ଦାରିଦ୍ର୍ୟର ଚକ୍ରବ୍ୟୂହରେ ‘ଅଭିମନ୍ୟୁ’ : ଛେଳି ଚରାଇ ପେଟ ପୋଷୁଛନ୍ତି ଅଭିନେତା ଗିରିଧାରୀ ପରିଡ଼ା

ସାର୍ଟିଫିକେଟ ନାହିଁ ବୋଲି ମିଳୁନି କଳାକାର ଭତ୍ତା

ଭୁବନେଶ୍ବର, (ସତ୍ୟନାରାୟଣ ରାଉତରାୟ): ଦିନେ ତାଙ୍କ ତୁଣ୍ଡରୁ ସଂଳାପ ଝରିଲେ, ଦର୍ଶକଙ୍କ ହାତରୁ ତାଳି ବର୍ଷୁଥିଲା। ସେ ଥିଲେ ମଞ୍ଚ ଦୁନିଆର ଚର୍ଚ୍ଚିତ ହିରୋ। ରାହାଣିଆର ଶ୍ରୀଶ୍ରୀ ଭଗବତୀ କଳା ସଂସଦ ନାଚ ପାର୍ଟି ଯୁଆଡ଼େ ନାଟ କରିବାକୁ ଯାଉଥିଲା, ସେଠି ଲୋକଙ୍କ ପ୍ରଥମ ଡିମାଣ୍ଡ ଥିଲା ‘ମହାସମର’। ଆଉ ଯେଉଁ ଅଭିମନ୍ୟୁ ଚରିତ୍ର ପାଇଁ ଏଇ ମହାସମର ନାଟକ ସଫଳତାର ଶୀର୍ଷ ଛୁଇଁଥିଲା, ସେଇ ଅଭିମନ୍ୟୁ ଥିଲେ ଗିରିଧାରୀ ପରିଡ଼ା। ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ୬୦ ଦଶକରେ ଯେଉଁଠି ସମ୍ପୂର୍ଣ୍ଣ ନାଟକ ପରିବେଷଣ ପାଇଁ ଯାତ୍ରା ଦଳକୁ ମୋଟ ୩ଶହ ଟଙ୍କା ମିଳୁଥିଲା, ସେଠି ଅଭିମନ୍ୟୁ ଚରିତ୍ରରେ ଅଭିନୟ କରୁଥିବା ଗିରିଧାରୀଙ୍କୁ‌ କେବଳ ଦର୍ଶକଙ୍କଠାରୁ ପୁରସ୍କାର ସ୍ବରୂପ ମିଳୁଥିଲା ଅଢ଼େଇଶ ଟଙ୍କା। ନାଟକ ସରିବା ମାତ୍ରେ ଦର୍ଶକମାନେ ନିଜ ଘରକୁ ଗିରିଧାରୀଙ୍କୁ ଡାକି ନେଇ ଆତିଥ୍ୟ ଦେବାକୁ ପ୍ରତିଯୋଗିତା କରୁଥିଲେ। ମାତ୍ର ୧୩ଟି ନାଚ ପାର୍ଟିରେ ଅଭିନୟର ମୋହିନୀ ମନ୍ତ୍ରରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଏଇ ଅଭିନେତା ଏବେ ଜଣେ ଅଲୋଡ଼ା ମଣିଷ। ରଙ୍ଗମଞ୍ଚରେ କେବେ କେମିତି ଦୁଃଖୀ ବାପା ଭୂମିକାର ଅଭିନୟ କରି ଶହ ଶହ ଦର୍ଶକଙ୍କ ଆଖିରେ ଲୁହ ଆଣି ଦେଉଥିବା ଗିରିଧାରୀ ଏବେ ନିଜେ ଗୁମୁରି କାନ୍ଦୁଛନ୍ତି। ପେଟ ଚାଖଣ୍ଡକ ପାଇଁ ୮୨ବର୍ଷ ବୟସରେ ଛେଳି ଚରାଉଛନ୍ତି। ନା ମୁଖ୍ୟମନ୍ତ୍ରୀଙ୍କ କଳାକାର ଭତ୍ତା ମିଳୁଛି, ନା ପୁରୁଣା ଘର ଖଣ୍ଡିକ ଛପର କରିପାରୁଛନ୍ତି।

