଖାଦ୍ୟ ମଧ୍ୟ ଦିଆଯାଉନାହିଁ ବୋଲି ସଂସ୍ଥା ପକ୍ଷରୁ ନୂଆପଲ୍ଲୀ ଓ୍ଵାଇଏମ୍‌ସିଏ କାର୍ଯ୍ୟାଳୟଠାରେ ଆୟୋଜିତ ଜନଶୁଣାଣି ସଭାରେ ମତ ପ୍ରକାଶ ପାଇଛି।

ଓ୍ଵାର୍ଡ ନଂ-୫୨ ବିଭିନ୍ନ ଅଙ୍ଗନବାଡ଼ି ଅଧିକୃତ ସାହି ଯଥା- ଗଙ୍ଗନଗରପଲ୍ଲୀ, ଗଙ୍ଗନଗର ହଷ୍ଟେଲ୍‌ ସାଇଡ୍‌, ଗଙ୍ଗନଗର ପଲ୍ଲୀ, ଭୀମପୁର, କେଳାସାହି, ହରିଜନସାହିରେ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଯଦିଓ କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀଙ୍କ ୭୦% ଉପସ୍ଥାନ ରହୁଛି କିନ୍ତୁ ଅନ୍ୟାନ୍ୟ ସେବା ପ୍ରଦାନରେ ଅବହେଳା ଦେଖାଯାଉଛି, ଯେପରିକି ହାରାହାରି ୧୩% କେନ୍ଦ୍ରରେ ଉତ୍ତମ ରନ୍ଧାଖାଦ୍ୟର ବ୍ୟବସ୍ଥା ହେଉଛି,୧୦% କେନ୍ଦ୍ରରେ ଦୈନିକ ମେନୁ ଅନୁସାରେ ଖାଦ୍ୟ ଦିଆ ଯାଉଛି, କେବଳ ୭% କେନ୍ଦ୍ରରେ ଜଳଖିଆ ଦିଆଯାଉଅଛି, ୯% କେନ୍ଦ୍ରରେ ପ୍ରାକ୍‌ ବିଦ୍ୟାଳୟ କାର୍ଯ୍ୟକ୍ରମ ହେଉଛି। କୌଣସି କେନ୍ଦ୍ରର ନିଜସ୍ୱ ଗୃହ, ପାଇଖାନା, ରୋଷେଇ ଗୃହ ନାହିଁ, ୮୦% ଛୋଟ ପିଲାଙ୍କ ଓଜନ ଯନ୍ତ୍ର ଥିବା ବେଳେ ବଡ଼ମାନଙ୍କ ପାଇଁ ନାହିଁ, କେବଳ ୫୦% କେନ୍ଦ୍ରରେ ଶିକ୍ଷଣ ଉପକରଣ ଅଛି। ଗତ ମାସରେ କେବଳ ୫% ହିତାଧିକାରୀଙ୍କୁ ୨ ପ୍ୟାକଟ୍‌ ଲେଖାଏଁ ଛତୁଆ ଦିଆଯାଇଛି, ୮ ଗୋଟି ଅଣ୍ଡା ଦେବା ସ୍ଥଳେ ହାରାହାରି ମୁଣ୍ଡ ପିଛା ୩ ଗୋଟି ଅଣ୍ଡା ଦିଆଯାଇଛି। ସେହିପରି ଗତ ତିନି ମାସ ମଧ୍ୟରେ କେବଳ ୬% ପିଲାଙ୍କ ଓଜନ ହୋଇଛି ଏବଂ ଏହି ପିଲାଙ୍କ ଓଜନ କୌଣସି ଅବିଭାବକଙ୍କୁ ଅବଗତ କରାଯାଇନାହିଁ। ସମ୍ପୂର୍ଣ୍ଣ ଭାବେ ଟୀକାକରଣ ହୋଇପାରିନାହିଁ। କୌଣସି ଗୋଟିଏ ବି ଯାଞ୍ଚ ବା ମାତୃ କମିଟିର ସଭ୍ୟ /ସଭ୍ୟା ନିଜର ଦାୟିତ୍ୱ ବିଷୟରେ ଅବଗତ ନାହାନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ସି.ଏଫ୍‌.ଆର୍‌ର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଦେଖାଦେଇଥିବା ସମସ୍ୟାକୁ ଅନୁଧ୍ୟାନ କରି ବ୍ୟବସ୍ଥାରେ ବ୍ୟପକ ସୁଧାର ଆଣିବା ପାଇଁ ବିଭାଗୀୟ ଅଧିକାରୀ ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ୍‌ କରି ଖାଦ୍ୟର ଅନୁଦାନ ବଢ଼ାଯିବା ଯାଞ୍ଚ ବା ମାତୃ କମିଟିଗୁଡ଼ିକ କିପରି ସକ୍ରିୟ ଭାବେ ନିଜର ଦାୟିତ୍ୱ ତୁଲାଇବେ, ସେ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦାଙ୍କ ମତାମତ ମଧ୍ୟ ମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ସମ୍ପୃକ୍ତ ୱାର୍ଡର ଏକାଧିକ ମହିଳା ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାନସରଂଜନ ସାମଲ, ହୃଦୟ ବଲ୍ଲଭ ଦାସ, ଛନ୍ଦାରାଣୀ ମହାନ୍ତି, ସମୀର ରଂଜନ ଦାସ, ରାମକୃଷ୍ଣ ପଣ୍ଡା, କର୍ପୋରେଟର୍‌ ଶ୍ରୀଧର ବେହେରା ପ୍ରମୁଖ ଯୋଗ ଦେଇ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଉନ୍ନତି ଏବଂ ଏହାର ବିକାଶ ଦିଗରେ କିପରି ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ, ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ। ସଂସ୍ଥାର ସଦସ୍ୟ ପୂଜାଫୁଲ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମୀର ଦାଶ ଉକ୍ତ ସମୀକ୍ଷା ପକ୍ରିୟା ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ଶେଷରେ ମମତା ସିଂ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର