ମାଳି କଲୋନିରେ ଜଣ୍ଡିସ୍‌ ଆତଙ୍କ : ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଲା

ଭୁବନେଶ୍ୱର : ୟୁନିଟ୍‌-୩ ଅଞ୍ଚଳରେ ଥିବା ମାଳି କଲୋନିରେ ଜଣ୍ଡିସ୍‌ ବ୍ୟାପିବା ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଚେଇଁ ଉଠିଛି। ପ୍ରତ୍ୟେକ ଦିନ ସ୍ଥାନୀୟ ବସ୍ତିରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ତେବେ ଜଣ୍ଡିସ୍‌ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗକୁ କ୍ଲିନ୍‌ ଚିଟ୍‌ ଦେବା ପରେ ଏବେ ବିଏମ୍‌ସିର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚିନ୍ତା ପଶିଛି। ଆଜିଠାରୁ ସ୍ଥାନୀୟ ଅଞ୍ଚଳରେ ହୋଟେଲ ଓ ଅନ୍ୟାନ୍ୟ ଖାଦ୍ୟ ବ୍ୟବସାୟୀଙ୍କ ଖାଦ୍ୟର ଯାଞ୍ଚ କରାଯାଇଛି। ଆସନ୍ତା କିଛିଦିନ ପର୍ଯ୍ୟନ୍ତ ସେଠାରେ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ଖାଦ୍ୟ ସୁରକ୍ଷା ପକ୍ଷରୁ କୁହାଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଆଜି ଆଉ ଜଣେ ଆକ୍ରାନ୍ତଙ୍କୁ ସ୍ଥାନୀୟ ବସ୍ତିରେ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବାରୁ ସଚେତନତା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥାନୀୟ ସତ୍ୟସାଇ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହାତଧୁଆ ସଚେତନତା ସହିତ ପରିଷ୍କାର ପରିଚ୍ଛନ ରହିବା ପାଇଁ ଶିକ୍ଷା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ଜଣ୍ଡିସ୍‌ ଘଟଣା ନଜରକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳର ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଏଥିରେ ହେପାଟାଇଟିସ୍‌-ଏ ଥିବା ଜଣାପଡ଼ିଥିଲା। ପରବର୍ତୀ ସମୟରେ ରକ୍ତ ନମୁନା ମଧ୍ୟ ଆରଏମ୍‌ଆରସିକୁ ପଠାଯାଇଥିଲା। ତହିଁରେ ମଧ୍ୟ ହେପାଟାଇଟିସ-ଏ ଥିବା ସ୍ପଷ୍ଟ ହୋଇଛି। ତେଣୁ ସଂକ୍ରମିତ ଖାଦ୍ୟ ଯୋଗୁଁ ଜଣ୍ଡିସ୍‌ ବ୍ୟାପିଥିବା ଆଶଙ୍କା କରାଯାଉଛି। ଏହାସହ ଯେଉଁ ପିଲାମାନଙ୍କୁ ଜଣ୍ଡିସ୍‌ ହୋଇଛି ସେମାନଙ୍କୁ କାଉନ୍‌ସେଲିଂ କରାଯିବା ପରେ ସେମାନେ ପୂଜା ଛୁଟି ସମୟରେ ଏକାଧିକ ସ୍ଥାନରୁ ବାହାର ଖାଦ୍ୟ ଖାଇଥିବା କହିଥିଲେ। ଏସବୁ ସତ୍ୱେ ପାଣି ବିଶୋଧନ ପାଇଁ କ୍ଲୋରିନେସନ୍‌ କରାଯାଉଛି। ପ୍ରତ୍ୟେକ ଦିନ ସ୍ୱାସ୍ଥ୍ୟ ଅଧିକାରୀ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିବା ସହିତ ଆଇଇସି କାର୍ଯ୍ୟକ୍ରମ କରାଯାଉଛି।

ଫୁଡ୍‌ ଇନ୍‌ସପେକ୍ଟର ସତ୍ୟଜିତ ପଟେଲ କହିଛନ୍ତି, ଜଣ୍ଡିସ୍‌ ଘଟଣା ସାମ୍ନାକୁ ଆସିବା ପରେ ଆଜି ସ୍ଥାନୀୟ ଅଞ୍ଚଳରେ ଥିବା ହୋଟେଲ ଓ ଅନ୍ୟାନ୍ୟ ଖାଦ୍ୟ ଷ୍ଟଲ୍‌ଗୁଡ଼ିକର ଯାଞ୍ଚ କରାଯାଇଥିଲା। ବିଏମ୍‌ସିର ଏକ ୩ଜଣିଆ ଟିମ୍‌ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ। ଯେଉଁ ହୋଟେଲ ଗୁଡ଼ିକରେ ବାସି ଖାଦ୍ୟ ଥିବା ସନ୍ଦେହ କରାଯାଇଥିଲା ସେମାନଙ୍କୁ ଚେତାବନୀ ଦିଆଯାଇଛି। ତେବେ ଗତ ୧ ତାରିଖରୁ ମାଳି କଲୋନିରେ ଜଣ୍ଡିସ୍‌ ବ୍ୟାପିବା ଆରମ୍ଭ କରିଥିଲା। ଜନସ୍ୱାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସଂକ୍ରମିତ ଖାଦ୍ୟ ସଂପର୍କରେ ସୂଚନା ଦିଆଯାଇଥିଲା। ଏହାସତ୍ୱେ ଦୀର୍ଘ ୧୨ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ଖାଦ୍ୟର ଯାଞ୍ଚକୁ ଗୁରୁତ୍ୱ ଦିଆଯାଇ ନ ଥିଲା।

୨ବର୍ଷରେ ୪ରୁ ଅଧିକ ସ୍ଥାନରେ ବ୍ୟାପିଛି ଜଣ୍ଡିସ୍‌
ଗତ ୨ବର୍ଷରେ ରାଜଧାନୀରେ ୪ରୁ ଅଧିକ ସ୍ଥାନରେ ଜଣ୍ଡିସ୍‌ ଦେଖା ଦେଇଛି। କେତେବେଳେ ସଂକ୍ରମିତ ପାଇପ୍‌ ପାଣି ତ ଆଉ କେତେବେଳେ ସଂକ୍ରମିତ ଖାଦ୍ୟକୁ ନେଇ ଜଣ୍ଡିସ୍‌ ସାମ୍ନାକୁ ଆସିଛି। ଗତବର୍ଷ ଝରଣାସାହିରେ ଜଣ୍ଡିସ୍‌ ଦେଖା ଦେଇଥିଲା। ଏଥିରେ ୫୦ରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିଲେ। ପରେ ପରେ ମୁଣ୍ଡାସାହିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଏଠାରେ ୨୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ। ସେହିପରି ଚଳିତବର୍ଷ ଜୁନ୍‌ ମାସରେ ପୁରୁଷୋତ୍ତମ ବସ୍ତିରେ ଜଣ୍ଡିସ୍‌ ଦେଖା ଦେଇଥିଲା। ରେଳ ଲାଇନ୍‌ କଡ଼ରେ ଥିବା ଏହି ବସ୍ତିରେ ଜଣ୍ଡିସ୍‌ ବ୍ୟାପିବା ପରେ ସ୍ୱାସ୍ଥ୍ୟ ବିଭାଗର ଚେତା ପଶିଥିଲା। ଏବେ ପୁଣିଥରେ ମାଳି କଲୋନିରେ ଜଣ୍ଡିସ୍‌ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର