‘ଜନନୀ ଫାଉଣ୍ଡେସନ’ ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ

ଭୁବନେଶ୍ୱର : ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟରେ ଜନନୀ ଫାଉଣ୍ଡେସନ୍‌ ପକ୍ଷରୁ ପ୍ରତିଭା ସମ୍ମାନ ୨୦୧୭ ସମ୍ବର୍ଧନା ଉତ୍ସବ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪୦ ଜଣ ବିଶିଷ୍ଟ ବ୍ୟକ୍ତିିଙ୍କୁ ସମ୍ମାନିତ କରା ଯାଇଥିଲା।

ଉତ୍ସବରେ ମୁଖ୍ୟଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ କହିଲେ, ଓଡ଼ିଶା ପ୍ରତିଭାର ଗନ୍ତାଘର। ତେବେ ପ୍ରତିଭାର ବିକାଶ ଲାଗି ବିଭିନ୍ନ ମଞ୍ଚର ଆବଶ୍ୟକତା ରହିଛି। ଏଥିନେଇ ସରକାର ‘ସୁରଭି’ ଭଳି କାର୍ଯ୍ୟକ୍ରମ କରୁଥିବା ବେଳେ, ଜନନୀ ପରି ବିଭିନ୍ନ ଘରୋଇ ସଂସ୍ଥାଙ୍କ ପ୍ରତିଭାର ବିକାଶ ଲାଗି ଉଦ୍ୟମ ପ୍ରଶଂସନୀୟ।

ମୁଖ୍ୟବକ୍ତା ଭାବେ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଆୟକର କମିସନର ଶରତ ଦାଶ, ସାମ୍ବାଦିକ ଭାଗବତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ସମାଜସେବା ପାଇଁ ନମ୍ରତା ଚଢ଼ା, ରୀନା ରାଉତରାୟ, ଗଗନ ପାଇଟାଳ, ମୀରା ପରିଡ଼ାଙ୍କୁ ସମ୍ମାନିତ କରାଯାଇଥିଲା ଗଣମାଧ୍ୟମ କ୍ଷେତ୍ରରେ ଅବଦାନ ପାଇଁ ‘ସମ୍ବାଦ’ ଗ୍ରୁପ୍‌ର ନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକଙ୍କୁ ଜାଗ୍ରତ ପ୍ରହରୀ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ବରଗଡ଼ ଧନୁଯାତ୍ରାର ଅଭିନେତା ହୃଷିକେଶ ଭୋଇ, ଶିଶୁ କଳାକାର ଅନିମେଶ ଘୋଷ, ବ୍ୟଙ୍ଗକବି ସତ୍ୟାନାଶ, ଚିତ୍ରଶିଳ୍ପୀ କେଶୁ ଦାସ ଓ ଜୟଦୁର୍ଗା ପାଇକ ସଂଘ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାଇକ ଆଖଡ଼ା ଓ ଡାଲଖାଇ ନୃତ୍ୟ ଦର୍ଶକଙ୍କ ମନୋରଞ୍ଜନ କରିଥିଲା। ଜନନୀ ଫାଉଣ୍ଡେସନ୍‌ର ନିର୍ଦେଶିକା ମୋନାଲିସା ରଥ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସମ୍ପାଦକ ସଞ୍ଜୟ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର