୨ଲକ୍ଷ ଶିଶୁଙ୍କୁ ଦିଆଯିବ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକା

୨୭ରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ହେବ ଟିକାଦାନ

ଭୁବନେଶ୍ୱର : ଦେଶରେ ଆତଙ୍କ ସୃଷ୍ଟି କରିଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ (ଜେଇ) ଯେପରି ରାଜଧାନୀରେ ନ ବ୍ୟାପିବ ସେଥିପାଇଁ ବିଏମ୍‌ସି ପକ୍ଷରୁ ଟିକାଦାନ କାର୍ଯ୍ୟକ୍ରମ ବ୍ୟାପକ କରାଯାଇଛି। ଜେଇ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିସନ ପକ୍ଷରୁ ବିଏମ୍‌ସି ଅଞ୍ଚଳରେ ଆସନ୍ତା ୨୭ତାରିଖରୁ ୩ସପ୍ତାହ ପର୍ଯ୍ୟନ୍ତ ବ୍ୟାପକ ଟିକାଦାନ କାର୍ଯ୍ୟକ୍ରମ ହେବ। ଏଥିରେ ବର୍ଷକରୁ ୧୫ବର୍ଷର ପିଲାଙ୍କୁ ଟିକା ଦିଆଯିବ। ରାଜଧାନୀର ୨ଲକ୍ଷ ୨୪ହଜାର ୨୬୪ଜଣ ଶିଶୁଙ୍କୁ ଏହି ଟିକାଦାନ ଅଭିଯାନରେ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଏଥିପାଇଁ ରାଜଧାନୀର ସମସ୍ତ ସ୍କୁଲ ଯେପରିକି ଶିଶୁ ମନ୍ଦିର, ପ୍ଲେ ସ୍କୁଲ, ମଦ୍ରାସା, ଅନାଥାଶ୍ରମରେ ରହୁଥିବା ଶିଶୁ, ସରକାରୀ ସ୍କୁଲ ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ଶିଶୁଙ୍କୁ ଟିକା ଦିଆଯିବ। ଏହି ଅଭିଯାନରେ ଅଙ୍ଗନଓ୍ଵାଡି, ଆଶା କର୍ମୀ, ଏଏନ୍‌ଏମ୍‌ ଏବଂ ଅନ୍ୟାନ୍ୟ କର୍ମକର୍ତାମାନେ ସାମିଲ୍‌ ହେବେ।

ଏହି ଅଭିଯାନକୁ ସଫଳ କରିବା ପାଇଁ ଆଜି ବିଏମ୍‌ସି ସମ୍ମିଳନୀ କକ୍ଷରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ମନୋଜ ମହାନ୍ତି, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ସିଡିପିଓ, ଜନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଏମ୍‌ସିର ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ ନଗର ସ୍ୱାସ୍ଥ୍ୟ ମିସନର ଅଧିକାରୀମାନେ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ଅଭିଯାନ କାର୍ଯ୍ୟକାରୀ ହୋଇପାରିବ ସେନେଇ ଏଥିରେ ଆଲୋଚନା ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲ ସହ ଯୋଗାଯୋଗ କରି ଏଥିରେ ସହଯୋଗ କରିବାକୁ କୁହାଯିବ। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଏଥିରେ ସକ୍ରିୟ ସହଯୋଗ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଟିକାଦାନ ଦେଶର ବିଭିନ୍ନ ରାଜ୍ୟରେ ପୂର୍ବରୁ ପ୍ରଦାନ କରାଯାଇଛି ଯାହାକି ସଫଳ ଭାବରେ କାମ ଦେଉଛି ବୋଲି ଇମ୍ୟୁନାଇଜେସନ୍‌ ବିଭାଗର ପୂର୍ବତନ ଉପ ନିର୍ଦ୍ଦେଶକ ଆର୍‌ କେ ରାଉତ କହିଛନ୍ତି। ଏହା ଆଗାମୀ ପିଢ଼ିର ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ ବୋଲି ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରବୀନ୍ଦ୍ର କୁମାର ଜେନା କହିଛନ୍ତି।

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ କେମିତି ଜାଣିବେ?

ଏହା ଏକ ଭୂତାଣୁ ଜନିତ ରୋଗ ଯାହାକି ଜେଇ ଭାଇରସ୍‌ ନାମକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଏଥିରେ ବାନ୍ତି ହେବା, ମୁଣ୍ଡବିନ୍ଧିବା, ଜ୍ୱର ଏବଂ ନିଷ୍କ୍ରିୟତା ପ୍ରଭୃତି ଲକ୍ଷଣ ଦେଖାଯାଏ। ସଂକ୍ରମିତ ହେବାର ୫ରୁ ୧୫ଦିନ ମଧ୍ୟରେ ଏହାର ଲକ୍ଷଣ ଜଣାପଡ଼େ। ଟିକାଦାନ ଦ୍ୱାରା ଏହି ରୋଗର ସଂପୂର୍ଣ୍ଣ ନିରାକରଣ ସମ୍ଭବ ହୋଇଥିବା ଯୋଗୁ ଏହିଭଳି ଅଭିଯାନ ଆରମ୍ଭ ହୋଇଛି। ମଶା କାମୁଡ଼ାରୁ ନିଜକୁ ରକ୍ଷା କରିବା ମଧ୍ୟ ଅନ୍ୟ ଏକ ଉପାୟ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ରୋଗର ଲକ୍ଷଣ ପ୍ରକାଶ ପାଇଲେ ଆତଙ୍କିତ ହେବା ବଦଳରେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର