ଝାରପଡ଼ା ଜେଲ୍‌ : ଭିତରୁ ପ୍ରସ୍ତୁତ ହେଉଛି ଅପରାଧର ବ୍ଲୁ ପ୍ରିଣ୍ଟ

ଭୁବନେଶ୍ବର : ଝାରପଡ଼ା ସ୍ବତନ୍ତ୍ର ଜେଲ୍‌। ରାଜ୍ୟର ଏକ ପ୍ରମୁଖ ଜେଲ ମଧ୍ୟରୁ ଅନ୍ୟତମ। ଯେଉଁଠି ଗ୍ୟାଙ୍ଗଷ୍ଟରଙ୍କଠାରୁ ଆରମ୍ଭ କରି ହାର୍ଡ‌‌କୋର୍‌ ମାଓବାଦୀମାନେ ରହୁଛନ୍ତି। କିନ୍ତୁ ଏଠାରେ ଯେଉଁ ଭଳି ଢ଼ଙ୍ଗରେ ସୁରକ୍ଷା ବ୍ୟବସ୍ଥା ହେବା କଥା, ତାହା ଥିବା ଭଳି ମନେ ହୁଏନି। ପ୍ରତ୍ୟେକ ଦିନ କଏଦୀମାନଙ୍କ ପାଇଁ ଶୁଖିଲା ଖାଦ୍ୟଠାରୁ ଆରମ୍ଭ କରି ରନ୍ଧାଖାଦ୍ୟ ଜେଲ୍‌ ଭିତରକୁ ବେଶ୍‌ ଆରାମରେ ଯାଇଥାଏ। ନିଶାଦ୍ରବ୍ୟ ଚାଲାଣ ନିତିଦିନିଆ କଥା। ବଡ଼ କଥା ହେଉଛି, ଏଠାରେ ଲାଗିଥିବା ସିସି କ୍ୟାମେରା, ଜାମର୍‌ ମଧ୍ୟ ଠିକ୍‌ ଭାବେ କାମ କରୁନାହିଁ। ଯୋଜନା ହୋଇଥିଲା ସ୍କାନର୍‌ ମେସିନ୍‌ ଲାଗିବ ବୋଲି। କିନ୍ତୁ ଯୋଜନା ସେମିତି କାଗଜପତ୍ରରେ ଅଟକି ଯାଇଛି। ଜେଲ୍‌ ଭିତରୁ ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ଏହା ପରେ ଜେଲ ବାହାରେ ଘଟୁଛି ହତ୍ୟାକାଣ୍ଡ, ବୋମା ଓ ଗୁଳିମାଡ଼। ଜେଲ୍‌ ଭିତରେ ମଧ୍ୟ ଅଘଟଣ ଘଟୁଛି। ଗତ ୫ ବର୍ଷ ମଧ୍ୟରେ ଝାରପଡ଼ା ଜେଲ୍‌ ଭିତରେ ୫ ଜଣ କଏଦୀଙ୍କ ମୃତ୍ୟୁ ଘଟି ସାରିଲାଣି। ପରିବାରଲୋକ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହୁଥିଲେ ମଧ୍ୟ ପ୍ରତ୍ୟେକ ଘଟଣାକୁ ପୁଲିସ ଅପମୃତ୍ୟୁ ନଚେତ୍‌ ଆତ୍ମହତ୍ୟାର ରୂପ ଦେଇଛି। ବଡ଼ କଥା ହେଉଛି, ପ୍ରତ୍ୟେକ ୩ ମାସ‌‌ରେ ଜେଲ୍‌ ଉପରେ ଚଢ଼ଉ ହେବାର ନିୟମ ରହିଛି। କିନ୍ତୁ କମିସନରେଟ୍‌ ପୁଲିସ ଏହା‌କୁ ଠିକ୍‌ ଭାବେ ପାଳନ କରୁନାହିଁ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ନିର୍ଦେଶକ୍ରମେ ଝାରପଡ଼ା ଜେଲ ଉପରେ ଚଢ଼ଉ କରାଯାଇଥିଲା। ତାହା ପୁଣି ତିନି ବର୍ଷ ପରେ। ଚଢ଼ଉ ବେଳେ ଜବତ ହୋଇଥିଲା ପୁଳାପୁଳା ଗଞ୍ଜେଇ, ସିଗା‌ରେଟ୍‌, ବିଡି, ଖଇନି, ଟଙ୍କା, ମୋବାଇଲ ସିମ କାର୍ଡ, ଅଶ୍ଳୀଳ ପୁସ୍ତକ ଭଳି ସାମଗ୍ରୀ। ଯେଉଁ ସିମ୍‌ କାର୍ଡ ଜବତ ହୋଇଥିଲା, ତାର ତଦନ୍ତ ହେବ ବୋଲି ପୁଲିସ କହିଥିଲା, କିନ୍ତୁ ଏଯାଏ ତାର ପତ୍ତା ମିଳି ପାରିନାହିଁ।

ଖୁଲମ୍‌ଖୁଲା ମାଦକ ଦ୍ରବ୍ୟ ଚାଲାଣ
ଜେଲ୍‌କୁ ଖୁଲମଖୁଲା ଚାଲାଣ ହେଉଛି ମାଦକ ଦ୍ରବ୍ୟ। ଵାର୍ଡର୍‌ ସମସ୍ତଙ୍କ ସମ୍ମୁଖରେ ଯାଞ୍ଚ କରୁଛନ୍ତି, ତଥାପି କେତେକ ନିର୍ଦିଷ୍ଟ ବିଚାରାଧୀନ କଏଦୀଙ୍କ ପାଇଁ ମାଦକଦ୍ରବ୍ୟ ଭିତରକୁ ଯାଉଛି। ବିଚାରାଧୀନ କଏଦୀଙ୍କୁ ଭେଟିବାକୁ ଆସିଥିବା ସମ୍ପର୍କୀୟମାନେ କିଏ ହାତରେ ଶୁଖିଲା ଖାଦ୍ୟ ତ ଆଉ କେହି କେହି ବିସ୍କୁଟ, ମିକ୍ସଚର ଆଣନ୍ତି। ତେବେ ଏହା ସହିତ କେହି କେହି ଗୁଟ୍‌ଖା, ବିଡ଼ି, ସିଗାରେଟ‌୍‌ ଓ ଖଇନି ମଧୢ ସାଙ୍ଗରେ ଆଣିଥାନ୍ତି। ଏସବୁକୁ ଜଣେ ଵାର୍ଡର ଯାଞ୍ଚ କରନ୍ତି। କିନ୍ତୁ ଯେଉଁ ସମ୍ପର୍କୀୟମାନେ ଵାର୍ଡରଙ୍କୁ ହାତଗୁଞ୍ଜା ଦିଅନ୍ତି ସେମାନଙ୍କ ଜିନିଷପତ୍ର ସହିତ ମାଦକଦ୍ରବ୍ୟ ଭିତରକୁ ଯାଏ ବୋଲି ଅଭିଯୋଗ ହୋଇଛି।

ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ଯୋଜନାସ୍ଥଳ
ଝାରପଡ଼ା ଜେଲ୍‌ ଏବେ ଗ୍ୟାଙ୍ଗଷ୍ଟର୍‌ଙ୍କ ଅପରାଧ କରିବାର ଯୋଜନାସ୍ଥଳ ପାଲଟିଛି। ଦେଢ଼ ବର୍ଷ ତଳେ କଟକ ସଦର ଥାନା ଅଧୀନ ବାଲି ଠିକାଦାର ବିଜନ ପାଲଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ବ୍ଲୁ-ପ୍ରିଣ୍ଟ୍‌ ଝାରପଡ଼ା ଜେଲ୍‌ରୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିବା ପରେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। କେବଳ ଠିକାଦାର ବିଜନ ପାଲ ଗୁଳିକାଣ୍ଡ କାହିଁକି କିଛି ଦିନ ତଳେ କ୍ରାଇମ୍‌ ବ୍ରାଞ୍ଚର ଏସଟିଏଫ କେତେକ ଖଣି ମାଫିଆଙ୍କୁ ମଧ୍ୟ ଗିରଫ କରିଥିଲା। ଯେଉଁଥିରେ ଗ୍ୟାଙ୍ଗଷ୍ଟର ଟିଟୋ ମଧ୍ୟ ସଂପୃକ୍ତ ଥିବା ଏସଟିଏଫ କେସ୍‌ ଡାଏରିରେ କୋର୍ଟକୁ ଅବଗତ କରାଇଛି। ଏଠି ପ୍ରଶ୍ନ ଉଠୁଛି, ଝାରପଡ଼ା ଜେଲରେ ଟିଟୋ ଥିବା ବେଳେ କେମିତି ମାଇନ୍ସ ମାଫିଆଙ୍କ ସହିତ ସମ୍ପର୍କ କଲା, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି। ସେହିପରି ରାଜଧାନୀରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡ, ଡକାୟତି, ଲୁଟପାଟ ଘଟଣାର ବ୍ଲୁ ପ୍ରିଣ୍ଟ ଝାରପଡ଼ା ଜେଲ ଭିତରୁ ହୋଇଥିବା ଜଣାପଡ଼ିଛି। ଜେଲ୍‌ କର୍ତୃପକ୍ଷ ଦୁର୍ଦାନ୍ତ ଅପରାଧୀମାନଙ୍କ ଉପରେ କିଭଳି ନଜର ରଖିଛନ୍ତି ତାହା ଏଥିରୁ ସ୍ପଷ୍ଟ ହୋଇଯାଉଛି।

ଏବେ ବି ଟୁ-ଜି ଜାମର୍‌ରେ ଚଳୁଛି କାମ
ଜେଲ୍‌ରେ ଲାଗିଥିବା ସିସି କ୍ୟାମେରା ଓ ୨୪ ଘଣ୍ଟିଆ ପହରା ଏକ ପ୍ରକାର ଫାର୍ସରେ ପରିଣତ ହୋଇଛି। କଏଦୀମାନଙ୍କ ଉପରେ ନଜର ରଖିବାକୁ ସିସି କ୍ୟାମେରା ଲାଗିଛି। କିନ୍ତୁ ସେଥିରୁ ଅର୍ଧାଧିକ ଅଚଳ। ଜେଲ୍‌ ଭିତରେ ଯେଉଁ ମୋବାଇଲ୍‌ ଜାମର୍‌ ଲାଗିଛି ତାହା ବି ଟୁ-ଜି। ଅପରାଧୀମାନେ ୪-ଜି ମୋବାଇଲ୍‌ ଫୋନ୍‌ ଧରିଲେଣି। ଟୁଜି ଆଉ କାମ କରୁନାହିଁ। ଫଳରେ ବେଶ ଆରାମରେ ୪ଜି ମୋବାଇଲ ଫୋନରୁ ଅପରାଧୀମାନେ କଥାବାର୍ତ୍ତା ହେଉଛନ୍ତି। ଜାଣିଶୁଣି ଜାମର୍‌କୁ ଅଚଳ କରାଯାଇଥିବା ମଧ୍ୟ ଚର୍ଚା ହେଉଛି। ଗତ ମାର୍ଚ ମାସରେ ଝାରପଡ଼ା ଜେଲ ଉପରେ କମିସନରେଟ୍‌ ପୁଲିସ ପକ୍ଷରୁ ଚଢ଼ଉ ହୋଇଥିଲା। ଏହି ସମୟରେ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ଜେଲ ପରିସରରେ ଯାଞ୍ଚ କରୁଥିଲେ। ସେମାନଙ୍କୁ ଯୋଗାଯୋଗ କରିବା ବେଳେ ସେମାନଙ୍କ ମୋବାଇଲ ଫୋନ କାମ କରୁଥିଲା। ଏହି ଗୋଟିଏ ଘଟଣା ସୂଚାଇ ଦେଉଛି କି, ଜେଲ୍‌ ଭିତର ଏବେ ଅପରାଧୀମାନଙ୍କ ପାଇଁ ସ୍ବର୍ଗ ପାଲଟି ଯାଇଛି। ଯାହାକୁ ପାଉଛନ୍ତି ବେଶ ଆରାମରେ ଯୋଗାଯୋଗ କରି ଦାଦାବଟି ଆଦାୟଠାରୁ ଆରମ୍ଭ କରି ଧମକ ଚମକ ଦେଉଛନ୍ତି।

ଲାଗି ପାରିଲା ନାହିଁ ସ୍କାନର୍‌
ଜେଲ ଭିତରକୁ ମୋବାଇଲ୍‌ ଫୋନ୍‌, ମାରଣାସ୍ତ୍ର ନ ପଶି ପାରିବା ଲାଗି ଲଗେଜ୍‌ ସ୍କାନର ଲାଗିବ ବୋଲି ୫ ବର୍ଷ ତଳେ ଯୋଜନା ହୋଇଥିଲା। ଯୋଜନା କେବଳ ଯୋଜନାରେ ହିଁ ରହି ଯାଇଛି। ଏହି ସ୍କାନର୍‌ ନ ଲାଗିବା କାରଣରୁ ଜେଲ ଭିତରୁ ଏକଦମ୍‌ ଛୋଟଛୋଟ ଅସ୍ତ୍ର ଯେମିତିକି ଛୁଞ୍ଚି, ଆଲପିନ, ବ୍ଲେଡ ମଧ୍ୟ ଅନ୍ୟାୟସରେ ଯାଇପାରୁଛି। ବଡ଼ କଥା ହେଉଛି ପ୍ରତି ୩ ମାସରେ ପୁଲିସ ପକ୍ଷରୁ ଜେଲ୍‌ ଉପରେ ଅଚାନକ ଚଢ଼ଉ କରାଯିବାର ନିୟମ ଥିଲେ ମଧୢ ଏହି ନିୟମକୁ ପାଳନ କରାଯାଉନାହିଁ। ଗତ ୯ ବର୍ଷ ମଧୢରେ କମିସନରେଟ ପୁଲିସ ପକ୍ଷରୁ ଝାରପଡ଼ା ଜେଲ୍‌ ଉପରେ ମାତ୍ର ୪ ଥର ଚଢ଼ଉ କରାଯାଇଛି।

ପାଞ୍ଚ ବର୍ଷରେ ୫ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ଝାରପଡ଼ା ଜେଲରେ ମଧ୍ୟ ଗତ ୫ ବର୍ଷ ମଧ୍ୟରେ ୫ ଜଣ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଦୁଇ ଜଣ କଏଦୀଙ୍କ ଜେଲ ଭିତରେ ମୃତ୍ୟୁ ଘଟିଥିଲା, ସେମାନେ ହେଲେ ଗଦାଧର ସାହୁ ଓ ଜିତେନ୍ଦ୍ର ବିଶ୍ବାଳ। ସେହିପରି ୨୧୦୫ରେ ବେଣୁଧର ଜେନା ଓ ଟୁଲୁ ସାହୁ ନାମକ ଦୁଇ ଜଣକ କଏଦୀଙ୍କ ମୃତ୍ୟୁ ଘଟିଥିଲା। ୨୦୧୪ରେ ବିହାରୀ ଜେନା ନାମକ ଜଣେ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା। ପ୍ରତ୍ୟେକ ବିଚାରଧୀନ କଏଦୀଙ୍କ ମୃତ୍ୟୁ ପରେ କମିସନ‌ରେଟ୍‌ ପୁଲିସ ଯେଉଁ ଭଳି ଢଙ୍ଗରେ ତତ୍ପରତା ଦେଖାଇବା କଥା ଦେଖାଇ ନାହିଁ।

ସମ୍ବନ୍ଧିତ ଖବର