ଜଟଣୀ ଫ୍ଲାଏଓଭର୍‌ ପାଇଁ ହେବ ସାନି ଟେଣ୍ଡର

ନିର୍ମାଣରୁ ହଟିଲା ପଣ୍ଡା ଇନଫ୍ରା

ଜଟଣୀ: ଜଟଣୀ ଫ୍ଲାଏଓଭର୍‌ ନିର୍ମାଣ କାର୍ଯ୍ୟରୁ ପଣ୍ଡା ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌କୁ ହଟାଇ ଦିଆଯାଇଛି। ଏହି ଫ୍ଲାଏଓଭର୍‌ ନିର୍ମାଣ ପାଇଁ ସାନି ଟେଣ୍ଡର କରିବାକୁ ପୂର୍ତ୍ତ ବିଭାଗ ନିଷ୍ପତ୍ତି ନେଇଛି। ପଣ୍ଡା ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌କୁ କାର୍ଯ୍ୟ ବନ୍ଦ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ଗତ ୨୬ତାରିଖରୁ ସୀତାରାମ ଛକଠାରେ ଚାଲିଥିବା କାର୍ଯ୍ୟ ବନ୍ଦ କରି ସଂସ୍ଥା କର୍ତ୍ତୃପକ୍ଷ ସମସ୍ତ ନିର୍ମାଣ ସାମଗ୍ରୀ ଉଠାଇ ନେଇଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏବେ ଏହି ଫ୍ଲାଏଓଭର୍‌ର ପ୍ରାୟ ୪୦ରୁ ୫୦କୋଟି ଟଙ୍କାର କାର୍ଯ୍ୟ ବାକି ଥିବାବେଳେ ସଂସ୍ଥା ମନ୍ଥର ଗତିରେ କାମ କରୁଛି। ବ୍ରିଜ୍‌ ନିର୍ମାଣରେ ଲାଗୁଥିବା ସାମଗ୍ରୀର ମାନ ଠିକ୍‌ ନଥିଲା, ନିର୍ମାଣ ସମୟରେ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ପଣ୍ଡା ଇନ୍‌ଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ର ଚୁକ୍ତି ବାତିଲ୍‌ କରାଯାଇଛି।

ସୂଚନାଯୋଗ୍ୟ ଯେ, ନିର୍ମାଣାଧୀନ ଫ୍ଲାଏଓଭର୍‌ର କୁଦିଆରୀ ବଜାର ପାର୍ଶ୍ୱରେ ୫ଟି ପିଲାର୍‌ ପାଇଁ ୪୫ଟି ପାଇଲିନ୍‌ ତିଆରିରେ ଅନିମିୟତତା ନେଇ ଅଭିଯୋଗ ଆସିଥିଲା। ଏନେଇ ଜୋରଦାର୍‌ ଆନ୍ଦୋଳନ ହୋଇଥିଲା। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଏହାର ତଦନ୍ତ ଭାର ଗତବର୍ଷ ଏନ୍‌ଆଇଟି ରାଉରକେଲାକୁ ଦିଆଯାଇଥିଲା। ତିନି ମାସରେ ତଦନ୍ତ ରିପୋର୍ଟ ଦେବାକୁ ଏନ୍‌ଆଇଟିକୁ କୁହାଯାଇଥିଲେ ହେଁ ତଦନ୍ତକାରୀ ଦଳ ଏପର୍ଯ୍ୟନ୍ତ ରିପୋର୍ଟ ଦେଇନାହିଁ। ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ବି ତନାଘନା କରାଯାଉନି। ଅପରପକ୍ଷେ ଫ୍ଲାଏଓଭର ନିର୍ମାଣରେ ବାଧକ ସାଜିଥିବା ଜବରଦଖଲ ହଟାଇବା ଓ ଜମି ଅଧିଗ୍ରହଣ କରିବାରେ ପ୍ରଶାସନ ଅବହେଳା କରୁଥିବାରୁ ନିର୍ମାଣ ବିଳମ୍ବ ହେଉଥିବା କୁହାଯାଇଛି। ସେହିପରି ବମିଖାଲ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାବେଳେ ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବର୍ଷା ଯୋଗୁଁ କାର୍ଯ୍ୟ ବିଳମ୍ବ ହୋଇଛି। ଆଉ ମାସକର କାମ ବାକି ଅଛି।

ସମ୍ବନ୍ଧିତ ଖବର