ଛତାବର ଆଶ୍ରୟ କେନ୍ଦ୍ରରେ ଝାଡ଼ଖଣ୍ଡ ଶ୍ରମିକ : ଓଡ଼ିଶା ଆତିଥ୍ୟରେ ଘର କଥା ଭୁଲି ଗଲେଣି

ଖଣ୍ଡଗିରି : ‘ଓଡ଼ିଶାରେ ଏମିତି ଆତିଥ୍ୟ ମିଳିବ ବୋଲି କେବେ ବି ଭାବି ନଥିଲୁ। ଖାଇବା ଓ ପିଇବା ବଡ଼ କଥା ନୁହେଁ, ଆତିଥ୍ୟ ଆମକୁ ବହୁତ ଖୁସି ଦେଇଛି। ଆମେ ଏଠାରେ ବେଶ୍ ନିରାପଦ ମଣୁଛୁ।’ ଚନ୍ଦକା ଥାନା ଛତାବର କଲେଜରେ ଆଶ୍ରୟ ନେଇଥିବା ଝାଡ଼ଖଣ୍ଡ ଓ ବିହାରର ୭୦ଜଣ ଶ୍ରମିକଙ୍କ ଏହା ହେଉଛି ମନର କଥା। ତେବେ ତାଲାବନ୍ଦ ହଟିବାକୁ ନେଇ ସେମାନଙ୍କ ଦିନ ଗଣିବା ବନ୍ଦ ହେଉନାହିଁ। ଆଜି ପୁଣି ତାଲାବନ୍ଦ ଅବଧି ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ବଢ଼ିଥିବା ଖବର ଶୁଣିବା ପରେ ସେମାନଙ୍କ ଦୁଃଖ ବଢ଼ି ଯାଇଛି।

ସୂଚନାଯୋଗ୍ୟ ଯେ ସମଗ୍ର ଦେଶରେ ତାଲାବନ୍ଦ ଲାଗୁ ହେବା ପରେ ତାମିଲନାଡ଼ୁରେ କାମ କରୁଥିବା ଝାଡ଼ଖଣ୍ଡର ୪୦ଜଣ ଶ୍ରମିକ ଘରମୁହାଁ ହୋଇଥିଲେ। ତାମିଲ୍‌ନାଡ଼ୁରୁ ବାହାରି ସେମାନେ ଆନ୍ଧ୍ରପ୍ରଦେଶ ସୀମା ପାର୍ ହୋଇ ଓଡ଼ିଶାରେ ପହଞ୍ଚିଥିଲେ। ବ୍ରହ୍ମପୁରରୁ ସେମାନେ ଏକ ବିସ୍କୁଟ୍‌ କମ୍ପାନିର ୪ଟି କଣ୍ଟେନରରେ ବସି ଝାଡ଼ଖଣ୍ଡ ଅଭିମୁଖେ ବାହାରିଥିଲେ। କିନ୍ତୁ ଗତ ୨୮ତାରିଖରେ ଚନ୍ଦକା ଥାନା ପୁଲିସ ସେମାନଙ୍କୁ ଛତାବରଠାରେ ଅଟକାଇଥିଲା। ଭୋକ ଉପାସରେ ବଡ଼ ସମସ୍ୟାରେ ଘରକୁ ଯାଉଥିବା ଏହି ଶ୍ରମିକମାନଙ୍କୁ ଛତାବରସ୍ଥିତ ବାଉରୀବନ୍ଧୁ ମହାବିଦ୍ୟାଳୟରେ ଚନ୍ଦକା ଥାନା ପୁଲିସ ଥଇଥାନ କରିଥିଲା। ପ୍ରଥମ ଦିନ ପୁଲିସ ପକ୍ଷରୁ ସେମାନଙ୍କ ଖାଇବା ପିଇବା କଥା ବୁଝା ଯାଇଥିଲା ଓ ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଟଣୀ ବ୍ଲକ ଓ ଛତାବର ପଞ୍ଚାୟତକୁ ସେମାନଙ୍କ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା। ସେହିଭଳି ଅଙ୍ଗାରପଡ଼ା, ଛତାବର ଓ ଗଙ୍ଗପଡ଼ା ପଞ୍ଚାୟତରେ ନିର୍ମାଣ କାମ କରୁଥିବା ବିହାର ଓ ଝାଡ଼ଖଣ୍ଡର ୩୦ଜଣ ଶ୍ରମିକଙ୍କୁ ମଧ୍ୟ ଏଠାରେ ଥଇଥାନ କରାଯାଇଥିଲା। ପ୍ରଥମେ ଏହି ଶ୍ରମିକମାନେ ବଡ଼ ବିବ୍ରତ ହୋଇପଡ଼ିଥିଲେ ଓ ଘରକୁ ଛାଡ଼ିଦେବାକୁ ବ୍ୟାକୁଳ ହୋଇଥିଲେ।

ଛତାବର ସରପଞ୍ଚ ମନସ୍ବିନୀ ମିଶ୍ରଡେଙ୍ଗଙ୍କ ସୂଚନାନୁସା‌ରେ, ଏହି ଶ୍ରମିକମାନଙ୍କୁ ଜଳଖିଆ ସମେତ ଦୈନିକ ୩ଥର ଖାଇବାକୁ ଦିଆଯାଉଛି। ଆବଶ୍ୟକସ୍ଥଳେ ସେମାନଙ୍କୁ ଚିକିତ୍ସା ସେବା ମଧ୍ୟ ଯୋଗାଇ ଦିଆଯାଉଛି। ନିୟମିତ ବ୍ୟବଧାନରେ ଭୁବନେଶ୍ବର ଉପଜିଲ୍ଲାପାଳ, ଜଟଣୀ ବିଡିଓ, ତହସିଲଦାର୍ ଓ ଅତିରିକ୍ତ ତହସିଲଦାର ଏହି ଆଶ୍ରୟ କେନ୍ଦ୍ର ପରିଦର୍ଶନ କରୁଛନ୍ତି। ଅନ୍ତେବାସୀମାନେ ମଧ୍ୟ ବହୁ ସହଯୋଗ କରୁଛନ୍ତି। ଝାଡ଼ଖଣ୍ଡ କୋଡ଼ରମା ଜିଲ୍ଲାର ସତ୍ୟେନ୍ଦ୍ର ସିଂଙ୍କ କହିବା କଥା ଓଡ଼ିଶାର ଏହି ଆତିଥ୍ୟ ସବୁଦିନ ମନେ ରହିବ। ଏଠି ସେମାନଙ୍କର କୌଣସି ସମସ୍ୟା ନାହିଁ। କିନ୍ତୁ ତାଲାବନ୍ଦ କେବେ ହଟିବ, ସେଇ ଗୋଟିଏ ଚିନ୍ତା ହିଁ ସେମାନଙ୍କୁ ବ୍ୟଥିତ କରୁଛି।

ସମ୍ବନ୍ଧିତ ଖବର