ଗିରିଧାରୀଙ୍କ ଘର କଟକର ମାହାଙ୍ଗାସ୍ଥିତ ବାଗସରପୁର। ଗାଁରେ ନାଚ ପାର୍ଟି ପଡ଼ିଲେ, ପିଲାଦିନେ ଗିରିଧାରୀ ସଂଜ ବୁଡ଼ିବା ଆଗରୁ ଯାଇ ମଞ୍ଚ ପାଖରେ ଅଖା ପାରି ଜଗି ରହୁଥିଲେ। ନାଟକ ଦେଖିବାର ମୋହ ତାଙ୍କୁ ଏତେ ଆଚ୍ଛନ୍ନ କରୁଥିଲା ଯେ ଭୋକ ଶୋଷ ଭୁଲି ଯାଉଥିଲେ। ନାଟକ ସରିଲେ ସମସ୍ତେ ସିନା ଘରକୁ ଫେରୁଥିଲେ, ଗିରିଧାରୀ କିନ୍ତୁ ମଞ୍ଚ ପଛରେ ମେକ୍‌-ଅପ ଛଡ଼ାଉଥିବା ଅଭିନେତାମାନଙ୍କୁ ନିରେଖି ଦେଖୁଥିଲେ। ଏଇ ଅଜବ ପାଗଳାମୀ ଗିରିଧାରୀଙ୍କୁ ୧୪ବର୍ଷ ବୟସରେ ନାଟ କରିବାକୁ ଟାଣିନେଲା। ଭଗବତୀ ନାଟ୍ୟ ସଂସଦର ରୂପ ସାହୁଙ୍କଠାରୁ ସେ ଛାଟ ଖାଇ ଅଭିନୟ ଶିଖିଲେ। ସବୁ ବହିରେ ସେ ପାଲଟି ଗଲେ ମୁଖ୍ୟ ନାୟକ। ‘ରୂପ ସାଧନା’ରେ ନିର୍ବାଣ ଚରିତ୍ର ହେଉ ଅବା ‘ମହାସମର’ରେ ଅଭିମନ୍ୟୁ; ସବୁଥିରେ ତାଙ୍କ ଅଭିନୟ ଚାତୁରୀ ଦର୍ଶକଙ୍କୁ ବାନ୍ଧି ରଖୁଥିଲା। ଜୟଚନ୍ଦ୍ର, ଭାଗ୍ୟଚକ୍ର, ପୃଥ୍ବୀରାଜ, ଦେବକୁମାର ଭଳି ୬୦ରୁ ଅଧିକ ନାଟକରେ ସେ ଅଭିନୟ କରିଛନ୍ତି।ଏମିତି ବେଳ ଆସିଥିଲା, ଯେତେବେଳେ ‌ସେହି ମାହାଙ୍ଗା ବ୍ଲକ୍‌ ମାଣିତ୍ରୀର ଏକ ଯାତ୍ରାଦଳର ଖଳନାୟକ କୋଲକାତା ଚାଲି ଯାଇଥିବାରୁ ଗିରିଧାରୀଙ୍କୁ ଖଳନାୟକ ଭୂମିକାରେ ଅଭିନୟ କରିବାକୁ ପଡ଼ିଥିଲା। ତେବେ ଖଳନାୟକ ଚରିତ୍ରରେ ବି ସେ ଦର୍ଶକଙ୍କ ମନ ଜିଣି ଅର୍ଥରାଶି ପୁରସ୍କାର ପାଇଲେ। କୌଣସି ଖଳନାୟକ ଚରିତ୍ରରେ ଯେ ଲୋକଙ୍କୁ ବିଭୋର୍‌ କରିହୁଏ, ତାହା ପ୍ରମାଣିତ କରି ସେ ନିଆାରା ଉଦାହରଣ ସୃଷ୍ଟି କଲେ।

ସେ ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ମାତ୍ର କେବେ ବି କୌଣସି ସଂଳାପ ମୁଖସ୍ଥ କରିବାରେ କାହାଠୁ ପଛୁଆ ନଥିଲେ। ଭୋର୍‌ ୪ଟାରୁ ଉଠି ସଂଳାପ ମୁଖସ୍ଥ କରି ଦେଉଥିଲେ। ୧୯୪୫ ମସିହାରୁ ନାଟକରେ ପାଦ ଥାପିଥିବା ଗିରିଧାରୀ ୫୨ବର୍ଷ ବୟସ ବେଳକୁ ନାଚ ପାର୍ଟି ଛାଡ଼ିଦେଲେ। ଦୁର୍ଭାଗ୍ୟ ଯେ ଅଭିନୟରୁ ଯାହା ମୋଟା ଅଙ୍କର ଅର୍ଥରାଶି ପୁରସ୍କାର ମିଳୁଥିଲା, ତାହା ବି ଯାତ୍ରା ପାର୍ଟିର ଅନ୍ୟ ସହ-କଳାକାରମାନେ ମିଶି ଖର୍ଚ କରିଦେଉଥିଲେ। ୧୮ ରାତି ନାଟକ କଲେ ତାଙ୍କୁ ମିଳୁଥିଲା ମାତ୍ର ୧୮ ଟଙ୍କା। ଏଇ ସମୟରେ ବି ସେ ପାଇଥିଲେ ୧୭ଭରି ଓଜନର କେତେକ ରୁପା ମେଡାଲ। ତତ୍କାଳୀନ ଢେଙ୍କାନାଳ ରାଜା ମଧ୍ୟ ଗିରିଧାରୀଙ୍କ ଅଭିନୟରେ ଖୁସି ହେଇ ତାଙ୍କୁ ଦିନେ କିଛିଦିନ ପାଇଁ ନିଜ ରାଜଉଆସରେ ଆତିଥ୍ୟ ଦେଇଥିଲେ। ଦିନେ ଏମିତି ବି ସମୟ ଆସିଥିଲା, ଯେବେ ଈର୍ଷାରେ ଜଣେ ତାଙ୍କ ପାନରେ ଦାନାଦାର ମିଶେଇ ଦେଇଥିଲା। କେବଳ ସେତିକି ନୁହେଁ, ଆଉ ଜଣେ ସହ କଳାକାର ତାଙ୍କୁ ରୁଦ୍ରପୁରସ୍ଥିତ ଗୋଠିଣାରେ ଏକ ପାହାଡ଼ ଉପରକୁ ନେଇ ତଳକୁ ପେଲି ଦେଇଥିଲା। ସୌଭାଗ୍ୟବଶତଃ ବଞ୍ଚିଗଲେ ସିନା, କିନ୍ତୁ ସେବେଠୁ‌ ସେ ନାଚ ପାର୍ଟି ଛାଡ଼ିଦେଲେ।

ସାର୍ଟିଫିକେଟ ନାହିଁ ବୋଲି ମିଳୁନି କଳାକାର ଭତ୍ତା
ମାତ୍ର ଯେବେଠୁ ସେ ମୁହଁରୁ ରଙ୍ଗ ପୋଛି‌‌ଦେଲେ, ସେବେଠୁ ତାଙ୍କ ଜୀବନ ମୋଡ଼ ବଦଳିଗଲା। ଗିରିଧାରୀଙ୍କ ବଡ଼ପୁଅ ହରିୟାଣା ଯାଇ ସେଠି କାମଧନ୍ଦା କରି ନିଜ ପରିବାର ନେଇ ରହିଲା। ଅଷ୍ଟମ ‌‌ଶ୍ରେଣୀ ଯାଏ ପଢ଼ିଥିବା ସାନପୁଅ ଯାହା ଅଳ୍ପକିଛି ରୋଜଗାର କରୁଛି, ତାହା ବି ତାଙ୍କ ସ୍ତ୍ରୀ ପିଲାଛୁଆଙ୍କୁ ନିଅଣ୍ଟ। ସେଥିରେ ଗିରିଧାରୀଙ୍କ ଉପରେ ରୋଗିଣା ସ୍ତ୍ରୀର ଭାର। ତେଣୁ ପରିଣତ ବୟସରେ ବି ଗାଈ ଓ ଛେଳି ଚରାଇ ସେଥିରୁ ଯେତିକି ଆୟ ହେଉଛି, ସେଇଥିରେ ଗୁଜୁରାଣ ମେଣ୍ଟାଉଛନ୍ତି। ଗିରିଧାରୀଙ୍କର ସବୁଠୁ ବଡ଼ ଦୁଃଖ ହେଉଛି, ସମଗ୍ର ରାଜ୍ୟରେ ୧୩ଟି ଯାତ୍ରା ପାର୍ଟିରେ ଅଭିନୟ କରିଥିଲେ ବି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଳାକାର ଭତ୍ତା ମିଳିପାରୁ ନାହିଁ। ଦୋଷ ହେଉଛି ଯେ ଘଟଣାଚକ୍ରରେ ତାଙ୍କର ସେଇ ରୁପା ମେଡାଲ ବିକ୍ରି ହେଇଯାଇଛି। ସାର୍ଟିଫି‌କେଟ୍‌ ବି ନାହିଁ। ତେଣୁ କଳାକାର ଭତ୍ତା ପାଇଁ ବାରମ୍ବାର ନେହୁରା ହେଇ ମଧ୍ୟ ସେ ହାରିଯାଇଛନ୍ତି। ଗିରିଧାରୀ କୁହନ୍ତି, ଏବେ ତ ଯାତ୍ରା ପେଣ୍ଡାଲରେ ବନ୍ଧୁକ ଦେଖେଇ ଦେଲେ ଚଳି ଯାଉଛି, କିନ୍ତୁ ସେତେ‌ବେଳେ ମୋ ଉପରେ ଅନେକ ଚାବୁକ ପ୍ରହାର ବସିଛି। ଯେବେ ମଞ୍ଚରୁ ଆସି ସେଇ ପ୍ରହାର ଉପରେ ହାତ ବୁଲାଇ ଆଣେ, ଅସହ୍ୟ ଯନ୍ତ୍ରଣା ହୁଏ। ସେଦିନ ଅଭିନୟର ମାୟାରେ ସେସବୁ ଭୁଲି ହେଇଯାଉଥିଲା, କିନ୍ତୁ ଆଜି ଭତ୍ତାଟିଏ ପାଇଁ ହୀନିମାନ ହେବାର ଯନ୍ତ୍ରଣା ବହୁତ କଷ୍ଟ ଦେଉଛି।

ସମ୍ବନ୍ଧିତ ଖବର