ବାଣୀବିହାରରେ ହେବ ଜାପାନୀ ଭାଷା ଅଧ୍ୟୟନ କେନ୍ଦ୍ର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ‘ଜାପାନୀ ଭାଷା ଅଧ୍ୟୟନ କେନ୍ଦ୍ର’। ଏହି କେନ୍ଦ୍ର ପ୍ରତିଷ୍ଠା ଲାଗି ଜାପାନ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଏସ୍‌.ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସମ୍ମତି ପ୍ରକାଶ କରିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ଏଦିଗରେ ପଦକ୍ଷେପ ନିଆଯାଇ ଆସନ୍ତା ଶିକ୍ଷାବର୍ଷରେ ଜାପାନ ଭାଷାରେ ଡିଗ୍ରି ଓ ଡିପ୍ଲୋମା ପାଠ୍ୟକ୍ରମ ପ୍ରଚଳନ କରାଯିବ। ପୂର୍ବାଞ୍ଚଳରେ ଏହା ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ଜାପାନ ରାଷ୍ଟ୍ରଦୂତ କେନ୍‌ଜି ହୀରାମାସ୍ତୁ ପ୍ରକାଶ କରିଛନ୍ତି। ସେହିପରି ଶିକ୍ଷା ବିନିମୟ କାର୍ଯ୍ୟକ୍ରମ ପାଇଁ ଉତ୍କଳ ସହ ଜାପାନର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ରାଜିନାମା କରାଯିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ମାନବ ବିଜ୍ଞାନ ବିଭାଗରେ ଜାପାନୀ ଭାଷା ପାଇଲଟ୍‌ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ ହେଉଛି। ପ୍ରକଳ୍ପ ଅଧୀନରେ ଗତବର୍ଷ ୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବର୍ତମାନ ୨ ଜଣ ଅଧ୍ୟାପକ ଓ ୧୩ ଜଣ ଛାତ୍ରଛାତ୍ରୀ ଜାପାନୀ ଭାଷା ଶିକ୍ଷା ଗ୍ରହଣ କରୁଛନ୍ତି। ଜାପାନ୍‌ ରାଷ୍ଟ୍ରଦୂତ କେନ୍‌ଜି ହୀରାମାସ୍ତୁ, ତାଙ୍କ ପତ୍ନୀ ପାଟ୍ରିସିଆ ହୀରାମାସ୍ତୁ, କଲିକାତାର କନ୍‌ସଲ୍‌ ଜେନେରାଲ୍‌ ମାସାୟୁକି ଟାଗା ଓ କାଉନ୍‌ସେଲର୍‌ ୟସୁଜିରୋ ମିୟାକେ ଆଜି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସମୀକ୍ଷା କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲେଚନା କରିଥିଲେ।

କାର୍ଯ୍ୟକ୍ରମରେ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ, ଆଇକ୍ୟୁଏସି ନିର୍ଦେଶକ ପ୍ରଫେସର କିଶୋର ବାସା, ଗବେଷଣା ଓ ଉନ୍ନୟନ ନିର୍ଦେଶକ ସ୍ୱପ୍ନା ମହାପାତ୍ର, ବିତ୍ତ ନିୟନ୍ତ୍ରକ ବିଦ୍ୟାଧର ନାୟକ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଜାପାନ ଭାଷା ପ୍ରଫେସର ନବୀନ କୁମାର ପଣ୍ଡା, ସତ୍ୟନାରାୟଣ ପାଲ୍‌, ପ୍ରଫେସର ଉପାଲି ଅପରାଜିତା, ସବିତା ଆଚାର୍ଯ୍ୟ, ପ୍ରାଧ୍ୟାପକ କାହ୍ନଚରଣ ଶତପଥୀ, ଅଧ୍ୟାପିକା ପ୍ରିୟଙ୍କା ଖୁରାନା ପ୍ରମୁଖ ଉପସ୍ଥିତ ଥିଲେ। ଭାରପ୍ରାପ୍ତ କ୍ୟୁରେଟର ସୁବୋଧ କୁମାର ମହାନ୍ତି ମାନବ ବିଜ୍ଞାନ ସାଂସ୍କୃତିକ ସଂଗ୍ରହାଳୟ ଉପରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର