୧୨ ବର୍ଷ ପରେ ଘରକୁ ଫେରିବେ ଝରଣା

ଭୁବନେଶ୍ୱର : ବେଳେବେଳେ ଭାଗ୍ୟ ମଣିଷ ଜୀବନର ମୋଡ଼ ବଦଳାଇଦିଏ। ସୁନା ସଂସାର ଚୁନା କରିଦେଇ ନିଃସ୍ୱ କରିଦିଏ। କେନ୍ଦ୍ରାପଡ଼ା ଜିଲ୍ଲା ହଟିଆପଡ଼ାର ଝରଣା ମାଝୀଙ୍କ ସହ ଭାଗ୍ୟ ଏମିତି ଖେଳ ଖେଳିବ ବୋଲି ସେ କେବେ ବି କଳ୍ପନା କରିନଥିଲେ। ୧୨ ବର୍ଷ ତଳେ ମାନସିକ ବିକୃତିର ଶିକାର ହୋଇ କୋଲକାତା ରେଳଷ୍ଟେସନ୍‌ରୁ ସେ ନିଖୋଜ ହୋଇଯାଇଥିଲେ। ୧୨ ବର୍ଷ ପରେ ଆଜି ସେ ଭଲ ହୋଇ ନିଜ ଘରକୁ ଫେରିବାକୁ ମନ କଲାବେଳକୁ ସ୍ୱାମୀ ଦ୍ୱିତୀୟ ବିବାହ କରିବା ଜାଣି ହତ୍‌ବାକ ହୋଇଯାଇଛନ୍ତି। ଏଣେ ନିଜେ ଅନ୍ତ ଚିରି ଜନ୍ମ ଦେଇଥିବା ପୁଅ ଦୁହେଁ ବି ତାଙ୍କୁ ଚିହ୍ନିବେ କି ନାହିଁ ତାହା ବି ତାଙ୍କୁ ଜଣା ନାହିଁ। ତେବେ ବି ନିଜ ଘରକୁ ଫେରିବା ପରେ ଖୁସିରେ ଗଦ୍‌ଗଦ୍‌ ହୋଇପଡ଼ିଛନ୍ତି ଝରଣା। ଯେବେ ପଚାରିଲୁ, ସ୍ୱାମୀଙ୍କ କଥା ଆପଣଙ୍କର ମନେ ପଡ଼େନି? ଏକଥା ଶୁଣି ସେ ଲାଜେଇ ଯାଇ ସ୍ମିତହାସ୍ୟଟିଏ ଦେଇଥିଲେ। ପୁଣି ପଚାରିଲୁ ପୁଅମାନଙ୍କ କଥା ମନେ ପଡ଼େନି ? କହିଲେ, ହଁ ମୁଁ ମୋ ପୁଅ ପାଖକୁ ଯିବି। ହେଲେ ପୁଅ ଯଦି ମତେ ନ ଚିହ୍ନିବ ?

ଝରଣାଙ୍କ ପ୍ରକୃତ ଘର କେନ୍ଦ୍ରାପଡ଼ା ଆଳିସ୍ଥିତ ବାଳକାଟି ଗ୍ରାମରେ। ରବୀନ୍ଦ୍ର କୁମାର ବେହେରା ଓ ଅନ୍ନପୂର୍ଣ୍ଣା ବେହେରାଙ୍କ ଝିଅ ଝରଣାଙ୍କୁ କମ୍‌ ବୟସରେ ବାପା ମା’ ବିବାହ ବନ୍ଧନରେ ଛନ୍ଦି ଦେଇଥିଲେ। ଆଳିରୁ ଆସି ସେ ହଟିଆପଡ଼ାର ବୋହୂ ହେଲେ। ଦୁଇ ପୁଅକୁ ଜନ୍ମ ଦେବା ପରେ ତାଙ୍କୁ ନେଇ ସେ ସ୍ୱପ୍ନ ଦେଖିବା ଆରମ୍ଭ କରି ଦେଇଥିଲେ। ମାତ୍ର ଝରଣାଙ୍କ ଦେଖା ଦେଇଥିଲା ମାନସିକ ବିକୃତିର ଲକ୍ଷଣ। ସ୍ୱାମୀ ବାଇଧର ମାଝୀ ଝରଣାକୁ ନେଇ କୋଲକାତାରେ ରହୁଥିବା ଝରଣାର ବାପା ମା’ଙ୍କ ନିକଟରେ ଛାଡ଼ିବାକୁ ନେଉଥିଲେ। ଏତିକି ବେଳେ ଟ୍ରେନ୍‌ରୁ ଓହ୍ଲାଇ ନିଖୋଜ ହୋଇଯାଇଥିଲେ ଝରଣା। ସ୍ୱାମୀ ବହୁ ଖୋଜାଖୋଜି ପରେ ବି ଝରଣାଙ୍କୁ ପାଇଲେନି। ଘଟଣା ପ୍ରଘଟ ହେବା ପରେ ଝରଣାର ବାପା ମା’ ସାହି ପଡ଼ିଶା ସମସ୍ତଙ୍କୁ ଏନେଇ ଖବର ଗଲା। ଝରଣାକୁ ଖୋଜି ଦେବା ପାଇଁ ଅନେକେ ଉଦ୍ୟମ କରି ବିଫଳ ହେଲେ। ପରେ ଝରଣା ନିଜକୁ ଆବିଷ୍କାର କରିଥିଲେ ବିଶାଖାପାଟଣାର ସରକାରୀ ମାନସିକ ଚିକିତ୍ସାଳୟରେ। ଦୀର୍ଘ ୧୨ ବର୍ଷ ପରେ ଭାରତୀୟ ରେଡ୍‌କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଉଦ୍ୟମ ଫଳରେ ଝରଣା ନିଜ ଘର ଓ ବାପା ମା’ଙ୍କୁ ଫେରି ପାଇଛନ୍ତି। ମାତ୍ର ଝରଣାର ବାପା ମା’ ଦିନ ମଜୁରିଆ ଶ୍ରେଣୀର ହୋଇଥିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବା ଝିଅକୁ କେମିତି ଚଳାଇବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଏଣେ ସ୍ୱାମୀ ବାଇଧର କାଳେ କହିଛନ୍ତି, ଯଦି ଝରଣା ସମ୍ପୂର୍ଣ୍ଣ ଭଲ ଥିବେ ତେବେ ସେ ତାଙ୍କୁ ପାଖରେ ରଖିବେ। ଏମିତି ଦ୍ୱନ୍ଦ୍ୱ ଭିତରକୁ ଠେଲି ହୋଇଯାଇଛି ଝରଣାଙ୍କ ଜୀବନ। ତେଣୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ମାନସିକ ବିକାରଗ୍ରସ୍ତ ଝରଣାଙ୍କୁ ଦିବ୍ୟାଙ୍ଗ ଭତ୍ତା ସହ କାର୍ଡ କରି ଚାଉଳ ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ତଥା ରେଡ୍‌କ୍ରସ ଓଡ଼ିଶା ରାଜ୍ୟ ଶାଖା କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ପ୍ରତାପ ଜେନାଙ୍କ ସମେତ ଅବୈତନିକ ସଚିବ ଡ.ଜ୍ଞାନବ୍ରତ ମହାନ୍ତି, ଅବୈତନିକ ଯୁଗ୍ମ ସଚିବ ଡ.ମେଜର କଳ୍ପନା ଦାସଙ୍କ ସମେତ ଯୋଗସୂତ୍ରରେ ମୁଖ୍ୟ ଭୂମିକା ନେଇଥିବା ରେଡ୍‌କ୍ରସର ରଂଜନ କୁମାର ମହାନ୍ତି ଏବଂ ଅଧ୍ୟାପକ ପ୍ରତାପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଝରଣାଙ୍କୁ ରେଡ୍‌କ୍ରସ ପକ୍ଷରୁ ମାନସିକ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ତାଙ୍କୁ କିଛି ଆବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ରେଡ୍‌କ୍ରସ ତାଙ୍କୁ ସମସ୍ତ ସହଯୋଗ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା କହିଛନ୍ତି ଡ.କଳ୍ପନା ଦାସ।

୩ ବର୍ଷ ପରେ ମିଳିଲା ବାପା ମା’ ଛେଉଣ୍ଡ ସଂଯୁକ୍ତା

ଭୁବନେଶ୍ୱର : ୩ ବର୍ଷ ତଳେ ମାନସିକ ଭାରସାମ୍ୟ ହରାଇ ସେ ଗଂଜାମ ଜିଲ୍ଲା ସୋରଳରୁ ଚାଲିଚାଲି ପଳାଇଥିଲା ରାଉରକେଲା। ତା’ର ବାପା ମାନସିକ ବ୍ୟାଧିରେ ଆକ୍ରାନ୍ତ ହୋଇ କୁଆଡ଼େ ଚାଲିଯିବା ପରେ କୋଉ ଝିଅ ବି ସମ୍ଭାଳିଥାଆନ୍ତା। ଖାଲି ସେତିକି ନୁହେଁ ବୋଝ ଉପରେ ନଳିତା ବିଡ଼ା ଭଳି ତା’ ମା’ ବି ଏକ ଦୁର୍ଘଟଣାରେ ପ୍ରାଣ ହାରିଦେଲା। ଏମିତିରେ ଗଂଜାମର ସୋରଳର ସଂଯୁକ୍ତା ବେହେରା ପାଗଳି ପ୍ରାୟ ହୋଇଯାଇଥିଲା। କେତେବେଳେ ସେ ଗଂଜାମରୁ ରାଉରକେଲା ଚାଲିଯାଇଥିଲେ ସେ ଜାଣନ୍ତି ନାହଁ। ମାତ୍ର ଏବେ ମାନସିକ ବ୍ୟାଧିରୁ ମୁକୁଳିଥିବା ସଂଯୁକ୍ତା କୁହନ୍ତି, କାଳେ ତାଙ୍କୁ ସେଠାରୁ ପୁଲିସ୍‌ ନେଇ ଯାଇଥିଲା। ବାସ୍‌ ଏତିକି ହିଁ ମନେ ଅଛି ସଂଯୁକ୍ତାଙ୍କର। ସେଠାରୁ ସମ୍ଭବତଃ ପୁଲିସ୍‌ ତାଙ୍କୁ ନେଇ ବିଶାଖାପାଟଣାର ସରକାରୀ ମାନସିକ ଚିକିତ୍ସାଳୟରେ ଭର୍ତି କରିଥିଲା। ମାତ୍ର ରେଡ୍‌କ୍ରସ ସହାୟତାରେ ସେ ଆଜି ନିଜ ଗାଁ’କୁ ଫେରି ଆସିଛନ୍ତି।

ତେବେ ଗାଁ’ରେ ଆସି ନିଜର ଦୁଇ ଭାଇଙ୍କ ଅବସ୍ଥା ଦେଖି ସେ ବି ଯେମିତି ମୂକ ହୋଇଯାଇଛନ୍ତି। ବଡ଼ ଭାଇ ପାଗଳ ହୋଇଯାଇଥିବା ବେଳେ ସାନ ଭାଇର କାନକୁ ଶୁଭୁନି। ସମସ୍ତଙ୍କ ବୋଝ ଏବେ ବିଚାରା ତାଙ୍କ ଜେଜେ ମା’ ଉଷା ବେହେରାଙ୍କ ଉପରେ। ୭୦ ବର୍ଷ ଅତିକ୍ରାନ୍ତ କରିଥିବା ଉଷା ବି ନାଚାର। ଜମିବାଡ଼ିରେ ଚାଷ କରି ପେଟ ପୋଷୁଥିବା ବେଳେ ସଂଯୁକ୍ତା ସହିତ ବାପା ମା’ ଛେଉଣ୍ଡ ୩ ପିଲାଙ୍କୁ କେମିତି ସମ୍ଭାଳିବେ ଏବେ ତାଙ୍କ ଆଖିକୁ ନିଦ ନାହିଁ। ରେଡ୍‌କ୍ରସ ପକ୍ଷରୁ ଆଜି ତାଙ୍କୁ ପରିବାର ସହ ମିଶାଯାଇଥିବା ବେଳେ ଯୋଗସୂତ୍ର ସ୍ଥାପନର ଦାୟିତ୍ୱ ନେଇଥିଲେ ଇନ୍ଦିରା ମେମୋରିଆଲ୍‌ କଲେଜ୍‌ ଚାନ୍ଦିପୁଟ, ଗଜପତିର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡ୍‌କ୍ରସ୍‌ର ସଂଯୋଜକ ଡ.ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ। ସଂଯୁକ୍ତା ଜେଜେ ମା’ ସାଙ୍ଗେ କ୍ଷେତ ବାଡ଼ି କରିବ ବୋଲି ଅଣ୍ଟା ଭିଡ଼ିଥିଲେ ହେଁ ସରକାରୀ ସାହାଯ୍ୟ ପାଇଁ ଭିକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର