ଝରଣା ସାହିକୁ ଫେରିଲା ଜଣ୍ଡିସ୍: ସ୍ବାସ୍ଥ୍ୟ ସୁପରଭାଇଜରଙ୍କ ତନାଘନା

ଆକ୍ରାନ୍ତଙ୍କ ରକ୍ତ ପରୀକ୍ଷା ପାଇଁ ପୁଣିଥରେ ନିର୍ଦେଶ

ଭୁବନେଶ୍ବର: ଝରଣା ସାହିରେ ପୁଣିଥରେ ଜଣ୍ଡିସ୍‌ ଦେଖାଦେଇଛି। ସାହିର ଜଣେ ଯୁବତୀଙ୍କୁ ଜଣ୍ଡିସ୍ ହୋଇଥିବା ବେଳେ ଆହୁରି କିଛି ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଏହା ହେଉଛି ଚଳିତବର୍ଷର ପ୍ରଥମ ଜଣ୍ଡିସ୍ ଘଟଣା। ତେବେ ଏହା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ସହ କେଉଁ ପରିସ୍ଥିତିରେ ପୁଣିଥରେ ସେଠାରେ ଜଣ୍ଡିସ୍ତ ଦେଖାଦେଲା, ତାହାର ଖୋଳତାଡ଼ ଆରମ୍ଭ ହୋଇଛି।

ସୂଚନା ମୁତାବକ, ଝରଣା ସାହିର ଜଣେ ଯୁବତୀ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ରକ୍ତ ପରୀକ୍ଷା ପରେ ତାଙ୍କୁ ହେପାଟାଇଟିସ୍ ବା ଜଣ୍ଡିସ୍ ହୋଇଥିବା ସ୍ପଷ୍ଟ ହୋଇଥିଲା। ତେବେ ଏହା ବିଷାକ୍ତ ପାଣି କି ଦୂଷିତ ଖାଦ୍ୟ ଯୋଗୁଁ ହୋଇଛି, ତାହା ସ୍ପଷ୍ଟ ହୋଇପାରି ନାହିଁ। ଆଜି ସ୍ବାସ୍ଥ୍ୟ ସୁପରଭାଇଜର ଝରଣା ସାହିକୁ ଯାଇ ଏହାର ଅନୁଧ୍ୟାନ କରିଥିଲେ। ସଂପୃକ୍ତ ଯୁବତୀଙ୍କ ପରିବାରକୁ କ୍ୟାପିଟାଲ ହସ୍ପିଟାଲରେ ପୁନର୍ବାର ରକ୍ତ ପରୀକ୍ଷା କରିବା ପାଇଁ କୁହାଯାଇଛି। ଏହାସହ ସ୍ଥାନୀୟ ଅଞ୍ଚଳରେ କ୍ଲୋରିନେସନ୍ ଓ ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସୂଚନା ଅନୁସାରେ, ଜଣ୍ଡିସ୍‌ରେ ଆକ୍ରାନ୍ତ ଯୁବତୀ ଗତବର୍ଷ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିଲେ। ତେଣୁ ତାଙ୍କ ଶରୀରରେ ହେପାଟାଇଟିସ୍ ଭୂତାଣୁ କେଉଁଠୁ ଆସିଲା, ତାହା ପରୀକ୍ଷା ପରେ ହିଁ ସ୍ପଷ୍ଟ ହୋଇପାରିବ। ଆକ୍ରାନ୍ତ ଯୁବତୀଙ୍କ ପରିବାରଲୋକ ଚେରମୂଳି ଉପରେ ନିର୍ଭର କରୁଥିବା ନଜରକୁ ଆସିଛି। ତେଣୁ କ୍ୟାପିଟାଲ ହସ୍ପିଟାଲକୁ ଆସି ଚିକିତ୍ସା କରିବା ପାଇଁ ଯୁବତୀଙ୍କ ପରିବାରଲୋକଙ୍କୁ କୁହାଯାଇଛି। ସ୍ଥାନୀୟ ଅଞ୍ଚଳରେ ଲୋକମାନେ ବ୍ୟବହାର କରୁଥିବା ପାଣିର କ୍ଲୋରିନେସନ୍ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଯେପରି ଜଣ୍ଡିସ୍‌ ଅଧିକ ନ ବ୍ୟାପେ, ସେଥିପାଇଁ ନିୟମିତ ରିପୋର୍ଟିଂ କରିବାକୁ ନିର୍ଦେଶ ଦିଆଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ କହିବା କଥା, ଝରଣା ସାହିରେ ୭/୮ଟି କୂଅ ରହିଥିବା ବେଳେ ‌ମାତ୍ର ୨/୩ଟି କୂଅ ପାଣି ପିଇବା ଉପଯୋଗୀ। ଏହାସହ ସାହିକୁ ପାଇପ୍ ପାଣି ମଧ୍ୟ ସଂଯୋଗ ହୋଇଛି। ପାଇପ୍ ସଂଯୋଗ ହୋଇଥିବା ଟାଙ୍କିରୁ ଅଧିକାଂଶ ଅଚଳ। ଯେଉଁ ଟାଙ୍କିରୁ ଲୋକମାନେ ପାଣି ବ୍ୟବହାର କରୁଛନ୍ତି ତାହା ମଧ୍ୟ ବର୍ଷକୁ ଥରେ ସଫା ହେଉଛି। କିଛି ସ୍ଥାନରେ ପାଇପ୍ ମଧ୍ୟ ପରିତ୍ୟକ୍ତ ସ୍ଥାନ ଦେଇ ଆସିଛି। ତେଣୁ ପାଇପ୍ ପାଣି ଯୋଗୁଁ ଜଣ୍ଡିସ୍ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକମାନ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ କିଛି ବର୍ଷ ଧରି ଝରଣା ସାହିରେ ଜଣ୍ଡିସ୍ ଏକ ସାଧାରଣ ରୋଗ ପାଲଟିଛି। ପ୍ରତିବର୍ଷ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଏହାର ଶିକାର ହେଉଛନ୍ତି। ଜଣ୍ଡିସ୍ ବ୍ୟାପିବା ପରେ ହିଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ସତ୍ତ୍ବେ ଝରଣା ସାହିରେ ପ୍ରତିବର୍ଷ ଜଣ୍ଡିସ୍ ସାମ୍ନାକୁ ଆସୁଛି। ଅପରପକ୍ଷରେ ସ୍ଥାନୀୟ ଲୋକମାନେ ଡାକ୍ତରଙ୍କ ବଦଳରେ ଚେରମୂଳି ଉପରେ ଏଥିପାଇଁ ନିର୍ଭର କରୁଥିବା ବିଭାଗୀୟ ଅଧିକାରୀଙ୍କ ପାଇଁ ସମସ୍ୟା ପାଲଟିଛି।

ସମ୍ବନ୍ଧିତ ଖବର