ଜୟୀ ରାଜଗୁରୁଙ୍କୁ ନେଇ ଭିନ୍ନମତର ଅନ୍ତ ହେଉ

‘ଜୟୀ ରାଜଗୁରୁ’ ଇଂରାଜୀ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ଜୟୀ ରାଜଗୁରୁଙ୍କୁ ନେଇ ବି୍ରଟିଶମାନେ ରଚନା କରିଥିବା ଇତିହାସକୁ ଆମେ ଗ୍ରହଣ କରିବା କି? ସେ ତ ଇଂରେଜମାନଙ୍କର ପ୍ରଥମ ଶତ୍ରୁ ଥିଲେ। ତାଙ୍କ ବିଷୟରେ ଇଂରେଜ ଐତିହାସିକମାନେ ଦେଇଥିବା ତଥ୍ୟକୁ ଠିକ ମନେ କରିବା ବୃଥା। ଆମର ଗବେଷକମାନେ ଆହୁରି ଗବେଷଣା କରି ତାଙ୍କ ସମ୍ପର୍କରେ ଅନେକ ଅଜଣା କଥାର ରହସ୍ୟ ଉନ୍ମୋଚନ କରନ୍ତୁ। ଜୟୀ ରାଜଗୁରୁଙ୍କୁ ନେଇ ପ୍ରକାଶ ପାଉଥିବା ଭିନ୍ନମତର ଅନ୍ତ ହେଉ । ଡ. ବିଜୟ ଚନ୍ଦ୍ର ରଥଙ୍କ ଇଂରାଜୀ ପୁସ୍ତକ ‘ଜୟୀ ରାଜଗୁରୁ ଆଣ୍ଡ୍‌ ଆଣ୍ଟି କଲୋନିଆଲ ରେଜିଷ୍ଟାନ୍ସ ଇନ୍‌ ଖୋର୍ଦ୍ଧା’ ପୁସ୍ତକୁ ଲୋକାର୍ପଣ କରି ଗଜପତି ମହାରାଜା ଦିବ୍ୟସିଂହ ଦେବ ଏପରି ମତପ୍ରକାଶ କରିଛନ୍ତି।

ଶିଶୁ କଲମ ଓ ସହିଦ ରାଜଗୁରୁ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ଅଭିଲେଖାଗାରଠାରେ ଅନୁଷ୍ଠିତ ଏହି ଉତ୍ସବରେ ଗଜପତି ଆହୁରି କହିଲେ, ଓଡ଼ିଶାରେ ଇଂରେଜ ଶାସନ ସମୟରେ ଦ୍ୱିମତ ରହିବା ସ୍ୱାଭାବିକ। କିନ୍ତୁ ବର୍ତମାନ ଜୟୀ ରାଜଗୁରୁ ଓ ପାଇକ ବିଦ୍ରୋହକୁ ନେଇ ଦ୍ୱିମତ ପ୍ରକାଶ ପାଇବା ଉଚିତ ନୁହେଁ। ୧୮୦୪ ମସିହାରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିଲା। ସେ ହେଉଛନ୍ତି ପ୍ରଥମ ସହିଦ, ଏ ନେଇ ଅନ୍ତତଃ ଓଡ଼ିଆଙ୍କ ମଧ୍ୟରେ ଦ୍ୱିମତ ନ ରହୁ। ସମୟ ଆସିଛି ଓଡ଼ିଆମାନେ ନଜର ଇତିହାସ, ଐତିହ୍ୟକୁ ଜାଣନ୍ତୁ। ଜୟୀ ରାଜଗୁରୁଙ୍କୁ ପାଇକ ବିଦ୍ରୋହରୁ ବାଦ୍‌ ଦେବା ଆମ ପୂର୍ବସୂରୀଙ୍କ ପ୍ରତି କୃତଘ୍ନତା ହେବ।

ସମ୍ମାନିତ ଅତିଥି ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଅଲେଖ ଚନ୍ଦ୍ର ଷଡ଼ଙ୍ଗୀ କହିଲେ, ଐତିହାସିକମାନେ ଜୟୀ ରାଜଗୁରୁଙ୍କୁ ଉପେକ୍ଷା କରିଛନ୍ତି। ତାଙ୍କ ବିଷୟରେ ପ୍ରକୃତ କଥା ସମସ୍ତେ ଜାଣିବା ଦରକାର। ଲେଖକ ଜୟୀ ରାଜଗୁରୁଙ୍କ ସମ୍ପର୍କର ବହୁ ତଥ୍ୟ ସଂଗ୍ରହ କରି ଏହି ପୁସ୍ତକରେ ଦେଇଛନ୍ତି। ରେଭେନ୍ସା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅମୂଲ୍ୟ କୁମାର ପଣ୍ଡା କହିଲେ, ଜୟୀ ରାଜଗୁରୁ ଓ ପାଇକ ବିଦ୍ରୋହକୁ ନେଇ ଏହା ଏକ ଅତ୍ୟନ୍ତ ଉପାଦେୟ ପୁସ୍ତକ। ଇଂରାଜୀରେ ରଚନା କରାଯାଇଥିବାରୁ ଏହା ବିଦେଶୀଙ୍କ ନିକଟରେ ମଧ୍ୟ ପହଞ୍ଚିପାରିବ। ପୁସ୍ତକର ରଚୟତା ଶ୍ରୀ ରଥ କହିଲେ, ଇତିହାସର ବିରୂପୀକରଣ କରାନଯାଉ। ଏହା ବୌଦ୍ଧିକ ବିକାଶର ପରିପନ୍ଥୀ। ଏଥିରୁ ସମସ୍ତେ ନିବୃତ୍ତ ରୁହନ୍ତୁ।

ପ୍ରସାର ଭାରତୀର ନିର୍ବାହୀ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା, ଡ. ହିମାଂଶୁ ପଟ୍ଟନାୟକ ପ୍ରମୁଖ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଚିବ ରାଜକିଶୋର ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଐତିହାସିକ, ଗବେଷକ, ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର