ଚାକିରି ନାଁରେ ୫୦ ଲକ୍ଷ ଠକିଛି ଝାଡ଼ଖଣ୍ଡୀ ଠକ, ଜେଲ୍‌ରୁ ବାହାରୁ ବାହାରୁ ପୁଣି ଗିରଫ

ଖଣ୍ଡଗିରି : ରେଳବାଇରେ ଚାକିରି କରାଇ‌ଦେବାକୁ କହି ୩ ଜଣ ଯୁବକଙ୍କଠାରୁ ସାଢ଼େ ଛଅ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ କୁଖ୍ୟାତ୍ ଝାଡ଼ଖଣ୍ଡୀ ଠକ ଆଶିଷ ସିଂହ(୪୦)କୁ ଗିରଫ କରିଛି। ଗୁରୁବାର ଝାରପଡ଼ା ଜେଲ୍‌ରୁ ବାହାରିବା ମାତ୍ରେ ଖଣ୍ଡଗିରି ଥାନା ପୁଲିସ ତାକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ପୁଣି ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ସମାନ ଅଭିଯୋଗରେ ରାଞ୍ଚି ପୁଲିସ ତାକୁ ପ୍ରାୟ ୩ଥର ଗିରଫ କରିଥିବା ବେଳେ ଗତ ଅଗଷ୍ଟରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ଗିରଫ କରିଥିଲା। ରାଞ୍ଚି, ପାରଦୀପ ଓ ଭୁବନେଶ୍ବରରୁ ସେ ଅନୁରୂପ ଭାବେ ବେକାର ଯୁବକମାନଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ହଡ଼ପ କରି ସେମାନଙ୍କୁ ଚୂନ ଲଗାଇଛି। ପୁଲିସ ସୂଚନାନୁସାରେ, ଝାଡ଼ଖଣ୍ଡ ରାଞ୍ଚି ଶର୍ମାରୋଡ୍‌‌ର ଆଶିଷ ସିଂହ ସ୍ଥାନୀୟ ଖଣ୍ଡଗିରିବାରୀରେ ରହୁଥିଲା ଓ ନିଜକୁ ଜଣେ ରେଳବାଇ ଅଧିକାରୀ ବୋଲି ପରିଚୟ ଦେଉଥିଲା। ବେଶଭୂଷା ଓ ତା’ର ଦାମୀ କାର୍‌ରୁ କେହି ତାକୁ ସନ୍ଦେହ କରିବା ମଉକା ପାଉନଥିଲେ। ଘଟଣାକ୍ରମେ ଗତ ଜୁଲାଇ ମାସରେ ସୌଭାଗ୍ୟନଗରର ଅଜୟ ମୁଦୁଲିଙ୍କ ସହ ଆଶିଷର ପରିଚୟ ହୋଇଥିଲା। ଦେଢ଼ ଲକ୍ଷ ଟଙ୍କା ଦେଲେ କୋଲକାତା ରେଳବାଇରେ ଚାକିରି କରାଇଦେବ ବୋଲି ସେ ଅଜୟଙ୍କୁ କହିଥିଲା। କଥାରେ ଭଳି ଯାଇ ଅଜୟ ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ। ପରେ ପରେ ଆଉ ଦୁଇଟି ପୋଷ୍ଟ ପାଇଁ ଅଜୟଙ୍କ ସମ୍ପର୍କୀୟ ଦୁଇ ଭାଇ ଅସିତ୍ ଓ ସଂଜୟ ମଧ୍ୟ ତାକୁ ୫ ଲକ୍ଷ ଟଙ୍କା ଗଣି ଦେଇଥିଲେ। ଟଙ୍କା ପାଇବା ପରେ ସେମାନଙ୍କୁ ନିଯୁକ୍ତିପତ୍ର ମିଳି ଯାଇଥିଲା। କିନ୍ତୁ ତାହା ନକଲି ବୋଲି ଜଣାପଡ଼ିବା ବେଳକୁ ଅର୍ଥାତ୍ ଗତ ଅଗଷ୍ଟ ମାସରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରି ସାରିଥିଲା। ସେଠାରୁ ୭ଜଣଙ୍କଠାରୁ ପ୍ରାୟ ୧୪ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ନୂଆପଲ୍ଲୀ ଥାନା ପୁଲିସ ତା’ କାର୍‌କୁ ଜବତ କରିଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ରାଞ୍ଚିରେ ସେ ଏଭଳି କାଣ୍ଡ ଭିଆଇବାରୁ ୩ଥର ଗିରଫ ହୋଇଥିଲା। ଠକାମୀର ଶିକାର ହୋଇଥିବା ଝାଡ଼ଖଣ୍ଡ ଯୁବକମାନଙ୍କ ପକ୍ଷରୁ ତା’ ଜୀବନ ପ୍ରତି ବିପଦ ଥିବାରୁ ସେ ଓଡ଼ିଶା ପଳାଇ ଆସିଥିଲା। ପାରାଦୀପରୁ ୧୦ ଜଣଙ୍କୁ ଠକିଥିବା ଆଶିଷ ନୂଆପଲ୍ଲୀ ଅଞ୍ଚଳରୁ ୭ ଜଣଙ୍କୁ ଓ ଖଣ୍ଡଗିରିରୁ ୩ ଜଣଙ୍କୁ ଠକିଛି।

ସମ୍ବନ୍ଧିତ ଖବର