ଜୟଦେବ-ଭଙ୍ଗା-ଭବନ , ସିଟ୍‌ ଫଟା, ଶୌଚାଳୟ ଗଲେ ହଟହଟା

ଭୁବନେଶ୍ବର: ନୃତ୍ୟ ହେଉ କି ସଂଗୀତ, ସଭା ସମିତି ହେଉ ଅବା ଆଲୋଚନାଚକ୍ର। କୌଣସି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସୂଚନା ଭବନ ତଥା ଜୟଦେବ ଭବନ ପ୍ରଥମ ପସନ୍ଦ। କମ୍‌ ଖର୍ଚରେ ରାଜଧାନୀରେ କେନ୍ଦ୍ରଭାଗରେ ଉପଲବ୍ଧ ହେଉଥିବାରୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିମାନଙ୍କ ମଧ୍ୟରେ ଏହାର ଖୁବ୍‌ ଚାହିଦା। ଖାସ୍‌ ଏଇଥିପାଇଁ ବର୍ଷେ ଆଗରୁ ପ୍ରେକ୍ଷାଳୟ ବୁକିଙ୍ଗ୍‌ କରିବାକୁ ପଡ଼େ। ଅଥଚ ଶହଶହ ସଂଗଠନର ଭରସାଯୋଗ୍ୟ ଏହି ପ୍ରେକ୍ଷାଳୟ ଏବେ ରୁଗ୍‌ଣ। ପ୍ରେକ୍ଷାଳୟ ଚୌକିଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଆଗପଛ ଗତିଶୀଳ ଏହି ଚୌକିଗୁଡ଼ିକ ଫାଟି ଆଁ କରିଛି। ଦେଖିଲେ ଲାଗିବ ଯେମିତି ଅନ୍ତବୁଜୁଳା ବାହାରି ପଡ଼ିଛି। ଅନେକ ଚୌକି ତା ନିଜ ଇଚ୍ଛାରେ ଆଗପଛ ହେଉଛନ୍ତି। କଁ କଁ ଶବ୍ଦ କରୁଛନ୍ତି। କିଛି ଚୌକି ଗୋଟେ ପାର୍ଶ୍ବକୁ ଢଳି ରହିଛି। ଚୌକିଗୁଡ଼ିକୁ ଘୋଡ଼ା ଯାଇଥିବା (କଭର୍‌) କପଡ଼ା ବୋଧେ ଆସିବା ପରଠୁ କେବେ ଧୋବା ତୁଠକୁ ଯାଇନାହିଁ। ଯଦି କେବେ କେହି ଭୁବନେଶ୍ବର ବାହାରୁ ଏଠାକୁ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଆସୁଥିବ, ରାଜଧାନୀର ପ୍ରେକ୍ଷାଳୟ ଯେ ତା’ ଘର ପାଖ ଟାଉନ୍‌ ହଲ୍‌ଠୁ ତଦ୍ରୂପ ତାହା ଭାବି ସେ ନିଶ୍ଚେ ମୁରୁକି ହସୁଥିବ। ଖୋଦ୍‌ ରାଜ୍ୟର ମୁଖିଆଙ୍କ ବିଭିନ୍ନ କାର୍ଯ୍ୟକ୍ରମଠୁ ନେଇ ମହାପୁରୁଷମାନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ଏଇଠି ହେଉଥିଲେ ହେଁ ସୂଚନା ଓ ଲୋକସମ୍ପର୍କ ବିଭାଗ ଏଯାଏଁ ଏହାକୁ ସଜାଡ଼ିବାକୁ ତତ୍ପରତା ପ୍ରକାଶ କରିନାହିଁ।

ଦଉଡ଼ି ଧରି ଦୁଇ ଯିବ
ପ୍ରେକ୍ଷାଳୟ ସମେତ ଛୋଟମୋଟ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ପାଇଁ ଏଠାରେ ଆଉ ଏକ ମିନି ହଲ୍‌ ରହିଛି। ତେଣୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୁଏ। ୩୭୭ ସିଟ୍‌ ବିଶିଷ୍ଟ ଏହି ପ୍ରେକ୍ଷାଳୟରେ ଶହଶହ ଦର୍ଶକ ଘଣ୍ଟାଘଣ୍ଟା ଧରି ସମୟ ବିତାଉଥିବାରୁ ପ୍ରେକ୍ଷାଳୟକୁ ଲାଗି ଶୌଚାଳୟଟିଏ ଅଛି। ଯଦି ‘ଏକ’ ଲାଗେ ତେବେ ଚଳେଇ ନେଇପାରିବେ। ମାତ୍ର କୌଣସି ମୁହୂର୍ତରେ ‌ଯଦି ଆପଣଙ୍କୁ ‘ଦୁଇ’ ଲାଗେ ତେବେ କଥା ସରିଲା। ଯଦି ଦୁଇଜଣ ଯିବେ ବାହାରୁ ଜଣେ କବାଟ ପାଖେ ଜଗି ଠିଆ ହେବାକୁ ପଡ଼ିବ। ନଚେତ୍‌ ଖିଡ଼ିକି ଭାଙ୍ଗି ଯାଇଥିବା ଏହି କବାଟରେ ଯୋଖାଯାଇଥିବା ପ୍ଲାଷ୍ଟିକ୍‌ ଦଉଡ଼ିକୁ ଭିତର ଆଡ଼କୁ ଭିଡ଼ି ଧରି ଆପଣଙ୍କୁ ଆପଣଙ୍କ କାମ ସାରିବାକୁ ପଡ଼ିବ। ଯଦି ଏ ଦୁଇଟିକୁ ତୁଲାଇପାରିବେନି ତେବେ ସ୍ଥିତି କ’ଣ ହେବ କହିବା ଅନାବଶ୍ୟକ।

ପୂର୍ଣ୍ଣାଙ୍ଗ ନବୀକରଣ ହେବ
ଜୟଦେବ ଭବନର ଏତାଦୃଶ ଅବସ୍ଥା ନେଇ ପ୍ରେକ୍ଷାଳୟ ଦାୟିତ୍ବରେ ଥିବା ଭବାନୀ ଭୂୟାଁଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ, ଖୁବଶୀଘ୍ର ପ୍ରେକ୍ଷାଳୟର ନବୀକରଣ ହେବ। ୧୯୭୬ରେ ନିର୍ମିତ ପ୍ରେକ୍ଷାଳୟର ୩୭୭ ଚୌକିକୁ ହଟାଯାଇ ତା’ ସ୍ଥାନରେ ନୂଆ ଚୌକି ପଡ଼ିବ। ପ୍ରେକ୍ଷାଳୟରେ ନୂଆ ପରଦା (ସ୍କ୍ରିନ୍‌) ଲାଗିବ। ‌‌ଶୌଚାଳୟ ସଜଡ଼ାଯିବ। ଅନ୍ୟ ଆନୁସଙ୍ଗିକ କାମ କରାଯିବ। ଏନେଇ ସୂଚନା ଓ ଲୋକସମ୍ପର୍କ ନିର୍ଦେଶକ ଆର୍‌ ଆଣ୍ଡ୍‌ ବି ସହିତ ଆଲୋଚନା କରିସାରିଥିବା ବେଳେ ପ୍ରେକ୍ଷାଳୟ ନୂଆ ରୂପ ପାଇବ ବୋଲି ସେ କହିଛନ୍ତି।

ଅନ୍‌ଲାଇନ୍‌ ବୁକିଂ ୫ବର୍ଷର ଧୂଆଁବାଣ
ଜୟଦେବ ଭବନର ଚାହିଦା ଏତେ ବୃଦ୍ଧି ପାଇଲା ଯେ ଏହାକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ରେ ବୁକିଂ କରିବାକୁ ୨୦୧୩ରେ ନିଷ୍ପତ୍ତି ନିଆଗଲା। ସେଇବର୍ଷ ଅକ୍ଟୋବରରେ ଏହା ଆରମ୍ଭ ହେବ ବୋଲି ସୂଚନା ଦିଆଗଲା। ଇ-ଗଭର୍ଣ୍ଣାନ୍‌ସ ସୁବିଧା ଯୋଗାଉଥିବା କେନ୍ଦ୍ର ସରକାରଙ୍କ ସଂଗଠନ ନ୍ୟାସ୍‌ନାଲ୍‌ ଇନ୍‌ଫରମେଟିକ୍ସ ସେଣ୍ଟର୍‌(ଏନ୍‌ଆଇସି) ଏଥିପାଇଁ ଏକ ସଫ୍ଟୱେର୍‌ ଡେଭେଲପ୍ କରିବ ବୋଲି କୁହାଗଲା। ଫଳରେ ଜଣେ ଘରେ ବସି ମାଉସ୍‌ର କ୍ଲିକ୍‌ରେ ପ୍ରେକ୍ଷାଳୟ ବୁକିଂ କରିପାରିବ ବୋଲି ଶୁଣି ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ଏହାକୁ ପ୍ରଶଂସା କଲେ। ଏମିତିକି ଜୟଦେବ ଭବନ ପ୍ରେକ୍ଷାଳୟ ପରିସରରେ ଏକ ଅନ୍‌ଲାଇନ୍‌ ବୁକିଂ କାଉଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ହେଲା। ମାତ୍ର ୫ ବର୍ଷ ପରେ ବି ଅନ୍‌ଲାଇନ୍ ବୁକିଂ ଆରମ୍ଭ ହୋଇପାରିଲା ନାହିଁ।

ଏବେବି —— ଭବନ
ପ୍ରେକ୍ଷାଳୟ ପ୍ରବେଶ ତୋରଣରେ ଲେଖାଯାଇଥିବା ‘ଜୟଦେବ ଭବନ’ ଶବ୍ଦ ଦୁଇଟି ଦର୍ଶକଙ୍କୁ ସ୍ବାଗତ କରେ। ତେବେ ବାତ୍ୟା ‘ଫନି’ ତାଣ୍ଡବ ରଚିବା ପରେ ଜୟଦେବ ଭବନରୁ ‘ଜୟଦେବ’ ଶବ୍ଦ ଉଡ଼େଇନେଲା। ମାତ୍ର ଫନି ଅଢ଼େଇ ମାସ ତଳୁ ଫେରି ଯାଇଥିଲେ ସୁଦ୍ଧା ଏଯାଏଁ ସେଠି ଖାଲି ‘ଭବନ’ ଅଛି। ‘ଜୟଦେବ’ ଶବ୍ଦ ଏପର୍ଯ୍ୟନ୍ତ ଲେଖାଯାଇପାରିଲା ନାହିଁ। ପ୍ରବେଶ କରିବା ମାତ୍ରେ ହିଁ ଏହା ଅଶୋଭନୀୟ ମନେ ହେବ। ଖାଲି ସେତିକି ନୁହେଁ, ପ୍ରେକ୍ଷାଳୟ ପରିସରରେ ପାର୍କିଂ ମଧ୍ୟ ଏପର୍ଯ୍ୟନ୍ତ ବ୍ୟବସ୍ଥିତ ହୋଇପାରିନାହିଁ।

ସମ୍ବନ୍ଧିତ ଖବର